Unknown

 

 

 

 

 

 

 

 

 

 

ଯାତ୍ରୀ

ଉମେଶ ଚନ୍ଦ୍ର ପାଣିଗ୍ରାହୀ

 

 

 

 

 

 

 

 

 

 

 

 

 

କୁମାରୀ କ୍ରାଉତେ ଲେଇତ୍‍ନାରଙ୍କୁ

 

 

 

 

 

 

“Who never ate with tears his bread, who never in the midnight hours sat weeping on his lonely bed He knows ye not, ye heavenly power”.

 

–GOETHE.

 

ଆଭାସ

 

ଏଇ ଭ୍ରମଣବୃତ୍ତାନ୍ତ କେଇଟି ୧୯୩୮ ଓ ୧୯୪୩ ମଧ୍ୟରେ ବିଭିନ୍ନ ସମୟରେ ଲେଖା ହୋଇଥିଲା ଏବଂ ତତ୍‍କାଳୀନ ପତ୍ରପତ୍ରିକାରେ ଆତ୍ମପ୍ରକାଶ କରିଥିଲା । ସେଥି ମଧ୍ୟରୁ ଧଉଳିପଥେ ଓ ବାରୁଣୀଯାତ୍ରୀ ନବଭାରତରେ, ନରସିଂହପୁର ସ୍ମୃତି ନବୀନରେ,ଅମରକଣ୍ଟକ ପଥେ ଓ ସନ୍ଥୈଭଞ୍ଜ ଗୁମ୍ଫା ବନବୀଣାରେ ପ୍ରକାଶ ପାଇଥିଲା ।

 

ଏ ନୂତନ ସଂସ୍କରଣରେ ଆଉ ଗୋଟିଏ ପରିଚ୍ଛଦ ‘ହୁଣ୍ଡରୁ ଓ ରାଜରୁପ୍‍ପା’ ସଂଯୋଜନ କରାହୋଇଛି । ତା’ ତତ୍‍କାଳୀନ ଉତ୍କଳସାହିତ୍ୟରେ ପ୍ରକାଶ ପାଇଥିଲା । ଖଣ୍ଡ ଭ୍ରମଣବୃତ୍ତାନ୍ତରେ ବହି ଖଣ୍ଡିକର କଳେବର ଗଢ଼ାହେଲେ ମଧ୍ୟ, ଏଇ ବହି ଖଣ୍ଡିକ ମୋର ଯାତ୍ରୀ ଜୀବନର ପ୍ରଥମ ପର୍ଯ୍ୟାୟର ଏକ ସ୍ପଷ୍ଟ ସୂଚନା ଦେବ ।

 

ଉମେଶ ପାଣିଗ୍ରାହୀ

Image

 

ଧଉଳି ପଥେ

 

ମୋର ତ ବାରବୁଲା ଜୀବନ !

 

କିନ୍ତୁ ଭାରି ଭଲଲାଗେ ମୋତେ ସେଇ ଜୀବନଟି । ସେଇ ବୁଲା ଜୀବନ ମଧ୍ୟରେ ମୁଁ ପ୍ରାଣେ ପ୍ରାଣେ ଏକ ଅଭିନବ ତୃପ୍ତି ଅନୁଭବ କରେ–ଆଉ ସେଇ ତୃପ୍ତିର ସଂଧାନ ପାଇଁ ପଥର ଆହ୍ଵାନରେ ମୁଁ କେତେବେଳେ ଯେ କେଉଁଠି ଯାଇ ଉଠେ, ତାର କିଛି ଠିକ ଠିକଣା ନ ଥାଏ ।

 

ସେଥର ଗୁଣ୍ଡିଚାକୁ କେନ୍ଦୁଝର ଗଡ଼ ଯାଇଥିଲି । ହଠାତ୍ କ'ଣ ମନେହେଲା ଏକାବେଳକେ ସାଇକେଲରେ ପୁରୀ ! ସାଥୀ ମିଳିଲେ ସିଂହଭୂମିର ଏକ ଶିକ୍ଷିତ ‘ହୋ’ (କୋହ୍ଲ) ଭାଇ–ସେ ପୁଣି ସନ୍ୟାସୀ । ତାଙ୍କ ସ୍ତ୍ରୀ ଓ ଏକମାତ୍ର ସନ୍ତାନର ମୃତ୍ୟୁ ପରେ ସେ ଏକ ଦାରୁଣ ସନ୍ୟାସୀ ଜୀବନ ବରଣ କରି ନେଇଥାନ୍ତି । ତାଙ୍କରି ସାଥିରେ ମୋର ଏଇ ନୂତନ ଯାତ୍ରାର କେଇଟା ମଧୁମୟ ଦିନ କାଟିଥିଲା ।

 

କେନ୍ଦୁଝର ଗଡ଼ରୁ ଯାଜପୁର ରୋଡ଼, କଟକ ହୋଇ ଭୁବନେଶ୍ୱର ପହଞ୍ଚି ସେଠା ନବସ୍ଥାପିତ ଉଚ୍ଚ ଇଂରାଜୀ ବିଦ୍ୟାଳୟର ଛାତ୍ରାବାସ “କଳା-କାନନ”ରେ ଆସ୍ଥାନ ଭିଡ଼ିଲୁ । ୨୯ ଜୁନ ୧୯୪୧ । ସକାଳୁ ଭୂବନେଶ୍ଵରର ସମସ୍ତ ଦର୍ଶନୀୟ ସ୍ଥାନ, ଶିବଚରଣବାବୁଙ୍କୁ (ମୋର ସାଥୀ) ଦେଖାଇ ସାରି ଖଣ୍ଡଗିରି ଉଦୟଗିରର ବୌଦ୍ଧ ଆଉ ଜୈନଗୁମ୍ଫା ପ୍ରଭୃତି ଦେଖି ଆସି ‘‘କଳାକାନନ”ରେ ଆମର ସକାଳ ଧୂପ ବଢ଼ାଇଲୁ । ତା’ ପରେ ସାଇକେଲରେ ବିଛଣାପତ୍ର ବନ୍ଧାବନ୍ଧି କାମ ଚାଲିଲା । ଅବଶେଷରେ "କଳାକାନନ" ର ବନ୍ଧୁମାନଙ୍କଠାରୁ ବିଦାୟ ଘେନି ଧଉଳିଗିରି ଅଭିମୁଖରେ ସାଇକେଲ ଚଳାଇଲୁଁ ।

 

କ୍ରମେ ଲୋକାଳୟ ପଛକୁ ପଡ଼ିଗଲା –ଏଣିକି ନିର୍ଜନ ରାଜପଥ । ଚତୁର୍ଦିଗରେ ଇତସ୍ତତଃ ବିକ୍ଷିପ୍ତ ଭଗ୍ନସ୍ତୂପ ଆଉ ଜୀର୍ଣ୍ଣ ମନ୍ଦିରର ମେଳା । କିୟତ୍ ଦୂର ଅଗ୍ରସର ହେଲାପରେ ରାସ୍ତାର ଦି’ ପାଖରେ ପଡ଼ିଲା ସବୁଜ ଧାନଖେତ, –ଆଉ କେତେବେଳେ କିମିତି ରାସ୍ତାମଝିରେ ଜଣେ ଦି’ ଜଣ ବାଟୋଇ । ଆଗରେ ଦୂର ଗାଁଗହଳି ପଛରେ ଲଣ୍ଡା ଧଉଳି ପାହାଡ଼ ଉହୁଙ୍କି ଦେଖୁଥାଏ ଆମକୁ–ସୁଦୂର ପଥଚାରୀ ଦିଓଟି ନବୀନ ପାନ୍ଥକୁ । ଯେପରି ଆମକୁ ଦେଖି କେତେ ହୃଦୟଭରା ବ୍ୟଥା ଆମ ଆଗରେ ଗାଇ ଛାତିଟିକୁ ତାର ଟିକିଏ ଉଲ୍ଲାସ କରିଦେବ ପରା ! ହୋ ଭାଇଟି ତାଙ୍କ ଜୀବନରେ ନୂତନ ସାଇକେଲ ଯାତ୍ରୀ–ତେଣୁ ସେ ନୀରବରେ କେବଳ ସାଇକେଲ ଚଳାଉ ଥାଆନ୍ତି । ମୁଁ କେତେବେଳେ କଣ ମନଖୁସିରେ ଗାଇଯାଉଥାଏ–ଦି ପାଖର ସବୁଜ ଧାନଖେତ ଉପରେ ଲହର ତୋଳି ।

 

ଚାରିମାଇଲ ପରେ ଦୟାନଦୀ । ନଈରେ ବେଶୀ ପାଣି ନ ଥାଏ । ନଈ ବାଲି ଉପରେ ଫେୟାର ଓୟେଦର ରୋଡ଼୍‍ ତିଆରି ହୋଇଥାଏ । ନଈ ପାରହୋଇ ଗୋଟିଏ ଗାଁରେ ଯାଇ ପହଞ୍ଚିଲୁ । ଗାଁଟିର ନାମ ସରଦେଇପୁର । ଏଇଠୁ ପୁରୀଯାଏ ରାସ୍ତା ଟିକିଏ ଭଲ ଆଉ ଦୈନିକ ମୋଟର ବସ୍ ମଧ୍ୟ ଯାତାୟାତ କରେ । ଏଠାରେ ଗୋଟିଏ ଡାକବଙ୍ଗଳା ବି ଅଛି ।

 

ଆମେ ଜଗନ୍ନାଥ ସଡ଼କ ଛାଡ଼ି ନଇ ବନ୍ଧେ ବନ୍ଧେ ଧଉଳିପାହାଡ଼ ଅଭିମୁଖରେ ସାଇକେଲ ଚଳାଇଲୁ । କିଛିଦୂର ଗଲାପରେ ବନ୍ଧମଝିରେ ଗାଁର ଜଣେ ଲୋକକୁ ଭେଟିଲୁ । ସେ ଆମକୁ ଅଟକାଇ, କେତେ ଦୁରରୁ ଆସିଛୁ, କୁଆଡ଼େ ଯିବୁ ଇତ୍ୟାଦି ପ୍ରଶ୍ନ ପଚାରି ନିଜ ଉତ୍କଣ୍ଠା ଦୂର କଲାପରେ ନଈ ବନ୍ଧେ ବନ୍ଧେ ନ ଯାଇ ସିଧା ସଳଖ ଗାଁ ଭିତର ରାସ୍ତାରେ ଯିବାକୁ ଆମକୁ ଉପଦେଶ ଦେଲେ । ଆମେ ବି ମିଛଟାରେ ପାଖ ରାସ୍ତା ଛାଡ଼ିଦେଇ ନଈ ବନ୍ଧଟାରେ ବୁଲୁଥିଲୁ–ଆଉ ଦୂରତ୍ୱ ବଢ଼ାଉଥିଲୁ । ତାଙ୍କୁ ଧନ୍ୟବାଦ ଜଣାଇ ବିଦାୟ ଗ୍ରହଣ କରି ଗାଁ ଗୋହିରୀକୁ ଓହ୍ଳାଇ ଆଗକୁ ବଢ଼ିଲୁ । ଗାଁଟି ଅତିକ୍ରମ କରି ପୁଣି ବନ୍ଧ ଉପରକୁ ଉଠି ଧଉଳିର ପାଦଦେଶରେ ଯାଇ ପହଞ୍ଚିଲୁ ।

 

ଧଉଳି ପାହାଡ଼ଟି ଠିକ୍ ଦୟାନଦୀର ଦକ୍ଷିଣ ତୀରକୁ ଲାଗି ଦଣ୍ଡାୟମାନ । ପ୍ରବାଦ ଅଛି ଯେ, ପୂର୍ବେ ଏହିଠାରେ ତ୍ୟାଗବୀର ମୁନି ଦଧୀଚିଙ୍କର ଆଶ୍ରମ ଥିଲା । ତାଙ୍କର ନାମାନୁଯାୟୀ ଦୟାନଦୀର ପୂର୍ବନାମ ଦଧିଭଦ୍ରା ଥିଲା ବୋଲି ଶୁଣାଯାଏ ।

 

ପାହାଡ଼ଟିର ପ୍ରକୃତ ନାମ ଧବଳ ଗିରି–ୟା’ର ପ୍ରଧାନଶୃଙ୍ଗ ତିନୋଟି । ପାହାଡ଼ଟିର ଆୟତନ ପ୍ରାୟ ଏକବର୍ଗ ମାଇଲ ହେବ । ଦେଖିଲାବେଳକୁ ତୁଚ୍ଛା ଲଣ୍ଡା ପାହାଡ଼–ଗଛ ମାଛ କିଛି ନାହିଁ । ନିକଟରେ ଦୟାନଦୀ ବହିଯାଉଛି–ଆଉ ସଙ୍ଗେ ସଙ୍ଗେ ଜନ ସମାଜକୁ ଜଣାଇ ଯାଉଛି ଯେ, ଏହିପରି ବହିଯିବାଟା ହେଉଚି ସୃଷ୍ଟିର ପରମ ଧର୍ମ । ଏଇପରି ଦିନେ ଉତ୍କଳର ଶିଳ୍ପ, ସଭ୍ୟତା, ସମୃଦ୍ଧି, ସବୁ ବହି ଚାଲିଯାଇଛି–ଦୂରକୁ, ଅତୀତର ଅତଳ ଗହରକୁ । ଚାରିପାଖରେ କେବଳ ସବୁଜ ଧାନଖେତ ଆଉ ବେତ-ବଣ-ପବନର ମୃଦୁ ହିଲ୍ଲୋଳରେ ଥରି ଥରି ଉଠୁଛି-। ଭବିଷ୍ୟତର ଆଶଙ୍କା ତାର ବି ଭରି ରହିଛି–ସେ ବି ଇମିତି କେବେ କାଳସ୍ରୋତରେ ବହିଯିବ ବୋଲି । ତା’ ମଝିରେ କାଳର କରାଳ ଦଂଶନରେ ମ୍ରିୟମାଣ ହୋଇ ମଧ୍ୟ ଧବଳଗିରି ସମ୍ରାଟ ଅଶୋକଙ୍କ ପବିତ୍ର ଆଦେଶ ବୁକୁ ଉପରେ ଧରି ନିର୍ବିକାର ଚିତ୍ତରେ ଦଣ୍ଡାୟମାନ ରହିଅଛି । କି ଚମତ୍କାର ଦୃଶ୍ୟ !

 

ଆମେ ପାହାଡ଼ର ପଶ୍ଚିମ କନ୍ଦରାରେ ଥିବା କେଇଟି ମନ୍ଦିର ପ୍ରଥମେ ଦେଖିବାକୁ ଚାଲିଲୁ । ପାଖରେ କେତେକ କୁଲି, ନଈବନ୍ଧ ମରାମତି କାମ କରୁଥିଲେ–ତାଙ୍କ ସହିତ ଦି ପଦ ଦୁଃଖସୁଖ ହୋଇ ଗୋଟିଏ ବରଗଛ ମୂଳରେ ସାଇକେଲ ଦିଓଟି ଥୋଇ ମନ୍ଦିର ନିକଟକୁ ଗଲୁ । ପାହାଡ଼ର ପାଦଦେଶରେ ତିନୋଟି ମନ୍ଦିର ଅଛି । ତାରି ଭିତରେ କେତେ କଣ ଦେବାଦେବୀ ଅଛନ୍ତି-। ‘ହୋ’ ଭାଇଟି ଦେବ ଦର୍ଶନ କରି ଅସୀମ ଆନନ୍ଦ ଉପଲବ୍‍ଧି କଲେ ।

 

ଏଇ ହେଲା ତାଙ୍କ ଜୀବନରେ ପ୍ରଥମ ମନ୍ଦିର ପ୍ରବେଶ ! ଚିହ୍ନରା ପଣ୍ଡା ପଢ଼ିଆରୀଗଣ ତାଙ୍କ ସନ୍ୟାସୀ ମୂର୍ତ୍ତି ଦେଖି ଆଉ ତାଙ୍କ ହୃଦୟର ଭକ୍ତିଭାବକୁ ମାପ କାଠିରେ ମାପି ଯୋଖି ସାନନ୍ଦରେ ତାଙ୍କୁ ପାଛୋଟି ଘେନି ଯାଆନ୍ତି–ମୋ ଆଡ଼କୁ ଚାହିଁ ବରଂ ଟିକିଏ ମୁହଁ ବୁଲାଇ ନିଅନ୍ତି । ଯା'ହେଉ ଏଇ ନୀତିରେ ମୋର ‘ହୋ’ ଭାଇଟି ଭୁବେନଶ୍ଵର, ସାକ୍ଷୀଗୋପାଳ, ପୁରୀର ପ୍ରସିଦ୍ଧ ମନ୍ଦିରମାନଙ୍କରେ ଦେବଦର୍ଶନ କରିପାରି ଥିଲେ । କେତେ କେତେ ଅନୁନ୍ନତ ସମ୍ପ୍ରଦାୟର ଲୋକେ ତଥା ହରିଜନ ଏ ସୂତ୍ରରେ ଓଡ଼ିଶାର ମନ୍ଦିର ଦ୍ଵାର ଅତିକ୍ରମ କରୁଥିଲେ, କରୁଛନ୍ତି, କରିବେ ପଛକେ, ମନ୍ଦିରର ରକ୍ଷାଧିକାରୀ ପ୍ରକାଶ୍ୟରେ ହରିଜନକୁ ମନ୍ଦିର ଭିତରକୁ ଛାଡ଼ିବେ ନାହିଁ ।

 

ହୋ ଭାଇଟି ଦେବତା ଦେଖିଲା ବେଳକୁ ମୁଁ ମନ୍ଦିର ଚାରିପାଖରେ ବୁଲି ତା’ର ନିର୍ମାଣ କଳା ଦେଖୁଥିଲି, ଆଉ ଭାବୁଥିଲି ମଣିଷ କାହିଁକି ମନ୍ଦିର ନିର୍ମାଣ କରାଏ ? କଳାବିତ୍‍ମାନଙ୍କୁ ସାହାଯ୍ୟ କରେ, ଆଉ ତା ସଙ୍ଗେ ସଙ୍ଗେ ନିଜେ ବଞ୍ଚି ରହିବାକୁ ଚାହେ । ଫଳ ମଧ୍ୟ ହୁଏ ଠିକ ସେୟା ! ସେ ନିଜ ଅର୍ଥ ବିନିମୟରେ ବଞ୍ଚି ରହେ | ଇତିହାସରେ ତାରି ନାଁଟା କଳା ଅକ୍ଷରରେ ପ୍ରକାଶ ପାଏ; ମାତ୍ର ଯେଉଁମାନେ ନିଜର ସମସ୍ତ ପ୍ରକାର ଶ୍ରମ ଆଉ ଚିନ୍ତାଧାରାର ବିନିମୟରେ କଳାର ଏଇ ମିନାରଟି ଛିଡ଼ା କରନ୍ତି, ତାଙ୍କର ଅସ୍ତିତ୍ୱ ରହେ କେଉଁଠି ? ସେମାନେ ଶେଷରେ ସମଷ୍ଟିର ଅଙ୍ଗୀଭୂତ ହୋଇ ଯାଆନ୍ତି । ଆଉ ତାଙ୍କରି ନା ମାତ୍ର ବଜାୟ ରହେ ଆମର ଏଇ କଥା ପଦକରେ– ‘‘ଆମରି ଦେଶର କାରିଗର ଏଇ ମନ୍ଦିର ତିଆରି କରିଛନ୍ତି ।’’ ଏଇସବୁ ଚିନ୍ତାଧାରା ମୋତେ ପଥର ଦେବତା ପାଖରୁ ଦୂରକୁ ଟାଣି ନେଉଥିଲା; ମାତ୍ର ଚାରୁକଳାର ପ୍ରତୀକ ସୁଦର୍ଶନ ମୂର୍ତ୍ତି ଆଡ଼କୁ ଆକର୍ଷଣ କରୁଥିଲା ।

 

ମନ୍ଦିର ଦେଖିସାରି ଆମେ ପାହାଡ଼ ଉପରକୁ ଉଠିଲୁ । ପାହାଡ଼ ଶିଖର ଦେଶରେ ପହଞ୍ଚିଲା ବେଳକୁ ଗୋଟାଏ ବେତବୁଦା ଭିତରୁ ଗୋଧିଟାଏ ବାହାରି ସଡ଼ ସଡ଼ ହୋଇ ତଳକୁ ଚାଲିଗଲା । ହୋ ଭାଇ ଚମକି ଉଠିଲେ । ମୁଁ ତାଙ୍କୁ ଏ ନିରୀହ ପ୍ରାଣୀଟି ସମ୍ବନ୍ଧରେ ବୁଝାଉ ବୁଝାଉ ପାହାଡ଼ର ଚୂଡ଼ାରେ ଥିବା ଧବଳେଶ୍ୱର ମନ୍ଦିର ନିକଟରେ ପହଞ୍ଚିଲୁ । ଏହି ପତନୋନ୍ମୁଖ ଜୀର୍ଣ୍ଣ ମନ୍ଦିର ଧଉଳି ପାହାଡ଼ର ଚୂଡ଼ାରେ ଦଣ୍ଡାୟମାନ ରହି ଦୂରରୁ ଆମର ଦୃଷ୍ଟି ଆକର୍ଷଣ କରିଥିଲା ।

 

ସେଇଠି, ସେଇ ମନ୍ଦିରର ଛାୟାତଳେ ଗୋଟିଏ ପଥର ଉପରେ ବସି ଘଡ଼ିଏ କାଳ ଚତୁର୍ଦ୍ଦିଗର ମୂକ ଓ ଗମ୍ଭୀର ଦୃଶ୍ୟରାଜି ତନ୍ମୟ ହୋଇ ଉପଲବ୍‍ଧି କଲି । ଦୂରରେ ନୀଳ ଆକାଶ ତଳେ ଭୂବନେଶ୍ୱର ଲିଙ୍ଗରାଜ ମନ୍ଦିରର ଚୂଡ଼ା ସ୍ପଷ୍ଟ ବାରି ହୋଇ ଦେଖାଯାଉଛି ! ପୁଣି ଆହୁରି ଦୂରରେ ଉଦୟଗିରି ଓ ଖଣ୍ଡଗିରର ବୌଦ୍ଧ ଏବଂ ଜୈନ କୀର୍ତ୍ତିରାଜି ଛାୟାଚିତ୍ରବତ୍‍ ପ୍ରତୀତ ହେଉଅଛି । ପାହାଡ଼ତଳରେ ଦୟାନଦୀ ଆଉ ତାର ସେପାଖରେ ବହୁଦୂରବ୍ୟାପି ଶସ୍ୟଖେତ । ତା’ରି ତଳେ ସତେ ଯେପରି ସେଦିନର ତୋଷାଳିନଗରୀ ଶୋଇଛି !

 

ନିକଟରେ ‘‘ଅଶ୍ୱତ୍‍ଥାମା ଶୈଳ’’ ! ଏଇଟି ଧଉଳି ଶ୍ରେଣୀର ଅପର ପ୍ରାନ୍ତସ୍ଥିତ ଗୋଟିଏ ଅଂଶ । ଅଶୋକଙ୍କ ଅନୁଶାସନ ଏଇ ଶୈଳର କଠିନ ପଥର ଛାତିରେ ଖୋଳା ହୋଇଛି । ତଳରେ ସାଇକେଲ ଛାଡ଼ି ଆସିଥିବାରୁ ପାହାଡ଼ରୁ ଓହ୍ଲାଇ ସାଇକେଲ ଧରି ପାହାଡ଼ ପଛ ପଟେ ବୁଲି ଚାଲିଲୁ ତା’ରି ଉଦ୍ଦେଶ୍ୟରେ । ଦୁଇ ପାଖରେ କେବଳ ବେତ ବୁଦା, ମଝିରେ ପାଦଚଲା ରାସ୍ତା । ଯଦି ବେତ କଣ୍ଟାର ସ୍ଵାଗତ ସମ୍ଭାଷଣ ଫଳରେ ଆମ ସାଇକେଲ ଆତିଥ୍ୟ ଓ ବିଶ୍ରାମ ଲାଭର ଆଶା ଛାଡ଼ି ନ ପାରି ଅଚଳ ହୁଏ, ତାହାହେଲେ ଆମର ଅବସ୍ଥା ଯେ କଅଣ ହେବ, ଏହି ଅନାଗତ ଆଶଙ୍କାରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥିଲା ।

 

ପାଖରେ ଦୁଇ ଚାରି ଘର ବସ୍ତି । ଘର ଚାଳଗୁଡ଼ିକ ସବୁ ପାଣିପାଗର ଚକ୍ରତଳେ ପେଷି ହୋଇ ଯାଇଛି । ଗୃହବାସୀ ସଭିଏଁ ତାରି ସଙ୍ଗେ ସଙ୍ଗେ ଜୀର୍ଣ୍ଣ ଶୀର୍ଣ୍ଣ ରୂପଧରି କେବଳ ମର୍ତ୍ତ୍ୟମାନବ ରୂପେ ସଜୀବ ଅଛନ୍ତି । ଦେହରେ ତାଙ୍କର ମଇଳା ପରିଧାନ–ଆଖିରେ ତାଙ୍କର କରୁଣ ଆଉ ବିସ୍ମୟଜଡ଼ିତ ଚାହାଣୀ । ଆମ ପାଖରେ କିଛି ଜଳଖିଆ ଥିଲା । ସେଇ ଭଗ୍ନପ୍ରାୟ କୁଟୀର କେଇଟିର ଜୀବନ୍ତ ଦେବତା ଶୀର୍ଣ୍ଣ ଶିଶୁ ଗୁଡ଼ିକଙ୍କ ହାତରେ ସେତକ ଧରାଇ ଦେଲୁ । ସେମାନଙ୍କର କି ଆନନ୍ଦ ! ତାଙ୍କରି ଭିତରୁ ଗୋଟିଏ ଛୋଟ ଝିଅକୁ ମୁଁ କୋଳକୁ ଉଠାଇ ନେଲି । ତା’ର ମା ଏହା ଦେଖି ଭୟରେ କି ଶ୍ରଦ୍ଧାରେ ଆସି ମୋ ପାଖରେ ଛିଡ଼ା ହେଲା, ସେଇ କେବଳ ଜାଣେ । ଆଖିରେ ତା’ର କୌତୁହଳ, ବୁକୁତଳେ ତା’ର ପୁଲକ ଆଉ ଅଧରଫାଙ୍କରେ ହସରେଖା ଫୁଟି ଉଠୁଥିଲା । ସେହି ଶୀର୍ଣ୍ଣ ମଳିନବସନା ଆଉ ଅଯତ୍ନବର୍ଦ୍ଧିତା ନାରୀର ଦେହରେ ତଥାପି ତାରୁଣ୍ୟ ଆଉ ମାତୃତ୍ଵର ପୂର୍ଣ୍ଣ ବିକାଶ ଫୁଟି ଉଠୁଥାଏ । ସେ ବହୁକଷ୍ଟରେ ତା’ ଛୁଆ ଆଡ଼କୁ ହାତ ବଢ଼ାଇ ମୋତେ ଲକ୍ଷ୍ୟ କରି କହିଲା, ‘‘ବାବୁ, ଛି ! ଏଡ଼େ ଅସନା ପିଲଟା, ପୁଣି ଅଛୁଆଁ ଆମ ପିଲାଟାକୁ ଛାଡ଼ି ଦିଅନ୍ତୁ’’ । ମୁଁ ପିଲାଟିକୁ ଛାଡ଼ିବା ତ ଦୂରର କଥା; ବରଂ ମୁହୂର୍ତ୍ତକର ଆବେଶରେ ତରୁଣୀଟିର ହାତ ଧରି ପକାଇ କହିଲି, ‘‘ଭଉଣୀ, ତୋର ପିଲାଟିକୁ କଣ ମୁଁ ଘେନି ପଳାଉଛି ! ଭଉଣୀ ହୋଇ ଭାଇକୁ ତୋର ଏତେ ବଡ଼ କଥା କହିବାକୁ କିପରି ସାହସ ହେଲା ? କିଏ କହିଲା ତୋ ପିଲା ଅସନା, ତୁ ଅଛୁଆଁ ? ସେ କଥା ହବନାହିଁ, ବରଂ ଚାଲ ତୋ ଘରେ କଣ ଅଛି ଖାଇବାକୁ ଦବୁ ।’’

ତରୁଣୀଟି ମୋ ହାତ ଭିତରୁ ତା’ ହାତ ଛଡ଼ାଇ ନେଲା ନାହିଁ ସତ; ମାତ୍ର ସେ ସଂକୋଚର ଚରମ ସୀମା ଟପି ଯାଇଥିଲା । ମୁଁ ତାକୁ ତା ଘରକୁ ଘେନିଗଲି । ତାର ପିଣ୍ଡାରେ ବସି ତାରି ଝିଅକୁ କୋଳରେ ଧରି ଯେତେବେଳେ ଶୁଖିଲା ମୁଢ଼ି ଦିଓଟି ଖାଇ ଫେରିଲି, ତାର ବୃଦ୍ଧା ମା’ କାନ୍ଦି ପକାଇଥିଲା- ମୋତେ ତା'ର କଙ୍କାଳସାର ଛାତି ଭିତରେ ଭିଡ଼ି ଧରି ମୋର କପାଳ ଉପରେ ତାର ବାତ୍ସଲ୍ୟର ଶ୍ରେଷ୍ଠ ଅବଦାନ ଆଙ୍କିଦେଇ କହିଥିଲା, “ଏ କଣ କଲୁ ପୁଅ, କାହିଁକି ମଲାବେଳରେ ମୋତେ ଏ ବନ୍ଧନରେ ବାନ୍ଧି ପକାଇଲୁ ? ପୁଣି କେବେ ଆସିବୁ ପୁଅ ?’’ –ମୋ ଆଖି ଦୁଇଟି ମଧ୍ୟ ସଜଳ ହୋଇ ଉଠିଲା ।

 

ମାଣିକ (ତରୁଣୀଟି) ଓ ଅନ୍ୟାନ୍ୟ ପ୍ରତିବେଶୀମାନଙ୍କ ପାଖରୁ ବିଦାୟ ଘେନି ଆଗକୁ ଚାଲିଲୁ । ମାତ୍ର ପଛରେ ଛାଡ଼ିଆସିଲୁ ଏକ ସରଳ ପଲ୍ଲୀଜୀବନର ମହାନ୍ ଆଉ ସୁନ୍ଦର ରୂପ | ଆଜି ମାଣିକ କେଉଁଠି, ତା' ଝିଅ ବା କେତେ ବଡ଼ ହେଲାଣି, ବୁଢୀମା'ଟି ତା’ର ବଞ୍ଚିଛି କି ନାହିଁ–ଆଉ ମୁଁ ବା କେଉଁଠି ? ମାତ୍ର ତା'ର ସ୍ମୃତି ମୋର ହୃଦୟ ଭିତରେ ଚିରଜାଗ୍ରତ ରହିଛି । ସେଦିନର କଥା ଆଜି ଭାବି ବସିଲେ ସ୍ଵପ୍ନପରି ମନେହୁଏ, ଆଉ ମନେପଡ଼େ, ପିଲାମାନଙ୍କର ସେଇ ‘‘ମାମୁଁ ଚାଲି ଯାଉଛି, ମାମୁ ଛାଲିଯାଉଛି’’ ସମବେତ ସ୍ୱର ।

 

ଜଗନ୍ନାଥ ମନ୍ଦିରର ବେଢ଼ା ପରିକ୍ରମା କଲାଭଳି ପାହାଡ଼ଟାକୁ ଥରେ ବୁଲିପଡ଼ି, ଅଶ୍ୱତ୍‍ଥାମାର ପାଦ ଦେଶରେ ପହଞ୍ଚିଲୁ । ସାଇକେଲ ଦିଓଟି ପାହାଡ଼ତଳେ ରଖି ଶିଳାଲେଖ ଦେଖିବାକୁ ପାହାଡ଼କୁ ଉଠିଲୁ । ପାହାଡ଼ର ମୂଳଦେଶରୁ ଅଳ୍ପ ଉଚ୍ଚରେ ଏହି ଶିଳାଲେଖ ଅବସ୍ଥିତ । ଗୋଟିଏ ଖଣ୍ଡଶୈଳର ଦେହକୁ କାଟି ପ୍ରାୟ ପନ୍ଦର ଫୁଟ ଦୀର୍ଘ ଓ ଦଶ ଫୁଟ ପ୍ରସ୍ଥର ପଥର ପରିଷ୍କାର ମସୃଣ କରା ହୋଇଛି–ଯେପରି ଗୋଟିଏ ସୁନ୍ଦର ପଥର କାନ୍ଥ ! ଏହି ମସୃଣ ସ୍ଥାନରେ କେଇଟି ଧାଡ଼ିରେ ଅଶୋକଙ୍କ ଅନୁଶାସନ ପାଲି ଭାଷାରେ ଖୋଦିତ ହୋଇଅଛି ।

 

ଶିଳ୍ପ କଳା ହିସାବରେ ଏହି ଶିଳାଲେଖର କୌଣସି ଗୁରୁତ୍ୱ ନ ଥିଲେ ମଧ୍ୟ, ଏହା ଯେ ଏକ ମହାର୍ଘ ଜାତୀୟ ସଂପଦ, ଏଥିରେ ସନ୍ଦେହ ନାହିଁ । ଓଡ଼ିଶା ଇତିହାସର ଗୋଟିଏ ସ୍ମରଣୀୟ ଯୁଗର ଏକ ଉଜ୍ଜ୍ୱଳ ଅଧ୍ୟାୟ ଆଜି ଏହି ହେୟ ପାହାଡ଼ର ପାଦ ଦେଶରେ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତରର ମାଟି ତଳେ ସମାଧି ଲାଭ କରିଛି ।
 

ଈଶ୍ଵରପୁତ୍ର ଖ୍ରୀଷ୍ଟ ସେତେବେଳେ ଜନ୍ମ ହୋଇ ନ ଥିଲେ । ସେହି ଅତୀତ ଦିନର କେଉଁ କ୍ଷଣରେ ଅଶୋକ ଥିଲେ ଭାରତର ସମ୍ରାଟ । ରାଜତ୍ଵର ପ୍ରାରମ୍ଭରୁ ତାଙ୍କ ରାଜ୍ୟଲିପ୍‍ସାର ନିଦର୍ଶନ ରାଜ୍ୟବାସୀଙ୍କୁ ଅସ୍ଥିର କରି ଦେଇଥିଲା । ରାଜ୍ୟାଭିଷେକର ଅଷ୍ଟମ ବର୍ଷ ନ ପୂରୁଣୁ ଅଶୋକ କଳିଙ୍ଗ ଆକ୍ରମଣ କଲେ । ପ୍ରାୟ ଦୁଇବର୍ଷ କାଳ ସେ ଏକ ପ୍ରଳୟଙ୍କର ଯୁଦ୍ଧ ଚଳାଇ ଅବଶେଷରେ କଳିଙ୍ଗ ଜୟ କଲେ । କିନ୍ତୁ ଏହି ଧ୍ୱଂସକାରୀ ଯୁଦ୍ଧର ପରିଣାମ ତାଙ୍କର ଗତିପଥରେ ଏକ ମହା ପରିବର୍ତ୍ତନ ଆଣିଦେଲା । ସେ ଦେଖିଲେ, ଏହି ଯୁଦ୍ଧ ଫଳରେ ପ୍ରାୟ ପାଞ୍ଚଲକ୍ଷ ଲେକ ହତାହତ ଓ ବନ୍ଦୀ ହେଲେ । ଅଶୋକଙ୍କ ପ୍ରାଣରେ ଏହି ନିର୍ମମତା ବଡ଼ ମର୍ମନ୍ତୁଦ ବ୍ୟଥା ଦେଲା । ସେ ୟା’ର ପ୍ରାୟଶ୍ଚିତ୍ତ ସ୍ଵରୁପ ରାଜନୈତିକ ବିଜୟର ପଥ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କଲେ । ଆଉ ଧର୍ମଦ୍ଵାରା ବିଶ୍ଵବିଜୟର ପଥ ଅବଲମ୍ବନ କଲେ । ସେତେବେଳେ ବର୍ତ୍ତମାନ ଶ୍ରୀକ୍ଷେତ୍ର ପ୍ରଧାନ ବୌଦ୍ଧତୀର୍ଥ ‘ଦନ୍ତପୁରୀ’ ଥିଲା । ଏଇ ଉତ୍କଳୀ ମାଟିର ନବ ପ୍ରେରଣାରେ ତାଙ୍କର ରଣଦୁନ୍ଦୁଭି ସେଦିନ ଶାନ୍ତ ଦୁନ୍ଦୁଭି ରୂପରେ ଭାରତର ଗଗନ ପବନ ପ୍ରତିଧ୍ୱନିତ କରି ବାଜି ଉିଠଥିଲା । ଯୁଦ୍ଧ ବିରତ ସମ୍ରାଟ ଅଶୋକ ସେଦିନ ବିଶ୍ୱ ସମ୍ମୁଖରେ ଯେଉଁ ଉଚ୍ଚ ଏବଂ ମହାନ୍ ଆଦର୍ଶ ଉପସ୍ଥାପିତ କରିଥଲେ, ଆଜି ସୁଦ୍ଧା ତାହା ଇତିହାସରେ ଅଦ୍ଵିତୀୟ ହୋଇ ରହିଛି ।

 

ଏହି ଧର୍ମ ସଂସ୍ଥାପନ ନିମନ୍ତେ ସେ ଯେଉଁ ମାର୍ଗ ଅବଲମ୍ବନ କରିଥଲେ, ତା’ ମଧ୍ୟରେ ସବୁଠାରୁ ଉପଯୋଗୀ ହୋଇଥିଲା, ଏହି ଶିଳାଲେଖ । ଏଥିରେ ସେ ନିଜର ଧର୍ମ ସମ୍ବନ୍ଧୀୟ ସିଦ୍ଧାନ୍ତ ଓ ଧର୍ମର ଅର୍ଥ ଏବଂ ବ୍ୟାଖ୍ୟା, ଆପଣାର ପ୍ରଜା ଓ ରାଜକର୍ମଚାରିଗଣଙ୍କ ପ୍ରତି ନିର୍ଦ୍ଦେଶ ଆଉ ନିଜର ଜୀବନ ସହିତ ବିଜଡ଼ିତ ପ୍ରଧାନ ଘଟଣାବଳୀ ଉଲ୍ଲେଖ କରିଥିଲେ । ଏହ ଲିପି ସମୂହରେ ସେ ନିଜ ବ୍ୟଥିତ ଦୃଦୟର ଚିନ୍ତାଧାରା ଯେପରି ସରଳ ଓ ନିଷ୍କପଟ ଭାବରେ ବ୍ୟକ୍ତ କରିଛନ୍ତି, ଆଜି ମଧ୍ୟ ଦୁଇହଜାର ବର୍ଷ ତଳେ ଖୋଦିତ ହୋଇଥିବା ଏ ଶିଳାଲେଖ ଦେଖି ସେହି ତ୍ୟାଗପୂତ ମହାନ ଆତ୍ମା ଉଦ୍ଦେଶ୍ୟରେ ଆମର ମସ୍ତକ ଗଭୀର ଶ୍ରଦ୍ଧାରେ ନତ ହୋଇଥାଏ ।

 

କଳିଙ୍ଗ ଯୁଦ୍ଧର ଅବସାନ ହେଲା । ସେତେବେଳେ କଳିଙ୍ଗ ରାଜ୍ୟ ଗଙ୍ଗାଠାରୁ ଗୋଦାବରୀ ଯାଏ ବ୍ୟାପିଥିଲା ଏବଂ ଉତ୍ତର କଳିଙ୍ଗର ରାଜଧାନୀ ଥିଲା ‘ତୋଷାଳୀ ।’ ସୁତରାଂ ଅଶୋକ ମଧ୍ୟ ଏହି ତୋଷାଳୀରେ ନିଜର ସାମ୍ରାଜ୍ୟର ପୂର୍ବ ସୀମାନ୍ତର ରାଜଧାନୀ ସ୍ଥାପନ କଲେ ଏବଂ ରାଜକୁମାର ଓ ଅମାତ୍ୟଗଣଙ୍କୁ ପଠାଇ ତାଙ୍କୁ ଅନୁଶାସନ ଅନୁଯାୟୀ ଶାସନ ଓ ରାଜ୍ୟ ପରିଚାଳନାର ଭାରଅର୍ପଣ କଲେ । ଧଉଳିର ଅନୁଶାସନରୁ ଏହାର ଆଭାସ ମିଳେ । ଆଉ ତୋଷାଳୀ ନଗର ସେ ଖଣ୍ଡଗିରି, ଉଦୟଗିରି, ଭୁବନେଶ୍ଵର ଓ ଧଉଳିର ମଧ୍ୟବର୍ତ୍ତୀ ଭୂଖଣ୍ଡରେ ଥିଲା, ତାହା ମଧ୍ୟ ଗବେଷକଗଣଙ୍କ ଲେଖାରୁ ସୂଚିତ ହୁଏ ।

 

ଅଶୋକଙ୍କ କଳିଙ୍ଗ ବିଜୟ ପରେ ଏହି ନଗରୀର ଯଶଗାଥା ଦେଶ ବିଦେଶରେ ବିଶେଷ ଖ୍ୟାତି ଲାଭ କରିଥିଲା । ଚୀନ ପରିବ୍ରାଜକଗଣ ମଧ ତୋଷାଳୀ ପରିଦର୍ଶନ କରିଥିଲେ ।

 

ସେ ଦିନ ଆଉ ନାହିଁ ! ମହାକାଳର ଉତ୍‍ଥାନପତନ ସଂଘର୍ଷଣରେ ଏହି ସମୃଦ୍ଧିଶାଳୀ ମହାନଗରୀର ଅସ୍ତିତ୍ଵ ଆଜି ଅତୀତ ଗର୍ଭରେ ମିଳାଇ ଯାଇଛି । ଆକ କେବଳ ଇତିହାସ ତାର ଅସ୍ତିତ୍ଵର ସଂଧାନରେ ବ୍ୟସ୍ତ ! –ଏଇ ତ ଜଗତର ନିୟମ !

 

ଅନୁଶାସନ ଲିପିଯୁକ୍ତ ପ୍ରସ୍ତରଖଣ୍ଡ ମଧ୍ୟ କାଳର କରାଳଦଂଶନରୁ ତ୍ରାହି ପାଇ ନାହିଁ । ସେ ମଧ୍ୟ କେତେକାଂଶରେ କ୍ଷୟପ୍ରାପ୍ତ ହୋଇଛି । ଯେଉଁ ପଥର କାଟି ଅନୁଶାସନ ଳିପି ଖୋଦିତ ହୋଇଛି, ଠିକ୍ ତାହାରି ଉପରେ ଗୋଟିଏ ବିସ୍ତୃତ ପଥର ଚଟାଣ । ଚଟାଣର ପଶ୍ଚିମ ପାଖରେ ପଥରର ଗୋଟିଏ ହାତୀର ସମ୍ମୁଖଭାଗର ସୁନ୍ଦର ମୂର୍ତ୍ତୀ । ପାହାଡ଼ର ଉପରିଭାଗ କାଟି ଏହି ମୂର୍ତ୍ତିଟି ପ୍ରସ୍ତୁତ ହୋଇଛି ନିଶ୍ଚୟ ।

 

ଅଶ୍ୱତ୍‍ଥାମା ଗିରିର ଚାରି ପାଖରେ ଅସଂଖ୍ୟ ଗୁମ୍ଫା ଭଗ୍ନାବସ୍ଥାରେ ପଡ଼ି ରହିଅଛି । ସ୍ଥାନେ ସ୍ଥାନେ ଅନ୍ୟାନ୍ୟ କୀର୍ତ୍ତିର ଭଗ୍ନାବଶେଷ ମଧ୍ୟ ଦେଖିବାକୁ ପାଇଲୁ । ସେହି ହାତୀମୂର୍ତ୍ତିର କିଛି ଦୂରରେ ଦକ୍ଷିଣକୁ ପାଞ୍ଚଟି ଗୁମ୍ଫା ଅଛି । ଏହି ଗୁମ୍ଫାଗୁଡ଼ିକୁ କେହି ବା ପଞ୍ଚ ପାଣ୍ଡବ କେହି ବା ପଞ୍ଚ ଗୋସାଇଁ ଗୁମ୍ଫା ବୋଲି କହନ୍ତି । ବୁଦ୍ଧଦେବଙ୍କର ଦାନ୍ତ ଏଠାରେ ସୁରକ୍ଷିତ ଥିଲା ବୋଲି ପ୍ରବାଦ ଅଛି- ଆଉ ପରେ ଏଠାରୁ ତାହା ସିଂହଳକୁ ସ୍ଥାନାନ୍ତରିତ ହୋଇଥିଲା । ଏହି ଗୁମ୍ଫା ବ୍ୟତୀତ ପାହାଡ଼ ଦେହରେ ଆହୁରି ବହୁତ ଗୁମ୍ଫା ରହଛି । ବର୍ତ୍ତମାନ ସେ ସବୁ ଚେମେଣିଆମାନଙ୍କର ଆବାସସ୍ଥାନ ହୋଇ ରହିଛି । କାହିଁ ଜିତେନ୍ଦ୍ରିୟ ମହାପଣ୍ଡିତ ବୌଦ୍ଧ ଶ୍ରମଣ ବା ଭିକ୍ଷୁ, ଆଉ କାହିଁ ଏହି ଚେମେଣିଆ ଚଢ଼େଇ ହାରେ ମହାକାଳର ଅଟ୍ଟହାସ !

 

ବହୁବର୍ଷ କାଳ ଗର୍ଭରେ ଲୁଚି ଯାଇଛି କିନ୍ତୁ ସେହି ଯେଉଁ ଅତୀତ ଯୁଗରେ ସମର ବୁଭୁକ୍ଷୁ ରାଜପୁତ୍ର ଏହି ଓଡ଼ିଆ ମାଟିର ଇଙ୍ଗିତରେ ମହାଶିକ୍ଷା ଲାଭ କରି ନିଜର ରାଜକୀୟ ବିଳାସ ସହ ଅସ୍ତ୍ର ସମ୍ଭାର ତ୍ୟାଗ କରି ଏହି ଧଉଳି ପାହାଡ଼ ତଳେ ନୟନର ତପ୍ତଅଶ୍ରୁ, ଢାଳି ପ୍ରାଣର ବ୍ୟଥାକୁ ଭାଷା ଦେଇଥିଲେ–ତାଙ୍କର ସେହି ଅମର ମର୍ମବାଣୀ “ସବମନିସା ପଜା ମମ’’ ଆଜି ଏହି ମୂକ ଶିଳା ଚିତ୍କାର କରି ଜଗତର ଭୌଗୋଳିକ, ଏତିହାସିକ, ପ୍ରତ୍ନତାତ୍ତ୍ୱିକ ଆଉ ଅଭିଯାତ୍ରୀଗଣଙ୍କ କାନେ କାନେ ଶୁଣାଉଅଛି । ଆଜି ସେହି ଦେବପ୍ରିୟ ପ୍ରିୟଦର୍ଶୀ ରାଜଚକ୍ରବର୍ତ୍ତୀ ଅଶୋକଙ୍କର ଏହି ତ୍ୟାଗପୂତ ଲିପି ବୁକୁରେ ଧରି କ୍ଷୁଦ୍ର ଧଉଳି ପାହାଡ଼ ହିମାଳୟର ସମ୍ମାନ ଲାଭ କରିଛି ।

 

ସେତେବେଳେ ପଶ୍ଚିମ ଆକାଶକୁ ସର୍ଯ୍ୟ ଢଳି ପଡ଼ିଥାନ୍ତି । ଆମେ ଆଉ କାଳ ବିଳମ୍ବ ନ କରି ଧଉଳି ବକ୍ଷରୁ ବିଦାୟ ନେଲୁ । ସାଇକେଲ ଧରି ପୁଣି ସେଇ ନଈବନ୍ଧ ଆଡ଼କୁ ଚାଲିଲୁ । ଆମର ଦକ୍ଷିଣ ପାର୍ଶ୍ଵର କିଛି ଦୂରରେ କୌଶଲ୍ୟାଗଙ୍ଗ ପୋଖରୀର ହୁଡ଼ା ଦେଖା ଯାଉଥିଲା । ଦିନେ ଏଇଟି ମଧ୍ୟ ଏକ ବିରାଟ ଜଳାଶୟ ଥିଲା । ଆଜି କିନ୍ତୁ ସେ ଦରପୋତା ଅବସ୍ଥାରେ ଅଛି । ବନ୍ଧ ପାଖରେ ପହଞ୍ଚି ବିଲ ଗହୀରରେ ଗୋଟିଏ ଶଗଡ଼ଦଣ୍ଡା ଧଇଲୁ । ବାଲିରେ ସାଇକେଲ ଅଚଳ ହେଲା–ଫଳରେ ସାଇକେଲ ଠେଲି ଚାଲିଲୁ । ଆଗରେ ଧଉଳି ଗାଁ–କେହି କେହି ଗଡ଼ ଧଉଳି ବୋଲି ମଧ୍ୟ କହନ୍ତି । ହୁଏତ ଦୁଇ ହଜାର ବର୍ଷ ପରେ ଏଇଟି ମଧ୍ୟ ଗୋଟିଏ ସମୃଦ୍ଧ ଗ୍ରାମ ଥିଲା ! କେତେକ ଜୀର୍ଣ୍ଣସ୍ତୂପ ଆଉ ଇତସ୍ତତଃ ବିକ୍ଷିପ୍ତ ପଥରଗଦା ଦେଖି ଏହି କଳ୍ପନା ସହଜରେ ମନ ଭିତରେ ଦୃଢ଼ୀଭୁତ ହୋଇଉଠେ ।

 

ଗାଁରେ ପହଞ୍ଚି ବିରୁଆ ଭାଇଙ୍କର ଶୋଷ ଦ୍ୱିଗୁଣ ହୋଇ ଉଠିଲା । ଗୋଟିଏ କୁଡ଼ିଆ ଦୁଆର ମୁହଁରେ ଯାଇ ପହଞ୍ଚିଲୁ । କୁଡ଼ିଆର ମାଲିକାଣୀ ଅଶିବର୍ଷର ବୁଢ଼ୀଟିଏ । ପାଖରେ ଅଣ ନାତୁଣୀଟିଏ ଛଡ଼ା ତାର ଆଉ ନିଜର ବୋଲି କେହି ନାହିଁ । ସେ ଆମକୁ ଅତି ଆନନ୍ଦରେ ପାଣି ପିଆଇବା ସଙ୍ଗେ ସଙ୍ଗେ କେତେ ଦୁଃଖ ସୁଖ ଗପି ଚାଲିଲା । ତାର କୋଟରାଗତ ଶୁଷ୍କ ଚକ୍ଷୁ ଦୁଇଟି କେଉଁ ଅତୀତ ବିସ୍ତୃତି ସ୍ମୃତିର ଅପ୍ରତ୍ୟାଶିତ ଜାଗରଣରେ ସଜଳ ହୋଇ ଉଠିଲା । ତାର ମାତୃବକ୍ଷର କରୁଣା ବିଜଡ଼ିତ ମଧୁର ବ୍ୟବହାର ଆମ ଯାତ୍ରା ପଥରେ ଏକ ପବନ ସଂଚୟ ।

 

କେତେ ପ୍ରକାର ଅତୀତର କ୍ଷୁବ୍‍ଧ ଚିନ୍ତା ଘେନି ସାଇକେଲ ଠେଲି ଗାଁ ମୁଣ୍ଡରେ ପହଞ୍ଚି, ସେଇ ଶଗଡ଼ ଦଣ୍ଡାଉପରୁ ପୁଣି ଥରେ ଧଉଳିପାହାଡ଼ ଆଡ଼କୁ ଅଶ୍ରୁସଜଳ ନୟନରେ ଚାହିଁ ନତମସ୍ତକରେ ବିଦାୟ ନେଲା ବେଳକୁ ଏକ ସମଦୁଃଖୀ ବ୍ୟଥିତ କବିଙ୍କର ହୃଦୟ ଗଭୀର ଆକୁତି ମୋର ମର୍ମ ମନ୍ଦିରତଳେ ପ୍ରତିଧ୍ୱନିତ ହୋଇ ଉଠିଥିଲା ।

 

“କହ ତେବେ ମୋତେ, ଧଉଳି ପାହାଡ଼

କହଭଲା ବାରେ ମୋ ମୁଖ ଚାହିଁ,

ଧଉଳି ଦେଶର ସେ ଦିନ ଜୀବନ

ଆସିବ କି ଆଉ ଆସିବ ନାଇଁ ?”

(ପଦ୍ମଚରଣ)

 

ପୁଣି ସରଦେଇପୁର–ସେଇ ଜଗନାଥ ସଡ଼କ । ଏଥର ଦୁଇ ବ୍ୟଥିତ ପ୍ରାଣର ଗୁରୁଭାର ବହନ କରି ସାଇକେଲ ଦିଓଟି ଦ୍ରୁତଗତିରେ ଅଗ୍ରସର ହୋଇଥିଲା–ସତ୍ୟବାଦୀ ଅଭିମୁଖରେ ।

Image

 

ବାରଣୀ ଯାତ୍ରୀ

 

ଗୋନାସିକା-ବୈତରଣୀ !

 

ବହୁଦନ ପୂର୍ବରୁ ପ୍ରବଳ ଆକାଂଙ୍‍କ୍ଷା ଥିଲା, କିପରି ଗୋନାସିକା ଦେଖିବି, କିପରି ସେହି ପୁଣ୍ୟତୀର୍ଥ କୁଳୁକୁଳୁନାଦିନୀ ପୂତ ଉତ୍କଳ-ଗଙ୍ଗା ବୈତରଣୀର ସୂତିକାଗାର ଦେଖି ଥରକ ପାଇଁ ନୟନ ମନ ସାର୍ଥକ କରି ଧନ୍ୟ ହେବି ! ଏବେ ସେଇ ଇଚ୍ଛା ଫଳବତୀ ହେଲା । ପବିତ୍ର ବାରୁଣୀ ଯୋଗରେ ଉତ୍କଳ-କୈଳାଶ ଗୋନାସିକା ଦର୍ଶନ ଭାଗ୍ୟରେ ଘଟିଲା ।

 

୧୩୪୫ ସାଲ, ଚୈତ୍ର ୧୫ ଦିନ କୃଷ୍ଣଦ୍ଵାଦଶୀ, ସୋମବାର । ସେତେବେଳେ ମୁଁ କେନ୍ଦୁଝର ରାଜ୍ୟର ରାଜଧାନୀ କେନ୍ଦୁଝର ଗଡ଼ରେ ଥାଏ । ସେ ଦିନ ଖୁବ୍ ଭୋରରୁ ଉଠି ଗାଧୋଇ ସାରି ଉଠୁଛି, ହଠାତ୍ ଗୋଟିଏ ପିଚ୍ଛିଳ ପଥର ଉପରେ ଗୋଡ଼ ପଡ଼ିବାରୁ ଖସଡିଗଲା । ମୁଁ ପଡ଼ିଗଲି । ଭାଗ୍ୟକୁ ହସିବାପାଇଁ ସେଠାରେ ଲୋକ ନ ଥିଲେ । ସେଠାରୁ ବସାକୁ ଫେରି ମୁଣ୍ଡ କୁଣ୍ଡାଉଛି ପାନିଆ ଭାଙ୍ଗିଗଲା । ଭାବିଲି, ଏ କ’ଣ ଗୋନାସିକା ଯାତ୍ରାର ଶୁଭ ସୂଚନା ?

 

ଯା’ ହେଉ ଜଳଖିଆ ଖାଇ ସାରି ଆବଶ୍ୟକୀୟ ଲୁଗାପଟା ଧରି ମୋ ଆଶାର ନନ୍ଦନ କାନନ ଗୋନାସିକା ଅଭିମୁଖରେ ଯାତ୍ରା ଆରମ୍ଭ କଲି । ସହରର ପ୍ରାନ୍ତ ଦେଶରେ ପହଞ୍ଚି , ଥରେ ବଳଦେବଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ନୁଆଇଁ କେନ୍ଦୁଝର ଗଡ଼ରୁ ବିଦାୟ ନେଲି । ମୋ ଗନ୍ତବ୍ୟ ପଥର ଦୂରରେ କେତେକ ଯାତ୍ରୀ ବାରୁଣୀ ସ୍ନାନର ପୁଣ୍ୟ ଅର୍ଜନ କରିବା ସଙ୍ଗେ ସଙ୍ଗେ ମେଳାର ଆନନ୍ଦରେ ଭାଗୀ ହେବା ପାଇଁ ଉଲ୍ଲାସରେ ଛୁଟିଥାନ୍ତି । ତାଙ୍କୁ ଦେଖି ମୋର ଗତି ଦ୍ଵିଗୁଣିତ କଲି । ମୁଁ ପୁଣି ଥାଏ ଏକୁଟିଆ, ସେତେବେଳେ ସୂର୍ଯ୍ୟୋଦୟର ରଙ୍ଗୀନ୍‍ କିରଣ ସମ୍ମୁଖର ନୀଳପାହାଡ଼ ଶ୍ରେଣୀକୁ ଏକ ବିଚିତ୍ର ରଙ୍ଗରେ ରଙ୍ଗାଇ ପକାଇ ଥାଏ । ଅଳ୍ପଦୂରରେ ଏହି ସବୁଜ ପାହାଡ଼ଶ୍ରେଣୀ ତଳେ କେନ୍ଦୁଝରର କେତେ ରାଜାଙ୍କର ଶେଷ ଶଯ୍ୟା ରଚନା ହୋଇଛି । ତା’ର ପ୍ରମାଣ ଏକ ପାଚେରୀ ଘେରା କେତୋଟି ଛୋଟ ମନ୍ଦିରର ସମଷ୍ଟି ।

 

କ୍ରମେ ସହର ଛାଡ଼ି ଗୋବରା ପାହାଡ଼ ତଳରେ ଉପସ୍ଥିତ ହେଲି । ସମ୍ମୁଖରେ, ଠିକ ସେହି ପାହାଡ଼ ତଳରେ ସିଦ୍ଧଜଗନ୍ନାଥ ମନ୍ଦିରର ରକ୍ତଧ୍ଵଜା ଗୋନାସିକା ଯାତ୍ରୀଙ୍କ ଭକ୍ତି-ଅଞ୍ଜଳି ଘେନି ତାଙ୍କୁ ଶୁଭ-ବିଦାୟ ଦେଉଥାଏ । ମୁଁ ଥରେ ତାଙ୍କରି ଉଦ୍ଦେଶ୍ୟରେ ମୁଣ୍ଡ ନୁଆଇଁ ଅଗ୍ରସର ହେଲି । ନିକଟରେ ଗୋଟିଏ ପାର୍ବତ୍ୟ ନିର୍ଝର କୁଳୁକୁଳୁ ତାନରେ ବିଶ୍ଵ-ସଙ୍ଗୀତ ମେଲି ଚାଲିଥାଏ । ତା’ରି କୂଳେ କୂଳେ ଆମ୍ବଗଛଗୁଡ଼ିଏ ଶ୍ରେଣୀବଦ୍ଧ ଭାବରେ ପଥିକଗଣଙ୍କୁ ଗାର୍ଡ-ଅଫ-ଅନାର (ସଜ୍ଜିତ ସେନାଙ୍କ ସମ୍ମାନ) ଦେଲା ପରି ଛିଡ଼ା ହୋଇଥାନ୍ତି । ଏଣିକି କ୍ରମେ ଉଠାଣି ପଡ଼ିଲା । ପାର୍ବତ୍ୟ ବନ୍ଧୁର ପଥ ଉପରକୁ ଉଠି ଯାଇଛି, ଆଉ ଉପରୁ ଓହ୍ଲାଇ ଆସିଛି ପାର୍ବତ୍ୟ ନିର୍ଝରଣୀ ଠିକ୍ ସେହି ପଥର ଧାରେ ଧାରେ ।

 

ପାହାଡ଼ଟିର ମଧ୍ୟଦେଶରେ ପହଞ୍ଚି ଦେଖିଲି, ପାଦଦେଶରୁ ପାହାଡ଼ର ଉପରିଭାଗଯାଏ ପ୍ରକୃତିର ଏକ ଅପୂର୍ବକୁଞ୍ଜ । ପାତିମାଙ୍କଡ଼ଗୁଡିଏ ସେହି କୁଞ୍ଜରେ ଅତି ଆନନ୍ଦରେ ଡିଆଁଡ଼େଇଁ କରୁଥାନ୍ତି । ଆମକୁ ଦେଖି ମୁଖ ବିକୃତ କରି ଦୁରକୁ ଚାଲିଯାଉଥାନ୍ତି । ପାହାଡ଼ର ଶିଖର ଦେଶରେ ପହଞ୍ଚିଲା ବେଳକୁ ବଡ଼ କ୍ଲାନ୍ତ ହୋଇ ପଡ଼ିଲି, ପାଦ ଆଉ ଉଠିଲା ନାହିଁ, ବସି ପଡ଼ିଲି ଏକ ପଥର ଉପରେ, ଗୋଟିଏ ଲମ୍ବା ନିଶ୍ୱାସ ମାରି । ମନେ ପଡ଼ିଗଲା ସେତେବେଳକୁ କେଉଁ ଅଜଣା କବିଙ୍କର କଥା ପଦଟି ।

 

‘‘Rich the treasure, sweet the pleasure, sweet is pleasure after pain.”

 

ପାହାଡ଼ର ଶିଖର ଦେଶରୁ କେନ୍ଦୁଝର ଗଡ଼ର ଦୃଶ୍ୟ ବି ସୁନ୍ଦର ଦେଖାଯାଥାଏ । ଯେପରି କି କାଗଜରେ ଅଙ୍କା ସୁନ୍ଦର ଛବିଟିଏ ! ତା’ ମଧ୍ୟରୁ ବଳଦେବଙ୍କ ମନ୍ଦିର ଓ ଗୁଣ୍ଡିଚା ମନ୍ଦିରଟି ଅପୂର୍ବ ଶ୍ରୀ ଧାରଣ କରିଥାଏ ।

 

ବିଶ୍ରାମର ଆଉ ବେଳ ନାହିଁ । ପୁଣି ସଙ୍ଗେ ସଙ୍ଗେ ଉଠି ସେହି ବନ ଓ ପାର୍ବତ୍ୟ ପଥ ଅତିକ୍ରମ କରି ଲକ୍ଷ୍ୟ ପଥରେ ଚାଲିଲୁ । ଉଠାଣି ସଙ୍ଗେ ସଙ୍ଗେ ଓହ୍ଲାଣି, ମଝିରେ ମଝିରେ ଟିକିଏ ସମତଳ ପ୍ରାନ୍ତର । ଏଇପରି ପ୍ରାୟ ଦୁଇ ମାଇଲ ପଥ ଅତିକ୍ରମ କରି ଏକ ପଲ୍ଲୀ ଗାଁ ଭେଟିଲି ।

 

ସେତେବେଳକୁ ମୋ ସାଥିରେ ମଧ୍ୟ ଜଣେ ଦି ଜଣ ସଙ୍ଗୀ ଯୁଟି ଯାଇଥାନ୍ତି, ତେଣୁ ମଝିରେ ମଝିରେ ଟିକିଏ ଆନନ୍ଦ ଆସୁଥାଏ । ପଥ ଅତ୍ୟନ୍ତ ବନ୍ଧୁର । ବେଳେ ବେଳେ ଗୋଟିଏ ଗୋଟିଏ ପାର୍ବତ୍ୟ ଝରଣା ପାରିହେବାକୁ ପଡ଼ୁଥାଏ । ଖରାଦିନେ ମଧ୍ୟ ଏସବୁ ଝରଣାରେ ବେଶ୍ ନିର୍ମଳ ଓ ଥଣ୍ଡା ପାଣି ଥାଏ ।

 

କିଛି ଦୂର ଯିବା ପରେ ଗୋଟିଏ ନିମ୍ନଭୂମିରେ ପ୍ରବେଶ କଲୁ । ଚାରିଆଡ଼େ ଶ୍ୟାମଳ ପର୍ବତ ଶ୍ରେଣୀ ନିଜର ଗର୍ବୋନ୍ନତ ଶିର ଟେକି ଦଣ୍ଡାୟମାନ । ମଧ୍ୟେ [ମଧ୍ୟେ] ତଇଲା * ଖେତସବୁ ବଡ଼ ସୁନ୍ଦର ଦିଶୁଥାଏ । ଆଉ ତାରି ବକ୍ଷରେ ପାହାଡ଼ର ଶିଖର ଦେଶରୁ ତଳ ପର୍ଯ୍ୟନ୍ତ ଲମ୍ବି ଆସିଥାଏ ଗୋଟିଏ ଗୋଟିଏ ଛୋଟ ମଞ୍ଚା; ଉତ୍ପନ୍ନ ଶସ୍ୟ ଜଗି ବସିବାକୁ । ଦୂରରେ ଗନ୍ଧମାଦନ ନିଜର ଉନ୍ନତ ଶିର ଟେକି ଛିଡ଼ା ହୋଇଥାଏ । ଭୂୟାଁ ଯୁବକଗଣ ବଇଁଶୀ ଧରି ସେହି ପାହାଡ଼ ଝରଣା କୂଳେ କୂଳେ ଗୋଠ ଗୋଠ ମହିଷ ଚରାଉ ଥାଆନ୍ତି ।

 

*

ପର୍ବତ ଶିଖର ଦେଶରେ କିମ୍ବା ପର୍ବତ ଦେହରେ ଜଙ୍ଗଲ କାଟି ପାହାଡ଼ି ଲୋକ ଏକପ୍ରକାର ସାମୟିକ ଖେତ କରିଥାନ୍ତି । ତାହାକୁ ତଇଲା କହନ୍ତି ।

 

ଏହିସବୁ ପ୍ରାକୃତିକ ବିଭବ ମଧ୍ୟରେ ଛ’ ସାତ ମାଇଲ ପଥ ଅତିକ୍ରମ କରି ପ୍ରାୟ ସାଢ଼େ ଦଶଟା ବେଳକୁ ମନଭଙ୍ଗା ପାହାଡ଼ର ପାଦ ଦେଶରେ ଉପସ୍ଥିତ ହେଲୁଁ । ବଡ ଧୈର୍ଯ୍ୟ ଧରି ମଝିରେ ଥରେ ବିଶ୍ରାମ କରି ପାହାଡ଼ର ଶିଖର ଦେଶରେ ପହଞ୍ଚିବା ସଙ୍ଗେ ସଙ୍ଗେ ପାହାଡ଼ର ନାମକରଣର ସାର୍ଥକତା ଅନୁଭବ କଲି । ବସିଗଲି–ପାଦ ଆଉ ବୋଲ ମାନିଲା ନାହିଁ । ଏଣେ ଭୋକରେ ପେଟ ହାଉ ହାଉ ହେଲାଣି । ପାଖରେ ଖାଇବା ଜିନିଷ କିଛି ନହିଁ । ପୁଣି ଖରା ତେଜରେ ପଥର ତାତି ନିଆଁ ହୋଇ ଗଲାଣି–ତା’ ଉପରେ ପୁଣି ବଣପୋଡ଼ି । ଏ କି ବିଶ୍ରାମ କରିବାର ସମୟ ? ମୁଣ୍ଡଝାଳ ତୁଣ୍ଡେ ମାରି ପୁଣି ଚାଲିଲୁ । କିଛିଦୂର ଗଲାପରେ ଝରଣାଟିଏ ପାରହୋଇ ଗୋଟିଏ ପାର୍ବତ୍ୟ ପଲ୍ଲୀରେ ପହଞ୍ଚିଲୁ ।

 

ରାସ୍ତା କଡ଼େ କଡ଼େ ଆଖୁଖେତ । ଗୋଟିଏ ପାର୍ବତ୍ୟ ଝରଣାକୁ ସେହି ଆଖୁ ଖେତ ମଧ୍ୟରେ କାଟିନେଇ ଜଳ ସେଚନର ଏକ ଅପୂର୍ବ ସୁବିଧା କରିଛନ୍ତି ପଲ୍ଲୀବାସୀଗଣ ।

 

ଦିନପ୍ରାୟ ବାରଟା ହେବ । ଖରା ବଡ଼ ପ୍ରଖର ହୋଇ ଯାଇଥାଏ । ବାଟଘାଟ ତାତି ଏକା ବେଳକେ ନିଆଁ । କିନ୍ତୁ ଆମର ଗତି ଚାଲିଥାଏ । ଏପରି ପ୍ରାୟ ୧୦ । ୧୧ ମାଇଲ ପଥ ଅତିକ୍ରମ କଲାପରେ ଗୋଟିଏ ଜୁଆଙ୍ଗପଲ୍ଲୀ ନିକଟରେ ପହଞ୍ଚିଲି । ସେତେବେଳେ ମୋର ସହଯାତ୍ରୀଗଣ ପଛରେ ରହିଯାଇଥିଲେ । ରାସ୍ତା ବୋଧହୁଏ ଭୁଲହେଲା ମୋର । ହଠାତ୍ ରୁକ୍ଷ ସ୍ଵରରେ ଗୋଟିଏ କର୍ମନିରତା ବୃଦ୍ଧା କହିଲା– “କେ ରେ, କେବାଟେ ଯାଉଛି ରେ ? "ଚମକି ପଡ଼ିଲି ମୁଁ । ମୋ ଛାତି କମ୍ପି ଉଠିଲା । ଉୟରେ ପଚାରିଲି ମନ୍ଦିର ଆଡ଼କୁ ରାସ୍ତା କେଉଁଟା ? ସେ ମୋତେ ବାଟ ବତାଇ ଦେଲା । ସେହି ପଲ୍ଲୀର ଉଚ୍ଚଭୂମିରୁ ଓହ୍ଳାଇଲା ମାତ୍ରକେ ମନ୍ଦିରର ଚୂଡ଼ା ଦେଖାଗଲା । ଏକ ପାଖରେ ବହୁଦୂର ବିସ୍ତୃତ ସପୁରି ବଗିଚା, ଅନ୍ୟ ପାଖରେ ଅତଣ୍ଡିବଣ ପଥିକର ନୟନ ମନ ଆକୃଷ୍ଟ କରେ । ଅଳ୍ପ ଦୂର ଯାଇ ଗୋନାସିକାର ଶିବମନ୍ଦିର ପାଖରେ ପହୁଞ୍ଚିଲି ।

 

ଗୋନାସିକା କେନ୍ଦୁଝର ଗଡ଼ଠାରୁ ପ୍ରାୟ ଦଶ ବାର ମାଇଲ ଦକ୍ଷିଣରେ ଅବସ୍ଥିତ । ଏ ସ୍ଥାନଟି ଜୁଆଙ୍ଗପୀଢ଼ର ଅନ୍ତର୍ଗତ । କେତେ ଗୁଡ଼ିଏ ପାର୍ବତ୍ୟ ଜୁଆଙ୍ଗପଲ୍ଲୀ ମିଳି ଜୁଆଙ୍ଗପୀଢ଼ ଗଠିତ-। ଏହି ପର୍ବତର ଅଧିକାଂଶ ଅଧିବାସୀ ଜୁଆଙ୍ଗ । ଏହି ସ୍ଥାନର ସମସ୍ତ ଅଂଶ ଗୋନାସିକା ନାମରେ ପରିଚିତ । ପ୍ରାୟ ୩୨୧୯ ଫୁଟ ଉଚ୍ଚ ଗୁପ୍ତଗଙ୍ଗା ପାହାଡ଼ ଶ୍ରେଣୀରୁ ବୈତରଣୀ ବାହାରି ମଝିରେ କିଛି ଦୂର ଅଦୃଶ୍ୟ ହୋଇ ଏଠାରେ ଗୋଟିଏ କୁଣ୍ଡରେ ଆତ୍ମ-ପ୍ରକାଶ କରୁଛି । ପ୍ରାୟ ଅଢ଼ାଇଶହ ବର୍ଷ ହେଲା ଏ ସ୍ଥାନଟି ଜନ ସାଧାରଣରେ ପରିଚିତ ।

 

ମନ୍ଦିର ନିକଟରେ କେତେଟି ଚାଳଘର ଅଛି । ସେଗୁଡ଼ିକ ପାନ୍ଥଶାଳାର କାମ କରେ । ସେଥି ମଧ୍ୟରେ ଗୋଟିକରେ ଯାଇ ବିଶ୍ରାମ କଲି । ଏଣେ ଭୋକରେ ପେଟ ଡହଳ ବିକଳ ହେଲାଣି-। ଅନନ୍ୟୋପାୟ ହୋଇ ମୁଢ଼ି ପଇସାଟିକର ଓ ମିଠାଇ ଦୁଇଟି ଆଣିକ୍ଷୁଧା ନିବୃତ୍ତ କଲି ।

 

ପ୍ରକୃତ ଦେବୀ ସୌନ୍ଦର୍ଯ୍ୟର ଅପୂର୍ବ ସମ୍ଭାରରେ ଏହି ଗୋପନ ସ୍ଥାନକୁ ସଜାଡ଼ି ରଖିଛନ୍ତି-। ଏହି ଗୋପନ କୈଳାଶର ସୌନ୍ଦର୍ଯ୍ୟର ଅନନ୍ତ ମାଧୁରୀ ପ୍ରାଣକୁ ଆତ୍ମହରା କରି ଏକ ଅଭୁତ ଭଗବତ୍ ଭାବରେ ବିଭୋର କରି ପକାଏ । ଚାରିଆଡ଼େ ନୀଳଧୁମ୍ର ଶୈଳମାଳା ଓ ଦିଗନ୍ତ ବିସ୍ତୃତ ବନାନୀର ଶ୍ୟାମଳିମା–ଏକ ଅପୂର୍ବ ସୌନ୍ଦର୍ଯ୍ୟ ! ସ୍ତରେ ସ୍ତରେ ସମୁଦ୍ର ତରଙ୍ଗପରି ପର୍ବତ ଶ୍ରେଣୀ- ଯେତେଦୂର ଦୃଷ୍ଟି ଯାଏ–ଦିଗନ୍ତ କୋଳରେ ଯେଉଁଠାରେ ନୀଳ ଆକାଶ ଧରଣୀ ଚୂମ୍ବନ କରିଛି, ସେହି ଦିକ୍‍ଚକ୍ରବାଳ ରେଖାର ବକ୍ଷରେ ନୀଳଶ୍ୟାମଳ ମିଶାମିଶି- ସେହି ଅନନ୍ତ ସୁଷମାର ଅପରିସୀମ ମାଧୁରୀ ପ୍ରାଣକୁ ଆବେଗରେ ଆକୁଳ କରି ପକାଏ । ମନେ ପଡ଼ିଗଲା ‘ମହାଯାତ୍ରା’ରୁ ଦିପଦ–

 

–‘‘ସୁଚାରୁ ଚପଳା ଲାସ୍ୟେ ନିରତେ ଭାସ୍ଵର,

ନିରତ ମୁଖର କେକି-କଳ-କେକା-ରବେ;

ପତ-ବୈତରଣୀ ସ୍ରୋତ ପ୍ରଭବ ଗୋନାସା,

ଋଷି ସଭା ମଧ୍ୟେ ଯହିଁ ଭାର୍ଗବ ମୁଖରୁ

ଝରେ ପୂତତର ପୂଣ୍ୟଶ୍ଳୋକ କଥାମୃତ”;–

 

କିଛିକ୍ଷଣ ବିଶ୍ରାମ କଲାପରେ କେତେଗୁଡ଼ିଏ ସଙ୍ଗୀ ପାଇ ଗୁପ୍ତଗଙ୍ଗା ଅର୍ଥାତ୍ ବୈତରଣୀର ଉତ୍ପତ୍ତି ସ୍ଥାନ ଦେଖିବା ଅଭିପ୍ରାୟରେ ଚାଲିଲୁ । ଜଣେ ସନ୍ୟାସୀ ଆମ୍ଭମାନଙ୍କର ପଥ ପ୍ରଦର୍ଶକ ହେଲେ । କିଛିଦୂର ଗଲାପରେ ପଥରର ଗୋଟିଏ ସମତଳ ସ୍ଥାନରେ ପହଞ୍ଚିଲୁ । ଏହି ସ୍ଥାନଟିକୁ ‘ଋଷିସଭା’ କହନ୍ତି । ପ୍ରବାଦ ଯେ, ଭାର୍ଗବ ଋଷି ଅନ୍ୟାନ୍ୟ ଗୋନାସିକାବାସୀ ଋଷିଗଣଙ୍କୁ ଘେନି ଏଠାରେ ଧର୍ମାଲୋଚନା କରୁଥିଲେ । ଏହି ପ୍ରାନ୍ତରର ଗୋଟିଏ ସ୍ଥାନରେ ପ୍ରାୟ ତିନିଇଞ୍ଚ ପରିଧିର ଗୋଟିଏ ଗର୍ତ୍ତ ଅଛି । ତା ମୁହଁରେ ଛୋଟ ପଥର ଢଙ୍କା ହୋଇଥାଏ । ଖରାଦିନ ଛାଡ଼ିଦେଲେ ସବୁ ସମୟରେ ଏଠାରୁ ପରିଷ୍କାର ପାଣି ଝରେ । ତା’ର ଅପର ପାର୍ଶ୍ଵରେ ସେହି ପ୍ରସ୍ତର ଗାତ୍ରରେ ଔଷଧ ବଟା ଖଲପରି ତିନି ଚାରୋଟି ଜାଗାରେ ଚିହ୍ନ ଅଛି । ଜଣାଯାଏ ଯେପରି ବହୁବର୍ଷ ପୂର୍ବେ ପ୍ରତିନିତ୍ୟ ୟାକୁ କିଏ ବ୍ୟବହାର କରୁଥିଲା । ଈଷଦୁଚ୍ଚ ଭୂମି ଅତିକ୍ରମ କରି ଗୋଟିଏ ତଇଲା ଖେତରେ ଉପସ୍ଥିତ ହେଲୁ । ଅଳ୍ପ ଦୂରରେ ସୁନ୍ଦର ଜୁଆଙ୍ଗ ପଲ୍ଲୀଟିଏ ।

 

ପ୍ରାୟ ଅଧମାଇଲ ବନ୍ଧୁରପଥ ଅତିକ୍ରମ କରି ଗୁପ୍ତଗଙ୍ଗା ପାହାଡ଼ର ପାଦଦେଶରେ ଉପସ୍ଥିତ ହେଲୁ । ସେଠାରୁ ପ୍ରାୟ ୧୫୦୦ ଫୁଟ ଉପରକୁ ଉଠିଲା ପରେ ଆମ୍ଭମାନଙ୍କ ପଥପ୍ରଦର୍ଶକ ସନ୍ୟାସୀଙ୍କ ଗୁମ୍ଫା ଭେଟିଲୁ । ଛୋଟ ଗୁମ୍ଫାଟିଏ । ଗୁମ୍ପା ମୁହଁରେ ଛୋଟ ପଲ୍ଲୀଟିଏ କରାଯାଇଛି । ସନ୍ୟାସୀ ବେଶ୍ ଆରାମରେ ଥାଆନ୍ତି । ହିନ୍ଦୀ ଭଗବତ୍‍ଗୀତା ଖଣ୍ଡିଏ ତାଙ୍କର ସାଥୀ ଓ ବଡ଼ ଧନ । ଏହି ଗୁମ୍ଫାର ଅତି ନିକଟରେ ଗୋଟିଏ ଗଛମୂଳର ପଥର ଖୋଲରୁ ‘ଉତ୍କଳ-ଗଙ୍ଗା’ ଝରି ହୋଇ ଝରି ପଡ଼ୁଛନ୍ତି । ଏହି ସ୍ଥାନରୁ ବୈତରଣୀର ଉତ୍ପତ୍ତି ।

 

ଆଜି ମୁଁ ଧନ୍ୟ ହେଲି । ସ୍ତବ୍‍ଧ ହୋଇ ବସି ପଡ଼ିଲି, ଏକ ପଥର ଉପରେ । ଦୁଇ ପାର୍ଶ୍ଵରେ ଦୁର୍ଭେଦ୍ୟ ବନାନୀ-ସମାଚ୍ଛନ୍ନ–ଶ୍ୟାମଳ–ଶୈଳମାଳା । ତା’ର ବୁକୁ ଚିରି ଝିରି ଝିରି, କୁଳୁ କୁଳୁ ତାନରେ, କେଉଁଠି ବା କ୍ଷୁଦ୍ର କ୍ଷୁଦ୍ର ପ୍ରପାତର ମୃଦୁ ନିର୍ଘୋଷରେ ବହି ଚାଲିଛି ଏହି ପବିତ୍ର ପାର୍ବତ୍ୟ ନିର୍ଝରଣୀ ଦୂର ସାଗର ଉଦ୍ଦେଶ୍ୟରେ । ଏହି ଶ୍ୟାମଳ ବନ୍ଧୁର ପାର୍ବତ୍ୟ ପ୍ରକୃତିର ବକ୍ଷ ଚୁମ୍ବନ କରି ତାର ସୌନ୍ଦର୍ଯ୍ୟ ଶତ ଗୁଣରେ ବର୍ଦ୍ଧିତ କରି । ଉଭୟ ପାର୍ଶ୍ଵରେ ଅତ୍ୟୁଚ୍ଚ ପ୍ରସ୍ତରାବଳି ମହାନ୍ ଗମ୍ଭୀର ଧ୍ୟାନମଗ୍ନ, ଯୋଗୀ ପରି ନିର୍ବିକାର ନିଶ୍ଚଳ ଭାବରେ ଦଣ୍ଡାୟମାନ । ଗଭୀର ଅରଣ୍ୟ ସମାଚ୍ଛନ୍ନ, ଲତା ଫୁଲରେ ପରିପୂର୍ଣ୍ଣ, ସୂର୍ଯ୍ୟାଲୋକ-ପ୍ରବେଶହୀନ, କଳ୍ପନାର କୁଞ୍ଜବନ, ପ୍ରକୃତିର ସ୍ଵହସ୍ତ-ରଚିତ ବନ ଦେବୀର ରମ୍ୟ ନିକେତନ–କେନ୍ଦୁଝରର ସ୍ଵର୍ଗ, ଉତ୍କଳର ଏହି କୈଳାସ-। ଏହି ନିର୍ଜନତା ବୁକୁରେ ଉପସ୍ଥିତ ହେଲେ ଦୃଦୟରେ ସ୍ୱତଃ ଭଗବତ୍ ପ୍ରେମ ଉଛୁଳି ଉଠେ । ପ୍ରାଣ ଯେପରି ଏକ ନୂତନ ରାଗିଣୀରେ ଝଙ୍କୃତ ହୃଏ । ଏହି ସ୍ଵର୍ଗୀୟ ସୁଷମା, ଭାବୁକର ପ୍ରାଣ, କବିର କାବ୍ୟ, ଆଉ ବିଶ୍ଵଚିନ୍ତାର ପ୍ରେରଣା । ଜଗତର ସମସ୍ତ ସୌନ୍ଦର୍ଯ୍ୟ ଯେପରି କି ଭଗବାନ୍ କେବଳ ଏହି ନୈସର୍ଗିକ ସମ୍ପଦ ମଧ୍ୟରେ ଢାଳି ଦେଇଛନ୍ତି । ଏଠାରେ ବିଶ୍ଵଶିଳ୍ପୀଙ୍କ ସୃଷ୍ଟିର ମୋହିନୀ ତୁଳିକାସ୍ପର୍ଶରେ କ୍ଷୁଦ୍ରଶିଳ୍ଳ୍ପୀର କଳ୍ପନା ସ୍ତବଧ, ମୁଗ୍‍ଧ, ବିସ୍ମିତ ଆଉ ନତମସ୍ତକ !

 

କ୍ରମେ ସୂର୍ଯ୍ୟ ପଶ୍ଚିମ ଚକ୍ରବାଳ ପ୍ରାନ୍ତର ପାହାଡ଼ ପଛପଟେ ଲୁଚିବାକୁ ବସିଲେ । ଏଣେ ଏ ସୌନ୍ଦର୍ଯ୍ୟପୁରୀ ଛାଡ଼ିଯିବାକୁ ମନ ହେଉନାହିଁ । ସଙ୍ଗୀମାନେ ଫେରିବାକୁ ଉଠିବାରୁ ମୁଁ ମଧ୍ୟ ଅନିଚ୍ଛାସତ୍ତ୍ୱେ ଉଠିଲି । ଆମର ପଥପ୍ରଦର୍ଶକ ସନ୍ୟାସୀ ନିଜ ଗୁମ୍ଫାରେ ଗୀତା ପାଠ କରୁଥିଲେ । କିମ୍ବଦନ୍ତୀ ଅଛି, ପୂର୍ବେ ଭାର୍ଗବ ଋଷି ଏହି ଗୁମ୍ଫାରେ ରହି ତପସ୍ୟା କରୁଥିଲେ । ସନ୍ୟାସୀଙ୍କଠୁ ମେଲାଣି ଘେନି ଆସିଲୁ । ଏଥର ପୂର୍ବୋକ୍ତ ରାସ୍ତାରେ ନ ଆସି ନିର୍ଝରିଣୀର କୂଳେ କୂଳେ ଚାଲିଲୁଁ । କେବଳ ଓହ୍ଲାଣୀ- ଟିକିଏ ଅସାବଧାନ ହେଲେ ଗୋଡ଼ ଖସି ନଦୀର ଉପଳଖଣ୍ଡମୟ ଗର୍ଭରେ ପଡ଼ିବାର ଆଶଙ୍କା । ନଦୀର ଉତ୍ପତ୍ତି ସ୍ଥାନର ଅଳ୍ପ ଦୂରରେ ଗୋଟିଏ କ୍ଷୁଦ୍ରପ୍ରପାତ ଭେଟିଲୁଁ । ନଦୀର ଶଯ୍ୟା କେବଳ ପ୍ରସ୍ତରଖଣ୍ଡରେ ପୂର୍ଣ୍ଣ । ଦୁଇ ପାଖରେ ବଡ଼ ବଡ଼ ବୃକ୍ଷ ସବୁ ମୁଣ୍ଡଟେକି ଛିଡ଼ାହୋଇଛି-। ଉପରେ ଲତାର ଶ୍ୟାମଳ ଚନ୍ଦ୍ରାତପ । ପ୍ରକୃତିର ଏହି କୁଞ୍ଜବନ ଭିତରେ କ୍ଷୀଣ ପାର୍ବତ୍ୟ ପଥ ଲମ୍ବିଚାଲିଛି । ପ୍ରାୟ ଅଧମାଇଲ ପଥ ଓହ୍ଲାଇ ପୂର୍ବୋକ୍ତ ଜୁଆଙ୍ଗ-ପଲ୍ଲୀ ‘ବାରୁଡ଼ିଆ’ ରେ ପହଞ୍ଚିଲୁ । ଏହିଠାରେ ଗୋଟିଏ ଖେତ ମଧ୍ୟରେ ଏହି ଚିରପ୍ରବାହୀ ପବିତ୍ର ଜଳସ୍ରୋତ ବନ୍ଦ ହୋଇ ଅଦୃଶ୍ୟ ହୋଇଯାଇଛି ।

 

କିମ୍ବଦନ୍ତୀ ଅଛି ଯେ, ବ୍ରହ୍ମା ବିରଜାକ୍ଷେତ୍ରରେ ଦଶାଶ୍ଵମେଧ ଯଜ୍ଞ କରୁଥିଲେ । ସେ ଯଜ୍ଞପୂର୍ଣ୍ଣ କରିବାପାଇଁ ସ୍ଵର୍ଗର ଦେବତାମାନଙ୍କ ସହିତ ଗଙ୍ଗାଙ୍କୁ ଆହ୍ୱାନ କଲେ । ଗଙ୍ଗା ନିଜର ଉତ୍ପତ୍ତି ନିମନ୍ତେ ସ୍ଥାନ ନିର୍ବାଚନ କରି ନ ପାରି ଏହି ଗୁପ୍ତଗଙ୍ଗା ପାହାଡ଼ରେ ପ୍ରକାଶ ହେଲେ । କିନ୍ତୁ ଜୁଆଙ୍ଗମାନେ ଏହି ଆଶ୍ଚର୍ଯ୍ୟ ଜଳସ୍ରୋତ ଦେଖି ଓ ଏହା ତାଙ୍କ ସ୍ଵଚ୍ଛନ୍ଦ ବିହାରର ଅନ୍ତରାୟ ହେବ ବୋଲି ଗୋଟିଏ ଗାଈକୁ କାଟି ପକାଇ ତା ମୁଣ୍ଡଟି ଝରଣା ମୁହଁରେ ଠେସ ଦେଲେ । କିନ୍ତୁ ଜଳସ୍ରୋତ ବନ୍ଦ ନ ହୋଇ ସେହି ମୁଣ୍ଡର ନାକପୁଡ଼ାବାଟେ ବାହାରିବାରୁ ଏଠାରେ ଗଙ୍ଗାଙ୍କ ନାମ ହେଲା ‘ଗୋନାସା ପ୍ରଭବା’ । ଗଙ୍ଗା ନିଜର ଜଳ ଅପବିତ୍ର ହେଲା ଭାବି କିଛିଦୂର ବହିଆସି ଏଠାରେ ଗୁପ୍ତ ହେଲେ । ଏଣୁ ଏହିଠାରୁ ତାଙ୍କର ନାମ ହେଲା ‘ଗୁପ୍ତଗଙ୍ଗା’ ।

 

ଜୁଆଙ୍ଗମାନେ ଏହି ସ୍ଥାନର ଆଦିମତମ ଅଧିବାସୀ । ଭାରତର ପୂରାତନ ପ୍ରସ୍ତରଯୁଗର ଅସ୍ତ୍ରଶସ୍ତ୍ର ମଧ୍ୟ ଏମାନେ ନିର୍ମାଣ କରିପାରନ୍ତି । ଏମାନେ ମୃଗୟାଲବ୍‍ଧ ପଶୁପକ୍ଷୀ ଓ ବନ୍ୟ ଫଳମୂଳ ଖାଇ ଜୀବନ ଧାରଣ କରୁଥିଲେ ଓ ଲଜ୍ଜ୍ୟା ନିବାରଣ ନିମନ୍ତେ ଗଛର ପତ୍ର ପିନ୍ଧୁଥିଲେ । ଏବେ ପ୍ରାୟ ୮୦ । ୯୦ ବର୍ଷ ହେବ, ରେଭେନ୍‍ସା ସାହେବଙ୍କ ଯତ୍ନରେ ଏମାନେ ଲୁଗାର ବ୍ୟବହାର ଜାଣିଲେଣି ।

 

ଜୁଆଙ୍ଗମାନେ ଦେଖିବାକୁ ସାଧାରଣତଃ ସ୍ଵାସ୍ଥ୍ୟବାନ, କିନ୍ତୁ ବଡ଼ କଦାକାର । ଏମାନେ ସ୍ୱାଧୀନତା ଓ ଶାନ୍ତିପ୍ରିୟ । ଏମାନେ ଗୋମାଂସ ଓ ମୃତ ପଶୁର ମାଂସ ମଧ୍ୟ ଖାଇଥାନ୍ତି; ଆଉ କେବଳ ତଇଲା ଚାଷ କରନ୍ତି । ହାଣ୍ଡିଆ ଖାଇ ଚାଙ୍ଗୁ ବଜାଇ ନାଚ କରିବା ୟାଙ୍କର ଦୈନିକ ଆମୋଦ ପ୍ରମୋଦ ମଧ୍ୟରେ ଗଣ୍ୟ । ଜୁଆଙ୍ଗୁଣୀମାନେ ଅଳ୍ଳ୍ପ ଖର୍ବକାୟ । ଅନେକ ଜୁଆଙ୍ଗୁଣୀଙ୍କ ଦେହର ଉପର ଅର୍ଦ୍ଧନଗ୍ନ ଥିଲେ ମଧ୍ୟ ପଥର ମାଳିରେ ଆବୃତ ଥାଏ । ଏପରି କି ସହଜରେ ତାଙ୍କ ବେକରେ କୌଣସି ଅସ୍ତ୍ରର ଚୋଟ କାଟିବ ନାହିଁ । ଏମାନେ ନାକରେ ପ୍ରାୟ ଦୁଇ ତିନି ଇଞ୍ଚ ଲମ୍ବାର ପିତଳକାଠି ଓ ହାତରୁ କହୁଣି ପର୍ଯ୍ୟନ୍ତ ଅନେକଗୁଡ଼ିଏ ପିତଳ ଖଡ଼ୁ ପିନ୍ଧନ୍ତି । ହାତ ଗୋଡ଼ ଓ ମୁହଁରେ ଏମାନେ ବହୁ ପରିମାଣରେ ଚିତା କୁଟାନ୍ତି । ଏହାଙ୍କର ସ୍ଵହସ୍ତ ରଚିତ ବାଉଁଶ ପାନିଆ ଦେଖିବାକୁ ବଡ଼ ସୁନ୍ଦର ।

 

ଜୁଆଙ୍ଗମାନଙ୍କର ଭାଷା ସ୍ଵତନ୍ତ, ବୁଝିବା ସହଜ ନୁହେଁ । ଯଥା– ଭାଇ-ବକ୍‍ । ଭଉଣୀ-ବକ୍‍ରାଏ । ପୁଅ-ଲାଣ୍ଡା । ମରଦ-କାମେଲୋ । ସ୍ତ୍ରୀ–ଜୁଆଙ୍ଗଡ଼ା । ଗାଈ-ଓଳେଇ । କୁକୁର-ସେଲେକ୍‍ । ପାଟି-ଥମତ । ନାକ-ମତେଇ । ଆଖି-ଅମଟ୍‍ । ପନିଆ-କାଟ୍‍ । ଆରଶି-ଦର୍ପଣ୍‍ । ବଳା-କାଡ଼ୁ । ବଟୁଆ-ମଳା । ଭାତ-ତଅଣ । ତରକାରୀ-ଆର୍‍ଗା । ତେଲ-ହଜନ୍‍ । ପିକା-କାହାଳିଆ । ଦୁକୁତା-ବେଜେରାଂ । ଆସ ଏଠାରେ ବସନାତୁ ଆ ବାଡ଼ କାନା । ଭାତଖାଇବ ଆସ-ୱାତଣ ବଉରେ । ମୁଁ ପାଣି ଆଣି ଯାଉଛି–ଡାଆକ୍‍ ଡାର୍‍ନା । କବିଙ୍କର କହିବା ସାର୍ଥକ ହୋଇଛି ।

 

“ଦୁର୍ଦ୍ଧର୍ଷ ଜୁଆଙ୍ଗ

ଦିଗମ୍ବର ବେଶ

ନାହଁ ତହିଁ ନୀଚ

କୂଟ ରୀତି ଲେଶ ।

ମିଥ୍ୟା ନ ଜାଣଇ

କଦାପି ଜୀବନ,

ଫଳ ମୂଳାହରୀ

ପଲ୍ଲବ ବସନ

ପର ପଦାର୍ଥରେ

ନ ଥାଏ ମାନସ,

ଉଚ୍ଛୁଳେ ହୃଦୟେ

ରାଜଭକ୍ତି ରସ ।”

 

ବାରୁଡ଼ିଆ ଗାଁ ପରେ ପୂର୍ବରାସ୍ତା ଆମେ ପାଇଲୁ । ପୁଣି ସେହି ‘ଋଷିସଭା’ ବାଟେ ପ୍ରାୟ ପାଞ୍ଚଟା ବେଳେ ବସା ନିକଟରେ ପହଞ୍ଚିଲୁ । ସେତେବେଳେ ଅନେକ ଯାତ୍ରୀ ଆସି ପହଞ୍ଚିଥାନ୍ତି । ଏଣେ ସନ୍ଧ୍ୟା ଆକାଶର ମ୍ଳାନ ଛାୟା ବନଗିରିର ଶ୍ୟାମଳିମା ଲୁଚାଇ ଧରାବକ୍ଷରେ ମାଡ଼ି ଆସୁଥିଲା-। ଅସ୍ତଗାମୀ ରବିର କନକ କିରଣ ସଙ୍ଗରେ ଆସନ୍ନସନ୍ଧ୍ୟାର ଘନ କୃଷ୍ଣବର୍ଣ୍ଣ ଆଉ ତରୁଗୁଳ୍ମ ରାଜିର ସାନ୍ଦ୍ରଶ୍ୟାମଳତା ପ୍ରକୃତି ରାଜ୍ୟରେ ଏକ ଅପୂର୍ବ ସୃଷ୍ଟି ! ସେ ନେତ୍ର-ପ୍ରୀତିକର ଛାୟା ଓ ଆଲୋକର ମହାମିଳନ ବାସ୍ତବରେ ଏକ ଅପୂର୍ବ ଦୃଶ୍ୟ–ବଡ଼ ଶାନ୍ତିପ୍ରଦ, ବଡ଼ ମନମୋହକର । ସେ ଦୃଶ୍ୟମୟ ରାଜ୍ୟ ଭିତରେ ତନ୍ମୟ ହୋଇପିବା ବଡ଼ ସ୍ଵାଭାବିକ । ସଙ୍ଗୀମାନଙ୍କ ସହ ନଦୀ କୂଳକୁ ବୁଲିବାକୁ ଯାଇ ସାନ୍ଧ୍ୟକର୍ମ ଶେଷ କଲି । ବସାକୁ ଫେରି ବନ୍ଧୁମାନଙ୍କ ରୋଷାଇରେ ଭାତ ଆଉ ପଣସ ସିଝା ଖାଇ ଆତ୍ମା ତୃପ୍ତ କରି ସେହି ପାନ୍ଥ ନିବାସରେ ବିଶ୍ରାମ ନେଲି । ସମସ୍ତ ଦିନର ପରିଶ୍ରାନ୍ତ ଶରୀର ସଙ୍ଗେ ସଙ୍ଗେ ନିଦ୍ରାଦେବୀଙ୍କ କୋମଳ ଆଲିଙ୍ଗନରେ ଅଚେତନ ହୋଇପଡ଼ିଲା ।

 

ସିନ୍ଦୁରା ଫାଟିଲା, ସକାଳ ହେଲା । କୋଇଲି ପଞ୍ଚମ ତାନରେ ଅବଶ ପ୍ରାଣରେ ଚେତନା ଆଣିଦେଲା । ବାରୁଣୀ ସ୍ନାନର ଯୋଗ ଆଜି !

 

ପ୍ରଭାତରୁ ମନ୍ଦିରରେ ଶଙ୍ଖ, ଘଣ୍ଟା, ଢୋଲ, ବାଜି ଉଠିଲା । ମୁଁ ନିତ୍ୟକର୍ମ ସାରି ବାରୁଣୀସ୍ନାନ ଉଦ୍ଦେଶ୍ୟରେ ମନ୍ଦିର ବେଢ଼ାରେ ପ୍ରବେଶ କଲି । କେତୋଟି ଦୀର୍ଘ ସୋପାନ ଶ୍ରେଣୀ ଅତିକ୍ରମ କରି ‘ବ୍ରହ୍ମକୁଣ୍ଡ’ ନିକଟରେ ପହଞ୍ଚିଲି । କୁଣ୍ଡର ଗୋଟିଏ ପାର୍ଶ୍ଵରେ ଗୋଟିଏ ଅପେକ୍ଷାକୃତ ବୃହତ୍ ପ୍ରସ୍ତରସ୍ଥିତ ଛିଦ୍ରରୁ ସ୍ଵଚ୍ଛଧାରରେ ଉତ୍କଳ-ଗଙ୍ଗା ଝରି ପଡ଼ୁଛନ୍ତି । ବୈତରଣୀ ଗୁପ୍ତହେବା ସ୍ଥାନରୁ ପ୍ରାୟ ଅଧମାଇଲ ପରେ ଏହିଠାରେ ହିଁ ପୁଣି ପ୍ରକାଶ ପାଇଛି । ଏହି କୁଣ୍ଡରେ ଗୋଟିଏ କ୍ଷୁଦ୍ର ପଥରେ ବୈତରଣୀ କ୍ଷୀଣ ଧାରରେ ଧାଇଁ ଚାଲିଛି–କ୍ରମେ ନିଜର ବକ୍ଷ ବିସ୍ତାର କରି ଦୂର ସାଗର ଆଡ଼କୁ । ଦୁଇ ପାର୍ଶ୍ଵରେ ନାନା ଜାତୀୟ ପୁଷ୍ପହୀନ ଚିରଶ୍ୟାମଳ ତରୁଗୁଳ୍ମ, ଓ ବନଫୁଲ ତା’ର ଉଭୟ କୂଳକୁ ସୁଶୋଭିତ କରିଛି । କୁଣ୍ଡର ଅପର ପାର୍ଶ୍ଵରେ ବହୁଦୂର ବିସ୍ତୃତ ପିଜୁଳି, କଦଳୀ ପ୍ରଭୂତିର ସୁନ୍ଦର ବଗିଚା । କୁଣ୍ଡଟି ପ୍ରାୟ ବହୁଦିନୁ ପରିଷ୍କାର କରାହୋଇ ନ ଥିବାରୁ ତଳେ ପଙ୍କ ବସିଯାଇଛି, ପାଣି ଟିକିଏ ଅପରିଷ୍କାର ଥିଲା । ଅନେକ ସ୍ତ୍ରୀ ପୁରୁଷ ନିଜର ମନକାମନା ସିଦ୍ଧି ଉଦେଶ୍ୟରେ ଗାଧୋଇ ସାରିଲା ପରେ ସେହି କୁଣ୍ଡରୁ ପାଣି ବୋତଲରେ ନେଇ ଯାଉଥାନ୍ତି । ‘ବଂ ବଂ, ହର ହର’ ନାଦରେ ସ୍ଥାନଟି କମ୍ପି ଉଠିଥାଏ । ମୁଁ ଗହଳି ମଧ୍ୟରେ ଗାଧୋଇବାର ସୁବିଧା ନ ପାଇ କୌଣସି ପ୍ରକାର କାକସ୍ନାନ କରି, ଲୁଗା-ପଟା ଧରି ମନ୍ଦିରକୁ ଆସି ଶ୍ରୀ ବ୍ରହ୍ମେଶ୍ଵର ମହେଶଙ୍କୁ ଦର୍ଶନ କଲି ।

 

ପ୍ରବାଦ, ଯେତେବେଳେ ଗଙ୍ଗା ନିଜକୁ ଅପବିତ୍ର ଭାବି ଆତ୍ମଗୋପନ କଲେ, ବ୍ରହ୍ମା ତାହା ଧ୍ୟାନରେ ଜାଣିପାରି ଗୋନାସିକାଠାରେ ଉପସ୍ଥିତ ହେଲେ ଓ ତାଙ୍କୁ ପବିତ୍ର କରାଇ ପ୍ରତି ଏକ କୋଶ ଦୂରରେ ଗୋଟିଏ ଲେଖାଁଏ ଶିବଲିଙ୍ଗ ସ୍ଥାପନ କରି ଯଜ୍ଞ ସ୍ଥାନରେ ପହଞ୍ଚାଇଲେ । ବ୍ରହ୍ମାଙ୍କ ଅନୁରୋଧରେ ବୈତରଣୀ ପୁଣି ଏହି କୁଣ୍ଡରେ ପ୍ରକାଶ ପାଇଲେ । ବ୍ରହ୍ମେଶ୍ୱର ମହେଶ ବୈତରଣୀ ଜନ୍ମ ସ୍ଥାନର ପ୍ରଥମ କ୍ରୋଶ ଲିଙ୍ଗ ଓ ଉକ୍ତ କୁଣ୍ଡ ନିକଟରେ ବିଦ୍ୟମାନ । ବ୍ରହ୍ମାଙ୍କ ନାମାନୁମାରେ ଏହି କୁଣ୍ଡ ‘ବ୍ରହ୍ମକୁଣ୍ଡ’ ଓ ଶିବଲଙ୍ଗ ‘ବ୍ରହ୍ମେଶ୍ଵର ମହାଦେବ’ ନାମରେ ଅଭିହିତ ହେଲେ ।

 

ଷୋଡ଼ଶ ଶତାବ୍ଦୀର ମଧ୍ୟ ଭାଗରେ କେନ୍ଦୁଝରର ତତ୍‍କାଳୀନ ରାଜା ଲକ୍ଷ୍ମୀନାରୟଣ ଭଞ୍ଜ କୁଣ୍ଡର ଚାରିଆଡ଼େ ପକା ବନ୍ଧାଇ ଦେଲେ ଓ ବ୍ରହ୍ମେଶ୍ଵର ମହେଶଙ୍କ ମନ୍ଦିର ତିଆରି କରାଇଲେ-। ତାଙ୍କର ଏ ପବିତ୍ର କୀର୍ତ୍ତି ବର୍ତ୍ତମାନ ସୁଦ୍ଧା ବିଦ୍ୟମାନ । ମନ୍ଦିର ବେଢ଼ା ମଧ୍ୟରେ ଦେବତାଙ୍କ ରୋଷଘର ଓ ମନ୍ଦିର ସଂଲଗ୍ନ ବାସୁଳୀ ମନ୍ଦିରଟିଏ ଅଛି । ଦେବୀଙ୍କ ନିକଟରେ ଆଜି ବହୁତ ବଳି ପଡ଼ୁଥାଏ । ମନ୍ଦିର ସମ୍ମୁଖରେ ଗୋଟିଏ ବିଶାଳ ଚମ୍ପାଗଛ ଛିଡ଼ା ହୋଇ ସତେ କି କେଉଁ ଅତୀତ ଯୁଗର ଗୁପ୍ତ କାହାଣୀ ସବୁ ପାନ୍ଥର କାନେ କାନେ ଶୁଣାଇ ଯାଉଛି ।

 

ସକାଳୁ ପୁଣି ନୂତନ ଯାତ୍ରୀଙ୍କ ସମାଗମ ହେଲା । ମନ୍ଦିର ବାହାରେ ଅନେକ ଛୋଟ ଛୋଟ ଦୋକାନ ବସିଲା । ବେଳ ଦଶଟା ବେଳକୁ ପ୍ରାୟ ହଜାରେ ସରିକି ଯାତ୍ରୀ ରୁଣ୍ଡ ହେଲେ । ଗୋଟିଏ ଛୋଟ ହାଟ ବସିଗଲା । ବେଶୀଭାଗରେ ଜୁଆଙ୍ଗ ଜୁଆଙ୍ଗୁଣୀଙ୍କ ସମାବେଶ ହୋଇଥାଏ । ମୋଟ ମୋଟ ବଣୁଆ କଦଳୀ, ସପୁରୀ, ପିଜୁଳି, ପଣସ ପ୍ରଭୃତି ବହୁ ପରିମାଣରେ ଆସିଥାଏ । କ୍ଷଣକାଳ ପାଇଁ ଏହି ଜନମାନବ ଶୂନ୍ୟ ଗୋପନ ପ୍ରଦେଶଟି ବିକାକିଣାର ଗୋଳରେ କମ୍ପି ଉଠିଲା ।

 

ରୋଷାଇର ଟିକିଏ ଡେରି ଥିବାରୁ ଦଧିବାମନଙ୍କ ମନ୍ଦିର ଦେଖିବାକୁ ଗଲି । ମନ୍ଦିରଟି ବ୍ରହ୍ମେଶ୍ଵର ମନ୍ଦିରର ଅଳ୍ପ ଦୂରରେ । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ବିଗ୍ରହ ଅଛି । ଏଠାରେ ମଧ୍ୟ ପୂଜାର ସୁବନ୍ଦୋବସ୍ତ ଅଛି । ରଥଯାତ୍ରା ହୃଏ । ବ୍ରହ୍ମେଶ୍ଵର ମନ୍ଦିର ନିକଟରେ ଗୁଣ୍ଡିଚା ମନ୍ଦିରଟିଏ ଅଛି । କଚ୍ଚା ଘର, ଅନ୍ୟ ସମୟରେ ପାନ୍ଥ ନିବାସର କାମ କରେ । ଦଧିବାମନ ମନ୍ଦିର ନକଟରେ ଦେବତାଙ୍କ କୋଠଘର । ସ୍ଥାନୀୟ ଦେବତାଙ୍କ ନାମରେ ଏଠାରେ କେତେକ ପାର୍ବତ୍ୟ ଜମି ଅଛି । ସେଗୁଡିକ ସବୁ ପାର୍ବତ୍ୟ ଅଧିବାସୀମାନଙ୍କ ଦ୍ଵାରା ଓ ରାଜ୍ୟସରକାର ତରଫରୁ ଚାଷ ହୁଏ । କୃଷିଲବ୍‍ଧ ଧନ ଦେବତାଙ୍କ ସମ୍ପତ୍ତି ଓ ତଦ୍ଦ୍ୱାରା ଦୈନିକ ପୂଜା, ନୀତି ଓ ପର୍ବପର୍ବାଣିର କାର୍ଯ୍ୟ ପରିଚାଳିତ ହୁଏ । ଏ କୋଠଘରେ ରାଜସରକାର ତରଫରୁ ଜଣେ ରକ୍ଷକ ଥାନ୍ତି । ଜାତିରେ କରଣ ସେ–ବଡ଼ ମିଷ୍ଟଭାଷୀ । ମୁଁ ତାଙ୍କଠାରୁ ଜୁଆଙ୍ଗମାନଙ୍କ କେତେକ ପଥର ମାଳି, କାଠ ଓ ପଥରର ଗହଣା, ବାଉଁଶ ପାନିଆ ପ୍ରଭୃତି ସଂଗ୍ରହ କରି ବସାକୁ ଫେରଲି । ରୋଷାଇ ହୋଇ ଯାଇଥିବାରୁ ସଙ୍ଗୀମାନେ ଅପେକ୍ଷା କରିଥାନ୍ତି । ଶୀଘ୍ର ଶୀଘ୍ର ଖିଆପିଆ ସାରି ପ୍ରତ୍ୟାବର୍ତ୍ତନ ପଥରେ ଯାତ୍ରୀ ହେଲୁଁ ।

 

ଗୋନାସିକା ଦେଖିଲି, ବାରୁଣୀ ସ୍ନାନର ପୁଣ୍ୟ ଅର୍ଜନ କଲି, ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କଲି । କିନ୍ତୁ ପ୍ରାଣରେ ରହିଗଲା ଗୋଟିଏ ଚିରନ୍ତନ ଆକାଙ୍‍କ୍ଷା । ଯେତେବେଳେ ବ୍ରହ୍ମେଶ୍ଵର ମନ୍ଦିରର ରକ୍ତଧ୍ଵଜା ନୟନ ପଥରୁ ଅନ୍ତର୍ହିତ ହେଲା, ସେତେବେଳେ ଏକ ଦୀର୍ଘନିଃଶ୍ଵାସ ସହ କବିଙ୍କର ଦିପଦ କଥା ମନେ ପଡ଼ିଗଲା–

 

“–ଏ ସୁଖର ମୁହିଁ ନୁହଁଇ ଭାଜନ,

ମୋ ଭାଗ୍ୟେ ଏ ସିନା ଭଙ୍ଗୁର ସ୍ୱପନ ।–’’

Image

 

ନରସିଂହପୁର ସ୍ମୃତି

 

୧୯୪୩ର ଖରାଦିନର କଥା–

 

ବଡ଼ମ୍ବା ଗଡ଼ର ‘ରଙ୍ଗମହଲ’ ରେ ଅତିଥି ହୋଇ ଦିନଟିଏ ଥିଲି । ରଙ୍ଗମହଲଟି ସତରେ ଗୋଟିଏ ରଙ୍ଗମହଲ କହିଲେ ଅତ୍ୟୁକ୍ତି ହେବ ନାହିଁ । ରଜାଙ୍କ ସଙ୍ଗେ ଖୁବ ଅଳ୍ପ ସମୟ ପାଇଁ ଭେଟ ହୋଇଥିଲା–ଭଦ୍ରଲୋକ, ଏତିକି ବୁଝିଛି–ଶୁଣିଛି ଅନେକ ଭଲ; କିନ୍ତୁ ତା’ ଉପଲବ୍‍ଧି କରିବାର ସୁଯୋଗ ପାଇନି ।

 

ତା’ପର ଦିନ ଅଖିଆ ଅପିଆ ଦିନ ଦିପହର ଖରା ମୁଣ୍ଡ ଉପରେ ଲଦି ସିଧା ସଳଖ ନରସିଂହପୁର ବାଟ ଧରିଲି । ଗୋଟିଏ ସଂକୀର୍ଣ୍ଣ ଧୂଳିମୟ ରାସ୍ତା । ହୁଏ ତ ‘ବେଠି-ଭେଟି’ ଉଠିଯିବା ଦିନୁ ଏହିପରି ଅନାଦୃତ ହୋଇ ପଡ଼ିରହିଛି । କେହି ତା’ ଆଡ଼କୁ ଚାହାନ୍ତି ନାହିଁ କି ତାର ଦୁଃଖ ଦୁର୍ଦ୍ଦଶା ପାଇଁ କେହିହେଲେ ପଦେ ମୁହଁ ଖୋଲି କହନ୍ତି ନାହିଁ । ଯଦି କେହି ବା କେବେ ମୁହଁ ଖୋଲି ପଦେଅଧେ କହିଛନ୍ତି–ସେମାନେ ବି ଏଇ ରାସ୍ତାପରି ହୋଇଛନ୍ତି ଅନାଦୃତ । ଧୂଳି ଭିତରେ ଲଥପଥ ହୋଇ ମୋର ସାଇକେଲର ଚକ ଦିଟା ବୁଲି ଚାଲିଥାଏ -ଆଉ ମୋର ଦି ପାଖରେ ଶସ୍ୟ କ୍ଷେତ, ଛୋଟ ବଡ଼ ଗାଁ, ବଣ ପାହାଡ଼ ସବୁ ପଛକୁ ପଡ଼ିଯାଉଥାଏ । ମୋ ଛଡ଼ା ଆଉ ସବୁ ଯେପରି ପଛକୁ ଛୁଟିଛନ୍ତି । ମୁଁ କେବଳ ଛୁଟି ଚାଲିଛି ଆଗକୁ–ଦୂର ଦିଗନ୍ତର ସୀମାରେଖା ଆଡ଼କୁ !

 

ଛ’ ସାତ ମାଇଲ ପରେ ବଡ଼ମ୍ବା ସୀମା ଛାଡ଼ି ନରସିଂହପୁର ମାଟି ଛୁଇଁଲି । ସେତେବେଳକୁ ପରିଷ୍କାର ଆକାଶରେ ଗୋଟିଏ କଳା ବଦଲ ମାଡ଼ି ଆସୁଥାଏ । ନରସିଂହପୁରର ସୀମାନ୍ତ ବଙ୍ଗଳା ‘ବାଲିଯୋଡ଼ି’ ? ସେଇଠି ଟିକିଏ ବିଶ୍ରାମ ନେବି, ଏଇ ଆଶାରେ ଉତ୍‍ଫୁଲ୍ଲ ହୋଇ ବାଲିଯୋଡ଼ି ପାଖରେ ପହଞ୍ଚିଲା ବେଳକୁ ଦେଖିଲି, ସଦଳବଳେ ନରସିଂହପୁରର ‘ଛାମୁ’ ସେଇ ବଙ୍ଗଳାରେ ବିଜେ ହୋଇଛନ୍ତି । ସେତେବେଳେ ପୁଣି ବିନ୍ଦୁ ବିନ୍ଦୁ ବାରି ପାତ ହେଲାଣି । ସ୍କୁଲରେ ଯାଇ ମୁଣ୍ଡ ଗୁଞ୍ଜିଲି । ଏଣେ ରାଜାଙ୍କ ସହ ସାକ୍ଷାତ ହେବା ଇଚ୍ଛାଟା ବଳବତୀ ହୋଇ ଉଠିଲା ।

 

ଦେବାନ ଶ୍ରୀ ମୁକୁନ୍ଦ ଦାସଙ୍କ ସହ ସାକ୍ଷାତ ହେଲା-ତାଙ୍କ ନିକଟରେ ମୋର ଇଚ୍ଛା ପ୍ରକାଶ କଲି । ବଡ଼ ଭଦ୍ରଲୋକ ସେ, ତାଙ୍କ ବ୍ୟବହାର ଓ ସୌଜନ୍ୟରେ ମୁଁ ମୁଗ୍‍ଧ ହୋଇଛି । ତାଙ୍କରି ଚେଷ୍ଟାରେ ରାଜାଙ୍କ ସହିତ ସାକ୍ଷାତ ହେଲା ଅବିଳମ୍ବେ । ଆଗରୁ ଭାବିଥିଲି, ହୁଏତ କହିବେ ‘ଏଇଲା ଛାମୁଙ୍କ ସମୟ ନାହିଁ’ କିମ୍ବା ଖବର ଆସିବ ‘ଛାମୁ’ ଏଇଲଗେ ‘ଶୁଳେଇ ବିଜେ’ ହେବେ, ସାକ୍ଷାତ ହୋଇପାରିବ ନାହିଁ । କିନ୍ତୁ ଦେଖିଲି–ବଡ଼ ଭଦ୍ରଲୋକ । ପ୍ରାଚୀନତାର ଭକ୍ତ ହେଲେ ମଧ୍ୟ ଆଧୁନିକ ସଭ୍ୟତାରେ ବେଶ୍ ପରିମାର୍ଜିତ । ପ୍ରଜାଗଣଙ୍କ ଚିରାଚରିତ ପ୍ରଥାରେ ସେ ‘ଛାମୁ’ ପଦବାଚ୍ୟ ହେଲେ ମଧ୍ୟ ତଥାକଥିତ ‘ଶ୍ରୀଛାମୁ’ ‘ଶ୍ରୀହଜୁର’ ବା ଶ୍ରୀମଣିମା’ ନୁହନ୍ତି । ମୋ ଭାଷାରେ ‘ସୁନ୍ଦର ଭଦ୍ରଲୋକ’ ।

 

ରାଜା ସାହେବଙ୍କ ସହ କିଛି ସମୟ ବାର୍ତ୍ତାଳାପ ହେଲା ପରେ ମୁଁ ଗଡ଼କୁ ଆସିବାପାଇଁ ବାହାରିଲି । ସେ ମଧ୍ୟ ତାଙ୍କ ସହକାରୀ ଦେବାନଙ୍କ ପାଖକୁ ମୋର ତତ୍ତ୍ଵାବଧାନ ନେବା ପାଇଁ ଖଣ୍ଡିଏ ଚିଠି ଲେଖିଦେଲେ ।

 

ପୁଣି ସେଇ ବଣ ପାହାଡ଼ିଆ ରାସ୍ତା । କିଛି ସମୟ ପରେ ଚମ୍ପେଶ୍ଵର ଗାଁ ଅତିକ୍ରମ କଲି-। ରାସ୍ତା ଦି’ ପାଖରେ ସୁନ୍ଦର ଶସ୍ୟ ଖେତ–କେଉଁଠି କେମିତି କ୍ଷେତରେ ଗହମ ପାଚି ପବନ ସୁଅରେ ଝୁଲୁଥାଏ । ବାଟରେ ଲକ୍ଷଣ ପରମଗୁରୁଙ୍କ ସହ ଦେଖା ହେଲା–ସେ ଚମ୍ପେଶ୍ଵରବାସୀ ଜଣେ ବ୍ରାହ୍ମଣ କୃଷକ । ତାଙ୍କଠାରୁ ଶୁଣିଲି ୟା’ପୂର୍ବରୁ ଏଇ ଖେତ ସବୁ ବାଲିପୋତ ହୋଇ ରହୁଥିଲା । ଫସଲର ସୁବିଧା ଲୋକେ କରୁ ନ ଥିଲେ । ଏବେ ଏହି ରାଜାଙ୍କ ଅମଳରେ କୃଷିର ଯଥାସମ୍ଭବ ଉନ୍ନତି ହୋଇଛି ।

 

ସଞ୍ଜବେଳକୁ ଗଡ଼ରେ ପହଞ୍ଚି କ୍ଲବ ଘରେ ରହିଲି । ସହକାରୀ ଦେବାନ ଶ୍ରୀ ଲିଙ୍ଗରାଜ ମିଶ୍ର ମହାଶୟ ଯଥେଷ୍ଟ ଯତ୍ନ ନେଲେ । ସ୍ଥାନୀୟ ଡାକବଙ୍ଗଳାଟି ସେତେବେଳେ ଅନ୍ୟ ଲୋକଙ୍କ ଦ୍ଵାରା ଅଧିକୃତ ଥିବାରୁ ସେମାନେ ମୋ ପାଇଁ ଅନ୍ୟ ଗୋଟିଏ ସୁବିଧା ସ୍ଥାନର ବ୍ୟବସ୍ଥା କରି ପରେ ସେଠାକୁ ନେଇ ଯାଇଥିଲେ । ଅତିଥିଭବନ ‘ଇନ୍ଦ୍ର ଭବନ’ ଲୋକାଳୟର ଦୂରରେ ଥିବାରୁ ମୁଁ ସେଠାରେ ରହିବା ନାପସନ୍ଦ କରିଥିଲି ।

 

ନରସିଂହପୁର ପୂର୍ବ ଗଡ଼ଜାତ ଅଞ୍ଚଳର ଛୋଟ ରାଜ୍ୟଟିଏ ! କ୍ଷେତ୍ରଫଳ ମାତ୍ର ୨୦୭ ବର୍ଗ ମାଇଲ । ଲୋକ ସଂଖ୍ୟା ୪୮, ୪୪୮ ଆୟ ୧, ୨୯,୮୮୭ ଙ୍କା । ନରସିଂହପୁର ପୂର୍ବରେ କେବଳ କନ୍ଧମାନଙ୍କର ରାଜ୍ୟ ଥିଲା ଏବଂ ଅରାଟ ନାମରେ ଅଭିହିତ ଥିଲା । ୧୩୧୨ ଖ୍ରୀ: ରେ ଧର୍ମସିଂହ ନାମକ ଏକ ରାଜପୁତ୍ ବୀର ଦେବୀଙ୍କଠାରୁ ସ୍ଵପ୍ନାଦେଶ ପାଇ ଅରାଟର ଦୁଇ କନ୍ଧ ସର୍ଦ୍ଦାର ନରସିଂହ ଜେନା ଓ ପୁର ଜେନାକୁ ମାରି ସ୍ଵୟଂ ରାଜା ହେଲେ ଏବଂ ଅରାଟର ନାମ ପରିବର୍ତ୍ତରେ ନରସିଂହପୁର ନାମ ରଖିଲେ । ଏହି ରାଜବଂଶର ପଞ୍ଚଦଶ ରାଜା ଦୟାନିଧି ସିଂହଙ୍କ ସମୟରେ (୧୬୭୫-୧୬୮୭) ପୁରୀ ଏବଂ କୁଜଙ୍ଗ ରାଜାଙ୍କ ମଧ୍ୟରେ ଯୁଦ୍ଧ ବିଗ୍ରହ ହୋଇଥିଲା । ରାଜା ଦୟାନିଧି ପୁରୀ ରାଜାଙ୍କୁ ସମୟୋଚିତ ସହାୟତା ଦେଇ ଥିବାରୁ ‘ମାନସିଂହ ହରିଚନ୍ଦନ ମହାପାତ୍ର’ ଉପାଧି ପାଇଥିଲେ । ବର୍ତ୍ତମାନ ରାଜା ଶ୍ରୀ ଅନନ୍ତନାରାୟଣ ମାନସିଂହ ହରିଚନ୍ଦନ ମହାପାତ୍ର ନରସିଂହପୁର ଅଧୀଶ୍ଵର ଏବଂ ଏହି ରାଜ ବଂଶର ୨୬ଶ ରାଜା ।

 

ନରସିଂହପୁର ଗଡ଼ଟିର ଅବସ୍ଥିତ ବେଶ୍ ସୁନ୍ଦର ସ୍ଥାନରେ । ଚାରିଆଡ଼େ ପାହାଡ଼ ଘେରା-। ରାଜବାଟୀଟି ଲୋକାଳୟର ଶେଷ ପ୍ରାନ୍ତରେ ଗୋଟିଏ ଛୋଟ ସ୍ରୋତସ୍ୱିନୀ କୂଳରେ ତିଆରି ହୋଇଛି । ଗଡ଼ରେ କଚେରୀ, ଡାକ୍ତରଖାନା, ପଶୁଡାକ୍ତରଖାନା, ଡାକବଙ୍ଗଳା, ପୋଷ୍ଟ ଅଫିସ୍ ପ୍ରଭୃତି ବିଶିଷ୍ଟ ଅନୁଷ୍ଠାନମାନ ଅଛି । ୟା’ ବ୍ୟତୀତ ଗଡ଼ରେ ଗୋଟିଏ ମଧ୍ୟଇଂରାଜୀ ବିଦ୍ୟାଳୟ, ଗୋଟିଏ ବାଳିକା ସ୍କୁଲ, ଗୋଟିଏ ସଂସ୍କୃତ ଟୋଲ ଆଉ କର୍ମକାଣ୍ଡ ବିଦ୍ୟାଳୟ ଅଛି । ଷ୍ଟେଟ ମଧ୍ୟରେ ଚାରୋଟି ଉଚ୍ଚ ପ୍ରାଥମିକ, ପଚିଶଟି ନିମ୍ନ ପ୍ରାଥମିକ ଏବଂ ଆଉ ଗୋଟିଏ ବାଳିକା ବିଦ୍ୟାଳୟ ଅଛି । ଗଡ଼ ଡାକ୍ତରଖାନାରେ ଜଣେ ନର୍ସ ଅଛନ୍ତି । କୁଷ୍ଠ ରୋଗୀମାନଙ୍କୁ ଔଷଧ ଦିଆଯାଏ । ଏବେ ଗଡ଼ରେ ଗୋଟିଏ ‘ମାତୃମନ୍ଦିର’ ପ୍ରତିଷ୍ଠିତ ହେଉଛି ଏବଂ କୁଟୀର ଶିଳ୍ପ ପାଇଁ ‘ଅନନ୍ତ ନାରୟଣ କୁଟୀର ଶିଳ୍ପ’ ଅନୁଷ୍ଠାନ ଅଛି ।

 

ଗଡ଼ରେ ଗୋଟିଏ ଦିନ ବିଶ୍ରାମ ନେଇଥିଲି । ସେ ଦିନ ଗାଉଁଲି ଗୀତ ସଂଗ୍ରାହକ ଓ ସୁପରିଚିତ ଲେଖକ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ରଙ୍କ ସହ ଆଳପ ପରିଚୟ ହେଲା । ସେ ମୋ ନରସିଂହପୁର ଭ୍ରମଣରେ ମୋତେ ସାଙ୍ଗରେ ନେଇ ସବୁକଥା ଦେଖାଇବେ ବୋଲି ଲିଙ୍ଗରାଜ ରଥ ବାବୁ ତାଙ୍କୁ ସୂଚନା ଦେଇଥିଲେ । ମୋତେ ଏକ ସୁବର୍ଣ୍ଣ ସୁଯୋଗ ମିଳିଗଲା । ମହାପାତ୍ରଙ୍କ ଘର ଏଇ ନରସିଂହପୁର ଗଡ଼ ନିକଟସ୍ଥ ଏକ ବ୍ରାହ୍ମଣ ଶାସନରେ । ସେ ବର୍ତ୍ତମାନ ଏଠା ସରକାରଙ୍କ ଦେବୋତ୍ତର ବିଭାଗର ଜଣେ ଅଫିସର । ମହାପାତ୍ରଙ୍କ ଉଜ୍ଜଳ ପ୍ରତିଭା ନରସିଂହପୁରର ଦେବୋତ୍ତର ବିଭାଗର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରେ ସୀମାବଦ୍ଧ । ତାଙ୍କୁ ଦେଖି ମନ ଭିତରେ ଦୁଃଖ ଆସିଥିଲା । ତଥାପି ସେତିକିରେ ସେ ସନ୍ତୁଷ୍ଟ, ରାଜାଙ୍କ ପ୍ରତି ସେ କୃତଜ୍ଞ |

 

“ବାଣେଶ୍ଵର-ନାସୀ”–ନରସିଂହପୁରର ଏକ ଶ୍ରେଷ୍ଠ ଦ୍ରଷ୍ଟବ୍ୟ ସ୍ଥାନ । ମହାନଦୀ ଗର୍ଭ ଭିତରେ ବଡ଼ମୁଣ୍ଡିଆଟିଏ । ଆମେ ହାତୀରେ ବସି ସେଠାକୁ ଯାଇଥିଲୁ । ମୋ ସାଥିରେ ଥିଲେ ବନ୍ଧୁ ଚକ୍ରଧର ବାବୁ ଆଉ ଲିଙ୍ଗରାଜ ବାବୁଙ୍କ ବନ୍ଧୁ ପୁରୀବାସୀ ଏକ ସଂସ୍କୃତ ପଣ୍ଡିତ । ସହର ଛାଡ଼ି ଆମେ ପଦଚଲା ବାଟ ଧରିଲୁ । ହାତୀ ଦୋହଲି ଦୋହଲି ଚାଲୁଥାଏ, ବନ୍ଧୁର ବନ୍ୟପଥ ଅତିକ୍ରମ କରି । ବାଟ ପାଖରେ ଛୋଟବଡ଼ ପଲ୍ଲୀ ଗାଁ ସବୁ ପଛକୁ ପଡ଼ି ଯାଉଥାଏ । ଗାଁର ସାନ ସାନ ପିଲାମାନେ ଧାଇଁ ଆସି ‘ହାତୀରେ, ହାତୀରେ’ କହି ପଛେ ପଛେ ଗୋଡ଼ାଉ ଥାଆନ୍ତି । ଆଉ ବେଳେବେଳେ ହାତୀଖୋଜିରୁ ଧୂଳି ନେଇ ମୁଣ୍ଡରେ ଲଗାଉଥାଆନ୍ତି–ଲକ୍ଷ୍ମୀଙ୍କ ବାହନ ଦେଖିଲେ ବୋଲି କେଡ଼େ ଖୁସି ହେଉ ଥାଆନ୍ତି ।

 

ମହାପାତ୍ରେ ଉତ୍କଳଭାରତୀ କୁନ୍ତଳା କୁମାରୀଙ୍କ ବିଷୟରେ ବହୁ କଥା ଶୁଣାଉ ଥାଆନ୍ତି । ମୁଁ ମଧ୍ୟ ତାଙ୍କ ଘରକୁ ଦିନେ ନିମନ୍ତ୍ରିତ ହୋଇ ଯାଇଥିଲି ଖାଇବାକୁ । ସେଇଠି ମହାପାତ୍ରେ ମୋତେ କୁନ୍ତଳାଙ୍କ ପ୍ରାୟ ଶତାଧିକ ଚିଠି ଦେଖାଇଥିଲେ । ଚନ୍ତ୍ରଧରବାବୁ କୁନ୍ତଳାଙ୍କ ଜୀବନୀ ଲେଖିଲେ ଭଲ ହୁଅନ୍ତା ବୋଲି ମୋର ବିଶ୍ୱାସ ।

 

ଖରାତେଜ ମୁଣ୍ଡରେ ବୋହି ଆମେ ହାତୀ ପିଠିରେ ବସି ଥାଉଁ, ଆଉ ହାତୀ ମହାନଦୀର ବନ୍ଧ ଉପରେ ଚାଲୁଥାଏ । ଏହି ମହାନଦୀ ବନ୍ଧଟି ରାଜା ଅନନ୍ତ ନାରୟଣଙ୍କ କୀର୍ତ୍ତି । ମହାନଦୀର କୂଳେ କୂଳେ ନରସିଂହପୁରର ସୀମାରେ ଏହି ବନ୍ଧଟି ତିଆରି ହୋଇଛି । ବନ୍ଧ ଯେତେବେଳେ ନ ଥିଲା–ନରସିଂହପୁରର ଏକତୃତୀୟାଂଶ ଜମି ମହାନଦୀର ବନ୍ୟାରେ ବାଲିପୋତ ହୋଇ ରହୁଥିଲା । ବର୍ତ୍ତମାନ କିନ୍ତୁ ଏହି ବନ୍ଧର ଆର୍ଶୀବାଦରୁ ସେଇ ଜମି ଶସ୍ୟଶ୍ୟାମଳ-

 

ବନ୍ଧର ଗୋଟିଏ ପାଖରେ ନଦୀ ଆଉ ଆରପାଖରେ ତା’ରି ଦେହରେ ତଳକୁ ତଳକୁ ହୋଇ ଚାରି ପାଞ୍ଚ ଧାଡ଼ିରେ ନଡ଼ିଆ ଚାରା ସବୁ ଲାଗିଛି । ବ୍ୟବସ୍ଥାଟି ବଡ଼ ସୁନ୍ଦର । ହୁଏତ କେତେ ବର୍ଷ ପରେ ଏହି ଶ୍ରେଣୀବଦ୍ଧ ନଡ଼ିଆ ଜଙ୍ଗଲ ଏଇ ବନ୍ଧ ପିଛାରେ ଯାହା ଖର୍ଚ୍ଚ ହୋଇଛି, ତାହା ଆଦାୟ ଦେବ । ଆମେ ଠିକ ମୁଣ୍ଡେ ବେଳକୁ ନଦୀ କୂଳର ପଦାମାଳପାଟଣାରେ ଥିବା ‘ବସନ୍ତ ନିବାସ’ ବଙ୍ଗଳାରେ ପହଞ୍ଚିଲୁ । ଆମର ଆସିବା ଖବର ଗଡ଼ଠାରୁ ଫୋନ ଯୋଗେ କାନପୁରକୁ ପଠାଯାଇଥିଲା । ସୁତରାଂ ସେଠାରୁ ଲୋକ ଆସି ଆମ ଖାଦ୍ୟପେୟ ପ୍ରସ୍ତୁତ କରି ରଖିଥିଲେ । କାନପୁର ନରସିଂହପୁରର ଅନ୍ୟତମ ବଡ଼ ଗାଁ । ଥାନା ଓ ଡାକ୍ତରଖାନା ଅଛି–ଏଠାରୁ ଖୁବ୍‍ ନିକଟରେ ।

 

ଆମେ ସେଦିନ ଉପରଓଳି ନଦୀଗର୍ଭସ୍ଥ ବାଣେଶ୍ଵର ନାସୀ ଉପରେ ଉଠିଥିଲୁ । ସେଠାରେ ବହୁତ ବୌଦ୍ଧକୀର୍ତ୍ତି ଦେଖିବାକୁ ପାଇଲୁ । ପାହାଡ଼ ଉପରେ ଅନେକ ପୂର୍ଣ୍ଣାଙ୍ଗ, ବିକଳାଙ୍ଗ ମୂର୍ତ୍ତି ସବୁ ରହିଛି । ତାରି ଭିତରେ ଗୋଟିଏ ନାରୀ ମୂର୍ତ୍ତି ବଡ଼ ସୁନ୍ଦର ଲାଲ ପଥରରେ ତିଆରି । ଏପରି ସୁନ୍ଦର ମୂର୍ତ୍ତି ମୁଁ ୟା’ପୂର୍ବରୁ ଅନ୍ୟ କୌଣସି ଷ୍ଟେଟରେ ଦେଖି ନ ଥିଲି । ଏଠାରେ ପୁରୁଣା ଇଟା ଆଉ ମାଟିର ପୁରୁଣା ବାସନ ପ୍ରଭୃତି ବାହାରୁ ଥିବାର ଦେଖିଲି । ଦଶପଲ୍ଲାର କେଶରୀଗଡ଼ ଆଉ ରାଣୀଭୂଇଁରେ ମଧ୍ୟ ଠିକ ଏଇପରି ଇଟା ଆଉ ମାଟି ପାତ୍ର ଦେଖିଛି । ଏଇ ଦୁଇ ସ୍ଥାନ ପରସ୍ପରର ସମସାମୟିକ ନିଶ୍ଚୟ । ବର୍ତ୍ତମାନ ରାଜାଙ୍କ ଅର୍ଥାନୁକୁଲ୍ୟରେ ଏଇ ନାସୀ ଉପରେ ଗୋଟିଏ ଶିବ ମନ୍ଦିର ନର୍ମାଣ ଚାଲିଛି ।

 

ରାତ୍ରିରେ ‘ବସନ୍ତ ନିବାସ’ରେ ରହଣି ହେଲା । ଜୋସ୍ନାରାତି, ଆଗରେ ମହାନଦୀର ବିସ୍ତୃତ ବାଲୁକା ବକ୍ଷ-ତାରି ଭିତରେ ବାଣେଶ୍ଵର ନାସୀ । ଆଗରେ ଖଣ୍ଡପଡ଼ା, ଦଶପଲ୍ଲାର ଉତ୍ତୁଙ୍ଗ ପର୍ବତମାଳା-ଦୂରରେ ମଣିଭଦ୍ରାର ତୀକ୍ଷ୍‍ଣ ଶୃଙ୍ଗ । ମହାନଦୀ ବକ୍ଷରେ ଚକୁଆ ଚକୋଇର କେଳିରବ, ଆଉ ଅଦୂରର ନୀଳ-ମାଧବ ମନ୍ଦିରର ଶଙ୍ଖ, ଘଣ୍ଟା, ଧ୍ୱନି–ସବୁ ମିଶି ସେଦିନ ଯେଉଁ ଆନନ୍ଦ ଦେଇଥିଲା ପ୍ରାଣରେ, ଦଶପଲ୍ଲାର ସାତକୋଶିଆକୁ ଛାଡ଼ିଦେଲେ ଏତେ ଆନନ୍ଦ ଆଉ କେଉଁ ଦେଶୀୟ ରାଜ୍ୟର ସୌନ୍ଦର୍ଯ୍ୟପୁରୀରେ ଉପଲବ୍‍ଧି କରିନାହିଁ ।

 

ପରଦିନ ଚମ୍ପେଶ୍ଵର ହୋଇ ଗଡ଼କୁ ଫେରିଲୁ । ଚମ୍ପେଶ୍ଵରରେ ଚାଣାନାଥ ଶିବଙ୍କ ମନ୍ଦିର-। ମନ୍ଦିର ବେଢ଼ାରେ ଅନେକ ଦେବ ବିଗ୍ରହ ଅଛନ୍ତ । ତନ୍ମଧ୍ୟରୁ ସୂର୍ଯ୍ୟଦେବ ଓ ଛାୟାଦେବୀଙ୍କ ମୂର୍ତ୍ତି ବଡ଼ ଚିତ୍ତାକର୍ଷକ । ସେ ଦିନ ଚକ୍ରଧର ବାବୁ ଟିକିଏ ଅସୁସ୍ଥ ହୋଇ ପଡ଼ିଲେ । ସନ୍ଧ୍ୟାରେ ପଣ୍ଡିତଙ୍କ ସହ ମୁଁ ଗଡ଼ର ହନୁମାନ ମୁଣ୍ଡିଆ, ବିଶ୍ଵନାଥ ଶିବ ମନ୍ଦିର ପ୍ରଭୃତି ଆଉ ଛୋଟ ସହର ଖଣ୍ଡିକ ବୁଲି ଆସିଥିଲି । ଗଡ଼ ନକଟରେ ସପ୍ତାହିକ ହାଟ ବସେ । ହାଟରେ ବିଶେଷ କରି ନୂତନତ୍ୱ ନାହିଁ । ତା’ ଛଡ଼ା ଗୋଟିଏ ଦୈନିକ ବଜାର ମଧ୍ୟ ବସେ ।

 

ନୟାଗଡ଼–ହିନ୍ଦୋଳ ରାଜ୍ୟ ସୀମା ପାଖରେ । ଗଡ଼ରୁ ବାର ମାଇଲ ଦୂର । ସେଠାକୁ ମଧ୍ୟ ହାତୀରେ ଯାଇଥିଲୁ । ଚକ୍ରଧର ବାବୁ ସ୍ୱାସ୍ଥ୍ୟ ନିବନ୍ଧନ ଯାଇ ପାରିଲେ ନାହିଁ । ପଣ୍ଡିତେ ସାଙ୍ଗରେ ଗଲେ । ଆମେ ବୁଢ଼ାବୁଢ଼ୀ ଘାଟୀ ଅତିକ୍ରମ କରିଥିଲୁ । ଗଡ଼ ପାଖରୁ ନୟାଗଡ଼ ଯାକେ ପାହାଡ଼ ଜଙ୍ଗଲ ଲାଗି ରହିଛି । ଏକ ଉତ୍ତୁଙ୍ଗ ପାହାଡ଼ ଦେହରେ ଏହି ବୁଡ଼ାବୁଢ଼ୀ ଘାଟି । ରାସ୍ତାଟି ଖୁବ୍ ଉଠାଣିଆ ଆଉ ବୁଲି ବୁଲି ଯାଇଛି । ଘାଟି ଉପରେ ବୁଢ଼ାବୁଢ଼ୀ ଠାକୁରାଣୀ ଗୋଟିଏ ଝାମ୍ପୁରା ବରଗଛ ମୂଳରେ ପୂଜା ପାଉଛନ୍ତି । ଘାଟିର ଶିଖ ପର୍ଯ୍ୟନ୍ତ ଶାଳ ବନ, ତା’ ପରେ ପାହାଡ଼ର ସମତଳ ଭାଗରେ ଗଭୀର ବାଉଁଶ ବଣ । ଦଶପଲ୍ଲାରେ ମଧ୍ୟ ଏହିପର ବାଉଁଶ ରହିଛି । ସିଂହଭୂମି କିମ୍ବା ମୟୁରଭଞ୍ଜର ଜଙ୍ଗଲମାନଙ୍କରେ ଏପରି ବାଉଁଶ ଦେଖିବାକୁ ସ୍ୱପ୍ନ । ଏହିସବୁ ବାଉଁଶ ମହାନଦୀ ଯୋଗେ କଟକ ଯାଏ । ସେଠାରୁ କଲିକତା, ଟିଟାଗଡ଼ ପ୍ରଭୃତି ସ୍ଥାନର କାଗଜ କଳକୁ ରପ୍ତାନୀ ହୁଏ ।

 

ନୟାଗଡ଼ରେ ଗୋଟିଏ ସରକାରୀ ବଙ୍ଗଳା ଅଛି–ବର୍ତ୍ତମାନ ସେଇଟା ହିଲଜର୍ କୋମ୍ପାନୀ ଭଡ଼ା ନେଇଛନ୍ତି । ଏହି କୋମ୍ପାନୀ ଏଠାରୁ ବାଉଁଶ ରପ୍ତାନୀ କରିବାର ଠିକା ନେଇଛନ୍ତି । ହିଲଜର୍‍ ର୍କୋମ୍ପାନୀ ସ୍ଥାନୀୟ ମେନେଜର ମିଃ ହାର୍‍ଗଙ୍କ ସହିତ ଆଳାପ ହେଲା–ଭଦ୍ରଲୋକ । ତାଙ୍କ ଆତିଥେୟତା ଖୁବ୍ ପ୍ରଶଂସନୀୟ । ଫରେଷ୍ଟ ବିଭାଗୀୟ କେତେଜଣ ଅଫିସର ମଧ୍ୟ ଏଠାରେ ରହନ୍ତି ।

 

ସ୍ଥାନୀୟ କନ୍ଧଗୁଡ଼ିକ ବଡ଼ ଅନୁନ୍ନତ ଆଉ ଅଶିକ୍ଷିତ । ୟାଙ୍କ ତୁଳନାରେ ଦଶପଲ୍ଲାର ନିହାତି ମଫସଲର କନ୍ଧମାନେ ମଧ୍ୟ ବହୁତ ଉନ୍ନତ ଆଉ ଶିକ୍ଷିତ । ଏହି ନିରୀହ ଦରିଦ୍ର ଜାତି ଉପରେ ସରକାରଙ୍କର ସ୍ଵତନ୍ତ୍ର ଦୃଷ୍ଟି ପଡ଼ିବା ଅବଶ୍ୟ ଦରକାର । ସେହି ଦିନ ରାତିରେ ଗଡ଼କୁ ଫେରିଥିଲୁ ।

 

ଏହି ରାଜ୍ୟଟି ସାତଟି ପ୍ରଗଣାରେ ବିଭକ୍ତ–ଚାରିଗଡ଼ ଗଣ୍ଡିବେଢ଼, ଜୟମଙ୍ଗଳ, ପରବଡ଼ିଗା, ଭିତରଖଣ୍ଡ, ବୋକରା ଓ ଦେବଭୂଇଁ । ଏଠାରେ ପ୍ରତ୍ୟେକ ଗାଁରେ ଜଣେ ଜଣେ ସର୍ବରାକାର ଥାଆନ୍ତି । ପାଇକଗାଁ ମଧ୍ୟ ଅନେକ ଅଛି । ସେଠାରେ ତାଙ୍କ ଗାଁରେ ମୁଖିଆ ସ୍ୱରୂପ ନାୟକ, ଗଡ଼ନାୟକ ବା ଦଳବେହେରା ଥାଆନ୍ତି | ପ୍ରତି ଗାଁରେ ଚଉପାଢ଼ୀ ବା ଭାଗବତ ଟୁଙ୍ଗି ଅଛି-। ପ୍ରକୃତରେ ଓଡ଼ିଶାର ପୁରପଲ୍ଲୀରେ ଏହି ସବୁ ସମ୍ମିଳନୀ ମଣ୍ଡପ ଦେଖିଲେ ପ୍ରାଣରେ ଯେ କି ଆନନ୍ଦ ଅନୁଭୁତ ହୁଏ, ତାହା କହି ହେବନାହିଁ ।

 

ଗଡ଼ରେ ଅବସ୍ଥାନ କାଳରେ ଦିନେ ରାଜା ସାହେବଙ୍କ ସହ କିଛିକ୍ଷଣ ବାର୍ତ୍ତାଳାପରେ କଟିଥିଲା । ରାଜା ବଡ଼ ପ୍ରିୟଭାଷୀ, ଖୁବ୍ ସଜ୍ଜନ, ନରାଡ଼ମ୍ବର ଏବଂ ନିଷ୍କପଟ । ଅନ୍ୟାନ୍ୟ କେତେକ ରାଜୁଡ଼ାଙ୍କ ଭଳି ୟାଙ୍କର ‘ଚଟକ୍‍’ ନାହିଁ । ରାଜ୍ୟର କୃଷି ଶିଳ୍ପର ଉନ୍ନତି ସମ୍ବନ୍ଧରେ ତାଙ୍କ ସହ ଅନେକ କଥାବାର୍ତ୍ତା ହେଲା ପରେ ତାଙ୍କ ସହିତ ତାଙ୍କର ନିଜର କୃଷି ଉଦ୍ୟାନ ଦେଖିବାକୁ ଯାଇଥିଲି-। ରାଜବାଟୀ ପଛକୁ ଲାଗି ଏକ ସୁବିସ୍ତୃତ ଅଞ୍ଚଳରେ ତାଙ୍କର କୃଷି କ୍ଷେତ୍ର ଆଉ ଶସ୍ୟାଗାର । ଗୋଟିଏ ଆଧୁନିକ ଏବଂ ସୁପରିଚାଳିତ କୃଷି ଉଦ୍ୟାନରେ ଯାହା ଥିବା ଦରକାର ତାହା ସବୁ ଏଠାରେ ଲାଗିଛି । ରାଜା ସାହେବ ନିଜେ ବୁଲାଇ ବୁଲାଇ ସବୁ ଦେଖାଇଲେ–କୃଷିରେ ତାଙ୍କର ଜୀବନ ଗଢ଼ା , ସୁତରାଂ କୃଷିର ଉନ୍ନତିରେ ତାଙ୍କର ଚରମ ଆନନ୍ଦ ।

 

କୃଷି ଉଦ୍ୟାନ ମଝିରେ ଗୋଟିଏ ବଡ଼ ଶସ୍ୟାଗାର । ଧାନଠାରୁ ଆରମ୍ଭ କରି କୋଳଥ ଯାକେ, ଗୋଲଆଳୁଠାରୁ ଆରମ୍ଭ କରି ପାନମହୁରି ଯାକେ ପୁଣି ସାରୁ ଠାରୁ ଆରମ୍ଭ କରି ବାଇଗଣ ଯାକେ ସବୁ ଅଛି । ଏହି ଶସ୍ୟାଗାରଟି ରାଣୀ ସାହେବା ଶ୍ରୀମତୀ କନକଲତା ଦେବୀଙ୍କର । ଏହା ୧୯୪୦ ମସିହାରେ ପ୍ରତିଷ୍ଠିତ ହୋଇଛି |

 

ରାଣୀ ସାହେବା ଜଣେ ବିଦୁଷୀ ମହିଳା-କନିକା ରାଜାଙ୍କ ଜେମା । ସେ ନିଜେ ଜଣେ ସାହିତ୍ୟିକା । ‘ଭକ୍ତି ପୁଷ୍ପାଞ୍ଜଳୀ’ ଓ ‘ତରଣୀସେନ’ ନାମକ ଦି’ ଖଣ୍ଡ ବହି ଲେଖିଛନ୍ତି ।

 

ସମୟ ଅଭାବରେ ନରସିଂହପୁରର ଆଉ କେତେକାଂଶ ମୁଁ ଦେଖିବା ବନ୍ଦ କରି ନରସିଂହପୁର ଛାଡ଼ିଲି । ନରସିଂହପୁରର ଏହି ମଧୁର ସ୍ମୁତି ଏବେ ସୁଦ୍ଧା ମୋତେ ବେଳେ ବେଳେ ଆନନ୍ଦ ଦେଉଛି । ରାଜା ସାହେବଙ୍କ ସରଳ ସୁନ୍ଦର ମୁହଁ ଖଣ୍ଡିକ ଆଉ ତାଙ୍କର, ଧୀର ନମ୍ର, ମଧୁର ବାର୍ତ୍ତାଳାପ ଏବେ ସୁଦ୍ଧା ମୋ ସମ୍ମୁଖରେ ରୂପ ଧରି ଛିଡ଼ା ହେଉଛି ।

 

ପର ଦିନ ଖିଆପିଆ ସାର ଖରାତେଜ ମୁଣ୍ଡ ଉପରେ ଲଦି ଗଡ଼ରୁ ତିନି ମାଇଲ ଦୂରବର୍ତ୍ତୀ ରାଉତପଡ଼ା ଘାଟରେ ମହାନଦୀ ପାର ହୋଇ ଦଶପଲ୍ଲା ଅଭିମୁଖରେ ସାଇକେଲ୍ ଚଳାଇଲି ।

Image

 

ଅମରକଣ୍ଟକ ପଥେ

 

ବହୁପଥ ଅତିକ୍ରମ କରି ମୁଁ ଓ ମୋର ସହଯାତ୍ରୀଗଣ ସେତେବେଳେ ମଧ୍ୟପ୍ରଦେଶର କାୱାର୍ଦ୍ଧା ରାଜ୍ୟର ରାଜଧାନୀରେ ଅବସ୍ଥାନ କରୁଥାଉଁ । ଜଣେ ସ୍ଥାନୀୟ ରାଜକର୍ମଚାରୀଙ୍କଠାରୁ ଶୁଣିଲୁ, ପେଣ୍ଡାରୋଡ଼ ଷ୍ଟେସନରୁ ଚଉଦ ମାଇଲ ଦୂରରେ ଅମରକଣ୍ଟକ ମଧ୍ୟପ୍ରଦେଶର ଗୋଟିଏ ପ୍ରଧାନ-ତୀର୍ଥ, ବିନ୍ଧ୍ୟପର୍ବତର ଗୋଟିଏ ଉଚ୍ଚତମ ଶିଖର । ଏପରି ମନୋରମ ସ୍ଥାନ ଭାତରରେ ଅଳ୍ପ ଅଛି । ଉତ୍ତର ଭାରତର ଶୋନ ଓ ଦକ୍ଷିଣ ଭାରତର ନର୍ମଦା ଏହି ଗୋଟିଏ ସ୍ଥାନରେ ପ୍ରାୟ ଏକ ମାଇଲ ମଧ୍ୟରେ ଜନ୍ମଗ୍ରହଣ କରି ଅଛନ୍ତି । ସୁତରାଂ ସ୍ଥାନଟି ଯେ ପ୍ରତ୍ନତାତ୍ତିକ, କବି ଓ ତୀର୍ଥଯାତ୍ରୀଙ୍କ ଦର୍ଶନ ଯୋଗ୍ୟ, ସନ୍ଦେହ ନାହିଁ ।

 

ଏହା ଶୁଣି ଅବୁଝାମନ ଆମର ଧାଇଁଲା ଅମରକଣ୍ଟକ ଦିଗରେ । କିନ୍ତୁ ପଥ ବହୁତ, ବାଧ୍ୟ ହୋଇ କାୱାର୍ଦ୍ଧାରୁ ଖର୍‍ଗି ରୋଡ଼ ଷ୍ଟେସନ ଅଭିମୁଖରେ ଯାତ୍ରା କଲୁଁ । ସେଠାରୁ ସାଇକେଲ ଗୁଡ଼ିକ ପେଣ୍ଡ୍ରା ରୋଡ଼କୁ ବୁକ୍ କରିଦେଇ ଆମେ ରେଲଯାତ୍ରୀ ହେଲୁଁ । ପେଣ୍ଡ୍ରା ରୋଡ଼ରେ ପହଞ୍ଚି, ସେଠା ଷ୍ଟେସନ ମାଷ୍ଟରଙ୍କ ସଙ୍ଗେ ବନ୍ଧୁତା କଲୁଁ–ଭଦ୍ରଲୋକ, ଆମକୁ ଅତିଥିଭାବରେ ଗ୍ରହଣ କଲେ-। ସେ ଦିନଟି ସେଠାରେ ବିଶ୍ରାମ କଲୁଁ । ପରଦିନ ସାଇକେଲ ଗୁଡ଼ିକ ଷ୍ଟେସନ ମାଷ୍ଟରଙ୍କ ତତ୍ତ୍ଵାବଧାନରେ ରଖି, ତାଙ୍କରି ଅନୁଗ୍ରହରୁ ଜଣେ ପଥପ୍ରଦର୍ଶକ ଧରି ନର୍ମଦାର ସୁତିକାଗାର ଦେଖିବାକୁ ଯାତ୍ରା କଲୁଁ ।

 

ପ୍ରାୟ ଅଧ ମାଇଲ ପଥ ଅତିକ୍ରମ କରି ରାସ୍ତା ଦୁଇ କଡ଼ରେ ଅନେକ ଗୁଡ଼ିଏ କବର ଦେଖିଲୁଁ । ସେଠାରୁ ‘କବୀର ଚୌତରା’ ଯିବାର ରାସ୍ତା ଅନ୍ୟ ଦିଗରେ ଚାଲି ଯାଇଛି । ପଥରେ ୩।୪ ଟି ପାର୍ବତ୍ୟ ନିର୍ଝର ପଡ଼ିଲା, ପାଣି ବେଶୀ ନାହିଁ । ଝରଣା ନିକଟରେ, ପଥଉପରେ, ଚାରିଆଡ଼େ ବାଘର ପାଦଚିହ୍ନ–ପଥର ଦୁଇ କଡ଼ରେ ପ୍ରାୟ ପାଞ୍ଚ ମାଇଲ ପର୍ଯ୍ୟନ୍ତ ଶିକାରୀଗଣଙ୍କ ମଞ୍ଚା । ରାସ୍ତା କଚ୍ଚା ଏବଂ ସଂକୀର୍ଣ୍ଣ, ଭୟାନକ ଉଚ୍ଚନୀଚ, ଅନବରତ ଗଡ଼ାଣିଆ ତା ପରେ ଉଠାଣି-

 

ପଥ ପାର୍ଶ୍ଵର ପର୍ବତଶ୍ରେଣୀର ଦୃଶ୍ୟ ବଡ଼ ସୁନ୍ଦର । ଦୁଇ ପାଖରେ ଶାଳବନ, ମଧ୍ୟେ ମଧ୍ୟେ ଅଁଳା, ଭାଲିଆ, ଲେମ୍ବୁ ପ୍ରଭୃତି ନାନାପ୍ରକାର ବୃକ୍ଷରାଜି ଦଣ୍ଡାୟମାନ । ନାନା ପ୍ରକାର ବନଫୁଲ ଫୁଟି ସୌରଭରେ ବନ ମହକାଇ ପକାଉଛି । ଛୋଟ ଛୋଟ କୋଳି ବୁଦାଗୁଡ଼ିକ ନାଲି ଟୁହୁ ଟୁହୁ କୋଳିରେ ଭରି ଉଠିଥାଏ । ବଣର ଗଛ ଗୁଡ଼ିକ ଯେପର ଛବିପରି ସଜା ହୋଇଥାଏ, ଘାସଗୁଡ଼ିକ ଯେପରି ନିତି କଟାହୁଏ, ଠିକ୍ ସେହିପରି ପରିଷ୍କାର ପରିଚ୍ଛନ୍ନ । ଅଥଚ ସେ ପଥରେ ହୁଏତ କେତେଦିନ ପଥିକ ଚାଲିନାହାନ୍ତି । କାଠୁରିଆଗଣଙ୍କ ପାଦଚଲା ରାସ୍ତା ବାଙ୍କି ବାଙ୍କି କେଉଁ ଗଭୀର ବନମଧ୍ୟରେ ମିଶି ଯାଇଛି ।

 

ଏପରି ସୁନ୍ଦର ବନ ପଥରେ ଚାଲି ଆମେ ପାଥରିଆ ଗ୍ରାମରେ ପହଞ୍ଚିଲୁଁ । ଗ୍ରାମର ଶେଷଭାଗରେ ବ୍ୟାଘ୍ର ଦେବତାର ମୃଣ୍‍ମୟ ମୂର୍ତ୍ତି, ତା ଦେହରେ ପୁଣି କିରୋସିନ ଢାଳି ପୂଜା କରନ୍ତି । ଯେପରି ଦେବତା, ସେହିପରି ପୂଜାର ଉପକରଣ ! ଗ୍ରାମର ହୃଷ୍ଟ ପୁଷ୍ଟ ଗାଈ ଓ ବାଛୁରୀ ଗୁଡ଼ିକ ଦିଗନ୍ତବିସ୍ତୃତ ହରିତ୍ ସୋରିଷ କ୍ଷେତ୍ର ଭିତରେ ଆନନ୍ଦରେ ବିଚରଣ କରୁଥାନ୍ତି । ଏଠାରେ ଯାତ୍ରୀଙ୍କପାଇଁ କେତୋଟି ଚାଳ ଘର ଅଛି, ତା’ର ଦ୍ୱାର ନାହିଁ କି କାନ୍ଥ ନାହିଁ । ଆମେ ସ୍ଥାନୀୟ ରେୱା ରାଜାଙ୍କ ଡାକବଙ୍ଗଳାରେ କିଛିକ୍ଷଣ ବିଶ୍ରାମ କଲୁଁ । ପ୍ରାୟ ଘଣ୍ଟାକ ପରେ ପୁଣି ଆଗକୁ ଚାଲିଲୁ ।

 

ପ୍ରାୟ ନଅ ମାଇଲ ପଥ ଯିବାପରେ ପଛକୁ ଫେରି ଦେଖିଲୁ, ସେଠାରୁ ପେଣ୍ଡାରୋଡ଼ ସହରଟି ଗୋଟିଏ ଛବି ଭଳିଆ ଦେଖା ଯାଉଛି । ପୁଣି ଅଧମାଇଲିଏ ଉଠିବାରୁ ବନାନ୍ତରାଳରେ ଏହା ଅଦୃଶ୍ୟ ହୋଇଗଲା । ଆହୁରି ମାଇଲ କେତେ ପରେ ଅମାନାଲାର ନିର୍ଝର, ତାପରେ ସିଧା ଉଠାଣି ପାହାଡ଼ । ପାହାଡ଼ ସେ ପାଖରେ ଅମରକଣ୍ଟକ ଗ୍ରାମ–ସେଠାରୁ ଦେଖାଯାଏ ନାହିଁ । ଅମାନାଲା ପାର ହୋଇ ଆମେ ପାହାଡ଼ରେ ଚଢ଼ିବାକୁ ଆରମ୍ଭ କଲୁ । ପ୍ରାୟ ୨ ଘଣ୍ଟା ଉଠିବା ପରେ ଅମରକଣ୍ଟକର ପ୍ରଥମ ଗୃହ 'ଧର୍ମଶାଳା’ ଆମର ଦୃଷ୍ଟି ପଥରେ ପଡ଼ିଲା । ପଥରର ଘର, କେତେଗୁଡ଼ିଏ ଚାଳଘର ଓ ବଗିଚା ପାରହୋଇ ଚାଲିଲୁଁ । ଆଉ କିଛିଦୂର ତଳକୁ ଯାଇ ବଂଶକୁଣ୍ଡର ତୁଷାର–ଶୀତଳ ଜଳରେ ସ୍ନାନକରି ମନ୍ଦିର ପରିଦର୍ଶନ କଲୁଁ ।

 

ବଂଶକୁଣ୍ଡ ମଧ୍ୟରେ ଗୋଟିଏ ପ୍ରାକୃତିକ ପ୍ରସ୍ରବଣରେ ନର୍ମଦାର ଜନ୍ମ । ସେହି ପ୍ରସ୍ରବଣ ଉପରେ ଗୋଟିଏ ମନ୍ଦିର ଥିବା ଯୋଗୁ ଜଳଧାରାର ପ୍ରଥମ ବହିରାଗମନ ଚକ୍ଷୁର ଅଗୋଚର । କୁଣ୍ଡର ଗୋଟିଏ ମୁଖଦେଇ ଜଳ ବାହାର ହେବାର ସକୀର୍ଣ୍ଣ ପଥ । ଝର ଝର ହୋଇ ଟିକିଏ ଟିକିଏ ଦୁର୍ଗନ୍ଧ ଜଳ ବାହାରୁଛି । ନିକଟରେ କେତୋଟି ଛୋଟ ଛୋଟ ଝରଣା ଘାସବଣ ଦେଇ ସେଇ ନଦୀରେ ଆସି ମିଶିଛନ୍ତି । ବଂଶକୁଣ୍ଡ ଉପରେ ନର୍ମଦାଦେବୀ ଓ ଅମରନାଥଙ୍କ ମନ୍ଦିର । ସମ୍ମୁଖ ପ୍ରାଙ୍ଗଣରେ ଅନେକ ପ୍ରାଚୀନ ଦେବମୂର୍ତ୍ତି ଅଛନ୍ତି । ନିର୍ମାଣକୌଶଳ ଅତ୍ୟନ୍ତ ଚମତ୍କାର ! ସୂର୍ଯ୍ୟ, ହର, ପାର୍ବତୀ, ବିଷ୍ଣୁ ପ୍ରଭୃତିଙ୍କ ନାମ ଉଲ୍ଲେଖଯୋଗ୍ୟ । ନଦୀ ନିକଟରେ ‘ଅହଲ୍ୟାବାଈ ଧର୍ମଶାଳା'-। ପକ୍‍କାଘର ହେଲେ ମଧ୍ୟ ଅପରିଷ୍କାର !

 

ଏହାପରେ ଶୋନଭଦ୍ର ଦେଖିବାକୁ ଗଲୁ । ଉଚ୍ଚନୀଚ ଦୁର୍ଗମ ପଥ । ଦୁଇଧାରରେ ହରିଡ଼ା ଓ ବାହଡ଼ା ଗଛ । କେଉଁଠି ଉନ୍ମକ୍ତ କ୍ଷେତ୍ରରେ ଦଳେ ଦଳେ ଗୋରୁ ଚରୁଛନ୍ତି, କେଉଁଠି ବିଚିତ୍ର ବର୍ଣ୍ଣ ପୁଚ୍ଛ ଟେକି ମୟୁର ନାଚୁଛନ୍ତି; ଆମକୁ ଦେଖିଲା କ୍ଷଣି ଉଡ଼ିଯାଇ ଗଛରେ ବସୁଛନ୍ତି । ପ୍ରାୟ ମାଇଲିଏ ପଥ ଅତିକ୍ରମ କରି ଶୋନର ଉତ୍ପତ୍ତି ସ୍ଥାନରେ ପହଞ୍ଚିଲୁ । ଗୋଟିଏ ଜାଗାରେ କେତୋଟି ଗଛର ଚାରି ଧାରରେ ମାଟି ତରଳି ପାଣି ଝରି କୁଳୁ କୁଳୁ ନାଦରେ ଦୂରକୁ ଛୁଟିଛି । ଜଳ ଧାରାର ଅନୁସରଣ କରି ଆମେ ଶୋନ ପ୍ରପାତର ସମ୍ମୁଖରେ ପହଞ୍ଚିଲୁ । ସେଠାରେ ସେହି ଛୋଟ ଝରଣାଟି ଅତି ପ୍ରବଳବେଗରେ କେତେ ତଳକୁ ଡେଇଁପଡ଼ୁଛି । କି ଚମତ୍କାର ଦୃଶ୍ୟ ! ପର୍ବତ ଦେହ ପ୍ରାଚୀରପରି ଓହ୍ଲାଇଛି । ସମ୍ମୁଖରେ ଦିଗନ୍ତ-ବିସ୍ତୃତ ଅଗମ୍ୟ ନଭଶ୍ଚୁମ୍ଵୀ ପର୍ବତ ଶୃଙ୍ଗ, ପାଦ ମୂଳରେ ନିବିଡ଼ ବନାଚ୍ଛାଦିତ ଗଭୀର ନିମ୍ନଭୂମି,–ଚାହିଁଲେ ଛାତିର ରକ୍ତ ଶୁଖିଯାଏ । କ୍ରମେ ବେଳ ଅବସାନ ହେବା ଉପରେ କିନ୍ତୁ ଦେଖିବାର ଆଶା କମୁନାହିଁ, ପୁଣି ପ୍ରାଣଭୟ ତ ଅଛି । ତେଣୁ ବାଧ୍ୟହୋଇ ଧର୍ମଶାଳାକୁ ଫେରି ଆସିଲୁ । ରାତିରେ କେତୋଟି ରୁଟି, ବୁଟଡ଼ାଲି ଓ ରାଏତା (ଏକ ପ୍ରକାର ଖଟା ତରକାରୀ)ର ସଦ୍‍ବ୍ୟବହାର କରି ନିଦ୍ରାଦେବୀଙ୍କ କୋଳରେ ବିଶ୍ରାମ ନେଲୁଁ ।

 

ପରଦିନ ତାର ଖୋଲିଲାକ୍ଷଣି ଅପୂର୍ବ ଦୃଶ୍ୟ ଦେଖାଗଲା । ଦୁଷ୍ଟିପଥର ଶେଷଯାଏ, ସମସ୍ତ ପ୍ରାନ୍ତର ପ୍ରଭାତର ଶିଶିରସ୍ପର୍ଶରେ ଶ୍ଵେତ ବର୍ଣ୍ଣ ଧାରଣ କରିଛି । ଚାରିଆଡ଼େ ବନ ମଧ୍ୟରେ ସ୍ତରେ ସ୍ତରେ ସଜ୍ଜିତ କୁଟୀର ଓ ଉଦ୍ୟାନ । ନିମ୍ନରେ ଦେବୀମନ୍ଦିରର ଚୂଡ଼ାରେ ପ୍ରଭାତ-ସୂର୍ଯ୍ୟର କିରଣ ଝଲମଲ କରୁଥାଏ । ଆଉ ତାକୁ ବେଢ଼ି ଯେପରି ଧରାର ଧୂଳିରେ ଶୁଭ୍ରୋଜ୍ଜଳ ତୁଷାରର ଆନନ୍ଦ ମେଳା ବସି ଯାଇଥାଏ । ଯେଝା ନିତ୍ୟକର୍ମ ସାରି କପିଳଧାରା ଦେଖିବାକୁ ଚାଲିଲୁଁ । ବୈତରଣୀ ପ୍ରଭୃତି କେତୋଟି କର୍ଦ୍ଦମାକ୍ତ ନାଳ ପାରହୋଇ ଘାସ ବଣରେ ପ୍ରବେଶ କଲୁଁ । ଗୋଟିଏ ପାଖରେ ନର୍ମଦା, ତାର ଦୁଇତଟରେ ଅରଣ୍ୟ । ଅନ୍ୟ ଦିଗରେ ବିସ୍ତୀର୍ଣ୍ଣ ସମତଳ କ୍ଷେତ୍ର-କୁଶଜାତୀୟ ଘନସନ୍ନିବିଷ୍ଟ ତୃଣରେ ପରିପୂର୍ଣ୍ଣ । କେଉଁଠି ୫ ଫୁଟ , କେଉଁଠି ୮ ଫୁଟ୍ ଉଚ୍ଚର ଦୁର୍ଭେଦ୍ୟ ତୃଣ-ପ୍ରାଚୀର । ସେଥିମଧ୍ୟରେ ଯେଉଁ କ୍ଷୀଣ ପଥରେଖାଟି ଅଛି, ତାକୁ ପୁଣି ଦଶଥରରେ ଖୋଜି ବାହାର କରିବାକୁ ହୁଏ ।

 

କ୍ରମେ ପଥ ଊର୍ଦ୍ଧ୍ଵକୁ ଉଠିଛି, ଲଗାଲଗି ହୋଇ ଦୁଇଜଣ ମଣିଷ ଚାଲି ପାରିବେ ନାହିଁ । ଗୋଟିଏ ଦିଗରେ ଠିକ୍ ତଳରେ ଖରସ୍ରୋତା ନର୍ମଦା ଗର୍ଜନ କରି କରି ଛୁଟିଛି, ଅନ୍ୟ ଦିଗରେ ଈଷଦୁଚ୍ଚ ବନାକୀର୍ଣ୍ଣ ଭୂମି ମୁଣ୍ଡ ଉପରେ ଝୁଲୁଅଛି । କେଉଁଠି ବା ନଦୀରେ ଅବତରଣ କରି ତୀର୍ଥ ଦର୍ଶନ, ପୁଣି କେଉଁଠି ବା ତା’ ପରବର୍ତ୍ତରେ ପିଚ୍ଛିଳ ପଥରୁ ନଦୀ ସ୍ରୋତରେ ପଡ଼ି ତୀର୍ଥ-ମୃତ୍ୟୁ ଲାଭର ସମ୍ଭାବନା ମଧ୍ୟ ରହିଛି ।

 

ଏହିପରି ଚାରି ମାଇଲ ପଥ ଅତିକ୍ରମ କରି କପିଳଧାରାରେ ପହଞ୍ଚିଲୁ । ଚାରିଆଡ଼େ ଗଭୀର ନିସ୍ତବ୍‍ଧତା ମଧ୍ୟରେ ବାରି-ପାତର ଗମ୍ଭୀର ଶବ୍ଦ ବଡ଼ ଚମତ୍କାର । ଟିକିଏ ବୁଲି ତଳକୁ ଓହ୍ଳାଇବାକୁ ହୁଏ । ସେଇଠାରେ ଗିରିପ୍ରକୃତିର ସେଇ ସୁଗୋପନ ସୌନ୍ଦର୍ଯ୍ୟାଲୋକରେ ଗୋଟିଏ ସୁନ୍ଦର ଆଶ୍ରମ । ସନ୍ୟାସୀ ପ୍ରୌଢ଼, ମିଷ୍ଟଭାଷୀ, ସାଧକ ପୁରୁଷ–ଦେଖିଲେ ଭୟ ଏବଂ ଭକ୍ତର ଉଦୟ ହୁଏ । ସେ ନିଜେ ଆମ୍ଭମାନଙ୍କୁ ଅତି ସ୍ନେହରେ ସାଙ୍ଗରେ ଧରି ପ୍ରାୟ ମାଇଲିଏ ପଶ୍ଚିମକୁ ‘ଦୁଧଧାରା' ଦେଖାଇବାକୁ ଗଲେ । କପିଳଧାରାରେ ଆଘାତ ପାଇ ନର୍ମଦାର ଜଳ ବହିଯାଇ ପ୍ରାୟ ମାଇଲିଏ ଦୂରରେ ଆଉ ଗୋଟିଏ ପ୍ରପାତ ସୃଷ୍ଟି କରୁଛି । ଚାରିଆଡ଼େ ନାନା ଜାତୀୟ ସବୁଜ ଗୁଳ୍ମ ଓ ବନଫୁଲର ମଧୁର ସମାବେଶ । ରାଶି ରାଶି ବନ ଗୋଲାପ ଫୁଟିଥାଏ ।

 

କପିଳଧାରାର ବାରିଶୀକରରେ ସର୍ବାଙ୍ଗ ଭିଜି ଯାଏ । ପାଣି ଏତେ ଉଚ୍ଚରୁ ଏତେ ବେଗରେ ପଡ଼ୁଛି ଯେ, ନିକଟକୁ ଯିବାର ଉପାୟ ନାହିଁ । ଦୁଧଧାରାରେ କିନ୍ତୁ ବଡ଼ ଆନନ୍ଦରେ ସ୍ନାନ କରାଯାଇପାରେ । ପ୍ରାୟ ଦଶହାତ ଓସାର ଧାରାରେ ଦୁଧପରି ଶୁଭ୍ର ଜଳରାଶି ସେଠାରେ ଡେଇଁ ପଡ଼ୁଛି । ତାର ଦକ୍ଷିଣ ପାର୍ଶ୍ଵରେ ଗୋଟିଏ ଅନ୍ଧକାର ଗହ୍ୱର । ପ୍ରବାଦ ଅଛି ଯେ, ମହର୍ଷି ଦୁର୍ବାସା ସେଠାରେ ତପସ୍ୟା କରୁଥିଲେ । ଗୁହା ଦେହରେ ଧୂଆଁଦାଗ ଦେଖି ପଶିବାକୁ ସାହାସ ହେଲାନାହିଁ- କ୍ରୁଦ୍ଧ ଋଷି ବା କ୍ରୁଦ୍ଧ ଶ୍ୱାପଦ ଯେ ବାହାର ହେଲେ ବିପଦ । ଦୁଧଧାରାରେ ସ୍ନାନକର୍ମ ସାରି ମୁଁ ପୁଣି ସେହି ଭିଷଣ ପଥ ଅତିକ୍ରମ କରି ଅମରକଣ୍ଟକ ଫେରି ଭୋଜନ କ୍ରିୟା ସାରି ପେଣ୍ଡ୍ରାରୋଡ଼ ଅଭିମୁଖରେ ଚାଲିଲୁଁ । ପେଣ୍ଡ୍ରାରୋଡ଼ରେ ପହଞ୍ଚିଲା ବେଳକୁ ସଂଧ୍ୟା ।

 

ପରଦିନ ଭୋରରୁ ଷ୍ଟେସନ ମାଷ୍ଟରଙ୍କଠାରୁ ବିଦାୟ ଗ୍ରହଣ କରି ସାଇକେଲ ପୁଣି ଛୁଟାଇ ଦେଲୁଁ, ଜବଲପୁର ଉଦ୍ଦେଶ୍ୟରେ ଏହି ମଧୁର ସ୍ମୃତିକୁ ମରମ-ତଳେ ରଖି ପୁଣି କେଉଁ ନବୀନର ଆଶାରେ !

Image

 

ସନ୍ଥୈଭଞ୍ଜ ଗୁମ୍ଫା

 

କେନ୍ଦୁଝରର ସନ୍ଥୈଭଞ୍ଜ ଗୁମ୍ଫା ।

 

ସେ ଆଜକୁ ଦୁଇ ତିନି ବର୍ଷ ତଳ କଥା । ଜଣେ ବନ୍ଧୁଙ୍କ ଝିଅର ଏକୋଇଶିଆରେ ନିମନ୍ତ୍ରିତ ହୋଇ ପଳାଶପଙ୍ଗା ଯାଇଥିଲି । ଦିନେ ସକାଳୁ ନିକଟସ୍ଥ ସନ୍ଥୈଭଞ୍ଜ ପାହାଡ଼ ଓ ତା’ର ଗୁହାଗୁଡ଼ିକ ଦେଖିବା ପାଇଁ କଳ୍ପନା କଲି । ପ୍ରାୟ ବେଳ ନ’ଟା ସରିକି ସେଠା ପୋଷ୍ଟମାଷ୍ଟରଙ୍କ ସାହାଯ୍ୟରେ କେତେଗୁଡ଼ିଏ ସଙ୍ଗୀ ପାଇ ପାହାଡ଼ ଉଦ୍ଦେଶ୍ୟରେ ଚାଲିଲି । ଆମ ପଥ ପ୍ରଦର୍ଶକଟି ବଡ଼ ରସିକଭାବାପନ୍ମ ଥିଲା । ତେଣୁ ପଥକ୍ଳେଶ ଭୋଗିବାକୁ ପଡ଼ି ନ ଥିଲା ।

 

ପାହାଡ଼ଟି ପଳାଶପଙ୍ଗା ଗ୍ରାମର ପୂର୍ବରେ ପ୍ରାୟ ଦେଢ଼ ମାଇଲ ଦୂରରେ, ଉତ୍ତର ଦକ୍ଷିଣ ହୋଇ ଲମ୍ବି ରହିଛି । ଉଚ୍ଚତା ପ୍ରାୟ ୧୭୯୩ ଫୁଟ । ବିଲପଥ ଅତିକ୍ରମକରି ପାହାଡ଼ର ପାଦଦେଶରେ ପହଞ୍ଚିଲୁଁ । ସେଇଠୁ ପଡ଼ିଲା–ପାହାଡ଼ ଉଠିବାର ପାଲା । ଦୁଃଖେ କଷ୍ଟେ ପ୍ରାୟ ୮୦୦ ଫୁଟ ଉଚ୍ଚତା ଉଠିଲା ପରେ ବୃକ୍ଷଲତା ସମାଚ୍ଛନ୍ନ, ଏକ ସମତଳ ଭୂମିରେ ପ୍ରବେଶ କଲୁଁ ।

 

ଆମ ପଥପ୍ରଦର୍ଶକ ଏକ ଅଜ୍ଞାତ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ବାଟ ଦେଖାଇଲା । ସେହି ସମତଳ ଭୂମିର ଗୋଟିଏ କୋଣକୁ ଲାଗି ଏକ ଅପୂର୍ବ କୁଞ୍ଜ । ଚାରିଆଡ଼ୁ ବଡ଼ ବଡ଼ ଶିଆଡ଼ିଲତା ସବୁ ମାଡ଼ି ସ୍ଥାନକୁ ବେଶ୍ ଶୀତଳ ରଖିଛି । ଠାକୁରଣୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ପଲ୍ଲୀବାସୀଗଣଙ୍କର ମାଟିଘୋଡ଼ା ପ୍ରଭୃତିରେ କୁଞ୍ଜଟି ପୂରି ଉଠିଛି । ମୁଁ ତ ବହୁ ଚେଷ୍ଟାକରି ଠାକୁରାଣୀଙ୍କୁ ଦେଖି ପାରିଲି ନାହିଁ । କିନ୍ତୁ, ଦେଖିଲି ଏକ ଅପୂର୍ବ ଦୃଶ୍ୟ–ସେହି ପ୍ରକୃତିର ସୁରମ୍ୟ କୁଞ୍ଜରେ, ସେଇ ମାଟି ହାତୀ ଘୋଡ଼ା ଗହଳରେ ଏକ ଆଠ କିମ୍ବା ଦଶ ଇଞ୍ଚ ଉଚ୍ଚର ସୌମ୍ୟ ବୁଦ୍ଧ ମୂର୍ତ୍ତି । ମୋର ନୟନମନ ବେଶୀ ଆକର୍ଷଣ କଲା ଏହି ବୁଦ୍ଧ ମୂର୍ତ୍ତିଟି ! ନିର୍ଜନ ପାର୍ବତ୍ୟ ଉପତ୍ୟକାକୁ ଏ ଚିର-ସୁନ୍ଦର ବୁଦ୍ଧମୂର୍ତ୍ତି ଆସିଲା କେଉଁଠୁ !

 

ଶୁଣିଲି ଏଠାରେ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ବହୁତ ବଳି ପଡ଼େ । ଦଶ ବର୍ଷରେ ଥରେ ଲେଖାଏଁ ପୋଢ଼ୁଅ (ପଣ୍ଡା) ବଳି ଦିଆହୁଏ । ବଡ ଦୁଃଖ ହେଲା ମନରେ । ଠାକୁରାଣୀଙ୍କ ନାମଗନ୍ଧ ତ ନାହିଁ, ବରଂ ବୁଦ୍ଧ ପ୍ରତିମାର ଅବସ୍ଥିତିରେ ଯେଉଁ ଭୂମି ପବିତ୍ର, ସେ ସ୍ଥାନ ପୁଣି ପ୍ରାଣୀ ହତ୍ୟାରେ ରକ୍ତ ପ୍ଲାବିତ ହେଉଛି ! ଧନ୍ୟ ହେ ଭକ୍ତ, ଧନ୍ୟ ତୁମ୍ଭର ଭକ୍ତି ।

 

କିନ୍ତୁ ସ୍ଥାନ ବଡ଼ ସୁରମ୍ୟ, ମୋର ସହଗାମୀ ପିଲଗୁଡ଼ିକ ଶିଆଡ଼ି ଲଇରେ ଉଠି ଶିଆଡ଼ି ଫଳ ତୋଳିବାକୁ ଲଗିଲେ । ମୁଁ ସେଇ କୁଞ୍ଜରେ ବସି ପ୍ରାଣରେ ଟିକିଏ ଶାନ୍ତି ଅନୁଭବ କଲି ।

 

କିଛି ସମୟ ବିଶ୍ରାମ ନେଲା ପରେ ଆମେ ଉକ୍ତ ସ୍ଥାନଟିର ପଶ୍ଚିମରେ ଥିବା ଗୋଟିଏ ନାତିଉଚ୍ଚ ପାହାଡ଼ ଶ୍ରେଣୀରେ ଉଠିଲୁଁ । ପଥପ୍ରଦର୍ଶକ ଗୋଟିଏ ପ୍ରାକୃତିକ ଗୁହାଦ୍ଵାରରେ ନେଇ ମୋତେ ପହଞ୍ଚାଇଲା । ସେହି ଗୁହା ମୁଖରେ ପ୍ରଥମେ ଦୁଇଜଣ- ତା’ ପରେ ବେଶୀ ଭୟ ଓ ଅଳ୍ପ ସାହସ ନେଇ ମୁଁ ଏବଂ ମୋ ପଛରେ ଅନ୍ୟମାନେ ପ୍ରବେଶ କଲେ । ଭିତରେ ବ୍ୟବହାରର ଅନୁପଯୋଗୀ ବହୁ ଗୁହା ଦେଖିବାକୁ ପାଇଲୁ । ସେଇ ପାହାଡ଼ ଭିତରେ କେଉଁଠି ବସି, କେଉଁଠି ପେଟେଇ ସୁଡ଼ଙ୍ଗ ପଥସବୁ ଅତିକ୍ରମ କରି ସେହି ପାହାଡ଼ ଗର୍ଭରେ ବୁଲି ବୁଲି ଶେଷରେ ଗୋଟିଏ ବଡ଼ ଗୁମ୍ଫାରେ ପହଞ୍ଚିଲୁ । ଗୁହାଟି ବଡ଼ ଏବଂ ବ୍ୟବହାରର ଉପଯୋଗୀ । ଦୁଇଜଣ ଖୁବ୍ ସୁବିଧାରେ ରହିପାରିବେ । ବାହାରୁ ମଧ୍ୟ ଆଲୁଅ ଆସିବାର ଖୁବ୍ ସୁବିଧା ଅଛି । ଏଠାରେ ପହଞ୍ଚି ଆତ୍ମହରା ହୋଇଗଲି ମୁଁ ! ଆନନ୍ଦରେ ଶୋଇ ପଡ଼ିଲି ସେଇ ଗୁହାର ଚଟାଣ ଉପରେ । ଓଃ, କି ତୃପ୍ତି, ସବୁ ଶ୍ରମ ଦୂର ହୋଇଗଲା ମୋର । ଏ ଯେ ପ୍ରକୃତିର ତାଜମହଲ !

 

କିଛିକ୍ଷଣ ସେଠାରେ ବିଶ୍ରାମ କରି ଗୁହାର ପ୍ରକୃତ ପଥରେ ନିର୍ଗତ ହେଲୁ । ପଥପ୍ରଦର୍ଶକ ଠିକ୍ ଗୁହାର ଉପରିଭାଗସ୍ଥ ଏକ ପଥରକୁ ନିର୍ଦ୍ଦେଶ କରି କହିଲା, “ବାବୁ, ଦେଖନ୍ତୁନା, ଏ ପଥର କିମିତ ପଥର !” ଅନ୍ୟ ଜଣେ ଖଣ୍ଡିଏ ଛୋଟ ପଥର ସାହାଯ୍ୟରେ ସେ ପଥର ଉପରେ ଆଘାତ କରିବାରୁ ମଧୁର ଟଂ ଟଂ ଧ୍ୱନି ଉତଥିତ ହେଲା । ସେ ପଥରଟିକୁ ସେମାନେ ‘ବାଜେଣୀ ପଥର’ ବୋଲି କହନ୍ତି ।

 

ଏ ସମସ୍ତ ଦେଖିସାରି ସେଠାରୁ ବିଦାୟ ନେଇ ସର୍ବୋଚ୍ଚ ଶୃଙ୍ଗ ଉଦ୍ଦେଶ୍ୟରେ ଚାଲିଲୁଁ । ପୂର୍ବୋକ୍ତ ଠାକୁରାଣୀ କୁଞ୍ଜର କିଛି ଦୂରରେ ଗୋଟିଏ ଛୋଟ ପୋଖରୀ ଦେଖିବାକୁ ପାଇଲି । ଶୁଣିଲି, ବହୁଦିନ ପୂର୍ବର–କେବେ ଖୋଳା ଯାଇଛି, କେହି କହିପାରିଲେ ନାହିଁ । ପାଣି ବଡ଼ ନିର୍ମଳ, ବର୍ଷସାରା ପାଣି ଥାଏ । ଏ ପୋଖରୀଟି ପର୍ବତ ଶିଖରରେ ଥାଇ..... ତା’ର ସୌନ୍ଦର୍ଯ୍ୟ ଅଧିକ ବଢ଼ାଉଅଛି ।

 

ବହୁତ ବାଧାବିଘ୍ନ ଅତିକ୍ରମ କରି ବହୁ କଷ୍ଟରେ ସର୍ବୋଚ୍ଚ ଶୃଙ୍ଗରେ ପହଞ୍ଚିଲୁଁ । ସେତେବେଳେ ଦିନ ପ୍ରାୟ ୧୧ଟା । ପାହାଡ଼ ଉପରୁ କେନ୍ଦୁଝରଗଡ଼ ଚମ୍ପୁଆ ସଡ଼କଟି ଗୋଟିଏ ସରୁ ନାଲି ରେଖା ପରି ଦେଖା ଯାଉଥାଏ । ଝୁମ୍ଫୁରାର ବଡ଼ ବନ୍ଧଟି ଗୋଟିଏ ଚକଚକିଆ ନୀଳ ମାର୍ବଲ ପର ଦିଶୁଥାଏ । ଗାଁଗୁଡ଼ିକ ଯେପରି ବାମନପୁରୀର ଦେଶ । ଅରଡ଼େଇ ନଈଟି ଗୋଟିଏ ତରଳ ରୂପାର ସ୍ରୋତ ପରି ଦିଶୁଥାଏ । ପାହାଡ଼ ଉପରୁ ଚତୁର୍ଦ୍ଦିଗର ଦୃଶ୍ୟ ବଡ଼ ସୁନ୍ଦର ଦେଖା ଯାଉଥାଏ । ଏ ଶୃଙ୍ଗଟିରେ ଦେଖିବାର କିଛି ନାହିଁ । ଏଣୁ ଅଳ୍ପ ସମୟ ସେଠାରେ ବିତାଇ ଫେରିଲୁଁ-। ଓହ୍ଳାଇବା ମଧ୍ୟ ବଡ଼ କଷ୍ଟକର ହୋଇଥିଲା । ଏଠାରେ ବାଇଝାଲି ଲଟିର ପ୍ରାଚୁର୍ଯ୍ୟ ଦେଖିଲି । ଏହା ଦେହରେ ଲାଗିଲେ ବଡ଼ କୁଣ୍ଡାଇ ହୁଏ । ଏ ଦଶା ମଧ୍ୟ ଦେଖିବାକୁ ପଡ଼ିଥିଲା !

 

ଦ୍ଵାଦଶ ଖ୍ରୀଷ୍ଟାବ୍ଦର ମଧ୍ୟଭାଗରେ ଯେତେବେଳେ ସନ୍ଥଭଞ୍ଜ କେନ୍ଦୁଝରର ରାଜା ଥିଲେ, ସେତିକିବେଳେ ସେ ବେଳେ ବେଳେ ଏହି ପ୍ରାକୃତିକ ଗୁମ୍ଫା କ୍ରୋଡ଼ରେ ସାମୟିକ ଶାନ୍ତର ଆଶ୍ରୟ ନେଉଥିଲେ । ତେଣୁ ପ୍ରାୟ ଏହି ପାହାଡ଼ଶ୍ରେଣୀକୁ ‘ସନ୍ଥୈଭଞ୍ଜ ପାହାଡ’ ବୋଲି କୁହନ୍ତି । ପୋଖରୀଟି ସେହି ସମୟରେ ରାଜାଙ୍କ ବ୍ୟବହାରାର୍ଥେ ଖୋଳା ହୋଇଥିଲା ବୋଲି ଅନୁମିତ ହୁଏ ।

 

ପ୍ରାୟ ବେଳ ଗୋଟାଏ ସରିକି ବସାରେ ପହଞ୍ଚି ଗାଧୋଇଲି । ଖାଇସାରି ଶୋଇବାକୁ ଗଲି, କିନ୍ତୁ ନିଦ ହେଲା ନାହିଁ । ସବୁବେଳେ ମନରେ ମୋର ସେହି ବୁଦ୍ଧମୂର୍ତ୍ତି ଓ ଶାନ୍ତମୟ ଗୁହାଟି ନାଚୁଥାଏ ।

Image

 

ହୁଣ୍ଡରୁ ଓ ରାଜରୁପ୍‍ପା

 

ମୋର ଏହି ବୈଚିତ୍ରବିହୀନ ଏକାନ୍ତ ଦୁଃସହ ଜୀବନଯାତ୍ରା ପଥରେ ଏହା ଏକ ନୂତନ ଅନୁଭୁତିର ଆଗମନ । ଘଟଣାଟା ସେମିତି ବେଶୀ କିଛି ଗୁରୁଗମ୍ଭୀର ନ ହେଲେ ମଧ୍ୟ ମୋ ପକ୍ଷରେ ତାହା ଥିଲାଏକ ଅପୂର୍ବ ନୂତନ !

 

ଛୋଟନାଗପୁରର ଶୈଳମାଳାସମାକୀର୍ଣ୍ଣ ଦିଗନ୍ତବିସ୍ତାରୀ ଗଭୀର ଅରଣ୍ୟାନୀ ମଧ୍ୟରେ ଯେ ବିଶ୍ଵର କି ସୌନ୍ଦର୍ଯ୍ୟ ବା କି ବୀଭତ୍ସତା ଆତ୍ମଗୋପନ କରି ରହିଛି, ସେ ସମ୍ବନ୍ଧରେ ମୋର କୌଣସି ଧାରଣା ନଥିଲା ।

 

ସେଥର ସେହି ଗୁପ୍ତଧନର ଦର୍ଶକ ହେବାର ସୌଭାଗ୍ୟ ଖୁବ୍ ସହଜରେ ଆସି ଯାଇଥିଲା, ଆଉ ତାହା ଏକାବେଳେକେ ସେହି ଅପରିଚିତ ରାଜ୍ୟର ଅନ୍ତସ୍ଥଳରେ, ମାୟାପୁରୀର ମାୟା-ଲୋକର ଅନ୍ତରରେ–ସୁବର୍ଣ୍ଣରେଖାର ଜଳପ୍ରପାତ ‘ହୁଣ୍ଡରୁ’ ଆଉ ଭେଡ଼ା ନଦୀ ଓ ଭୀଷଣାକାର ଦାମୋଦରର ସଙ୍ଗମ କ୍ଷେତ୍ର ‘ରାଜରୁପ୍‍ପା’ ର ପ୍ରସ୍ତର ମନ୍ଦିରରେ ଛିନ୍ନମସ୍ତା ଦେବୀଙ୍କ ପାଷାଣମୂର୍ତ୍ତି ପରିଦର୍ଶନରେ ।

 

ବିହାର ପ୍ରଦେଶର ଅନ୍ୟତମ ଦୁଇ ଶ୍ରେଷ୍ଠ ଦୃଶ୍ୟ !

 

ମୁଁ ଥାଏଁ ରାଞ୍ଚିରେ । ଦିନେ ସଂଧ୍ୟାରେ କେତେକ ବନ୍ଧୁଙ୍କ ସହ ରାଞ୍ଚିର ସରକାରୀ ଓକିଲ ଆଦିତ୍ୟ ବାବୁଙ୍କ ବସାକୁ ଯାଇଥାଏ ନିମନ୍ତ୍ରଣ ରକ୍ଷା କରିବାକୁ । ସେଇଠି ପ୍ରସ୍ତାବ ଉଠିଲା ଯେ, ହୁଣ୍ଡରୁ ଓ ରାଜରୁପ୍‍ପା ଦେଖିବାକୁ ଯିବା । ଅଧିକ ଭୋଟରେ ପ୍ରସ୍ତାବ ପାଶ୍ ହୋଇଗଲା । ଫଳରେ ଟାକ୍‍ସିବାଲାକୁ ଖବର ଦିଆଗଲା । କାମେରାରେ ଫିଲ୍‍ମ ଭର୍ତ୍ତି କରାଗଲା–ଆଉ ସଭିଏଁ ଆସି ଶୋଇଲୁ ଆଦିତ୍ୟବାବୁଙ୍କ ବସାରେ ।

 

ତୁ, ତୁ, ତୁ,–ବିଗୁଲ ଗର୍ଜି ଉଠିଲା । ଆମ ନିଦ ଆଉ ରହୁଛି କେତେକ ? ସମସ୍ତେ ଏକାବେଳେକେ ଆଖି ମଳି ମଳି ଉଠି ବସିଲୁଁ । ସେତେବେଳେ ପାହାନ୍ତିଆ ତାରା ତାର ଦୀପଶିଖାକୁ ଆହୁରି ଉଜ୍ଜ୍ଵଳତର କରି ଆମରି ବିଦାୟ ବନ୍ଦାଣ ପାଇଁ ସଜ ହୋଇ ରହିଥାଏ । ନିଜ ନିଜ ଆବଶ୍ୟକୀୟ ପଦାର୍ଥ ସବୁ ବ୍ୟାଗ୍ ଭିତରେ ଭର୍ତ୍ତି କରି ପ୍ରାତଃକୃତ୍ୟ ସମାପନାର୍ଥ ବାହାରି ପଡ଼ିଲୁ । ଶୀଘ୍ର ଶୀଘ୍ର ସମସ୍ତ ଜଞ୍ଜାଳ ତୁଟାଇ ଦେଇ ଫେରିଲା ବେଳକୁ ଟାକ୍‍ସି ମଧ୍ୟ ଆସି ଦୁଆରେ ହାଜର । ଆପଣା ଆପଣା ବ୍ୟାଗ୍ ଧରି ଟାକ୍‍ସିରେ ଯାଇ ବସିଲୁ । ପୁଣି ଆଉ ଥରେ ବିଗୁଲ ଓ ମୋଟର ଗାଡ଼ିର ହର୍ଣ୍ଣ ସମସ୍ୱରରେ ବାଜି ଉଠିଲା–ଆମର ପ୍ରଭାତୀ ‘ଜନଗଣ ମନ ଅଧିନୟକ ଜୟ ହେ’ ଗାନ ସଙ୍ଗେ ସଙ୍ଗେ ଗାଡ଼ି ଧୀରେ ଧୀରେ ଚାଲିଲା ଏକ ଅପୂର୍ବ ଆନନ୍ଦର ସନ୍ଧାନରେ ।

 

ଉଷାରାଣୀ ତାର ରଙ୍ଗ ତୁଳି ଧରି ପୂର୍ବାକାଶରୁ ନେଳି ଚକ୍ରବାଳ ତଳେ ଗୋଲାପି ଆଭାର ରେଖାଟିଏ ଧୀରେ ଧୀରେ ଟାଣି ଦେଇଥାଏ–ଏହି ପବିତ୍ରବେଳରେ, ନିର୍ଜନ ରାଜପଥର ପାର୍ଶ୍ଵସ୍ଥିତ ଘୁମନ୍ତ ଘରଗୁଡ଼ିକୁ ପଛରେ ପକାଇ ଟାକ୍‍ସି ରାମଗଡ଼ ରାସ୍ତାରେ ତୀରବେଗରେ ଛୁଟୁଥାଏ । ସେତେବେଳେ ଏକ ଅପୂର୍ବ ରାଗରେ ଗୁଞ୍ଜରି ଉଠୁଥିଲା ସମସ୍ତଙ୍କ ପ୍ରାଣ । କେତେକ ବନ୍ଧୁ ସମବେତ ସ୍ଵରରେ ସିନେମା ଗୀତ ‘ଚଲ୍ ଚଲ୍ ରେ ନୌ ଜବାନ୍’ ଭାରି ଝୁଙ୍କରେ ଗାଉ ଥାଆନ୍ତି-

 

ପିଚ୍‍ଢ଼ଳା ଚମତ୍କାର ରାସ୍ତା । ୧୫-୨୦-୨୫, ଏହିପରି ବଢ଼ୁ ବଢ଼ୁ କେଉଁଠି ଘଣ୍ଟାରେ ୫୦ ମାଇଲ ପର୍ଯ୍ୟନ୍ତ ଗାଡ଼ିର ଗତିବେଗ ହେଉଥାଏ । ପଥପାର୍ଶ୍ୱର ଶ୍ରେଣୀବଦ୍ଧ ଗଛ ଗୁଡ଼ିକ ଯେପରି କେଉଁ ରାଜ–ଅତିଥିଙ୍କୁ ବିଦାୟ ଅଭିନନ୍ଦନ ଜଣାଉଥିଲେ । ବନ୍ଧୁଗଣ ଡ୍ରାଇଭର ନିକଟର ମୋର ଆସନ ନିର୍ଦ୍ଦିଷ୍ଟ କରିଥିଲେ-ଯେପରି ସମସ୍ତ ଦୃଶ୍ୟ ପ୍ରଥମେ ଉପଲବ୍‍ଧି କରିବି ମୁଁ । ଏଥିପାଇଁ ସେମାନଙ୍କୁ ଧନ୍ୟବାଦ ନ ଦେଇ ରହିପାରୁ ନାହିଁ–କାରଣ ସମସ୍ତ ଶୋଭାସମ୍ପଦର ଦୃଶ୍ୟ ସେମାନଙ୍କଠାରୁ ବେଶୀ ଉପଲବ୍‍ଧି କରିଥିଲି ମୁଁ ।

 

ବାର ମାଇଲ ପରେ ଓରମାଞ୍ଜି ନାମକ ଗାଆଁ ପଡ଼ିଲା । ଥାନା, ଡାକ୍ତରଖାନା, ପୋଷ୍ଟଅଫିସ ପ୍ରଭୃତି ରହିଛି । ପୁଣି ଛଅ ମଇଲ ପରେ ଛୋଟାପାଲୁ ଗାଆଁ । ଏହା ପରେ ପରେ ଆରମ୍ଭ ହେଲା ପାହାଡ଼ ଓ ନିରନ୍ଧ୍ର ଜଙ୍ଗଲ ‘ଛୋଟପାଲୁ ଘାଟ' । ରାସ୍ତା ବହୁତ ବୁଲି ବୁଲି ଯାଇଛି । ଗାଡ଼ିର ଗତିବେଗ ଟିକିଏ ମନ୍ଦୀଭୂତ ହେଲା । ମୁଁ ସେ ଘାଟୀର ଦୃଶ୍ୟ ଦେଖି ଭାବୁଥାଏ–ମୟୁରଭଞ୍ଜର ‘ବିଦୁଭଣ୍ଡାର’ ଘାଟୀ କଥା । ଅବଶ୍ୟ ଏହା ତୁଳନାରେ ‘ବିଦୁଭଣ୍ଡାର’ ଘାଟୀ କିଛି ନୁହେଁ, ମାତ୍ର ରାସ୍ତା ତୁଳନାରେ ‘ଛୋଟପାଲୁ’ ଠାରୁ ବିଦୁଭଣ୍ଡାରର ଅବଶ୍ୟ ଟିକିଏ ଗୁରୁତ୍ଵ ଅଛି । ‘ବିଦୁଭଣ୍ଡାର’ ଏଯାକେ ଗିରିସଙ୍କଟ ନାମର ସାର୍ଥକତା କେତେକ ଅଂଶରେ ବଜାୟ ରଖିଛି । ଗାଡ଼ି ଗୋଟିକ ପରେ ଗୋଟିଏ ବାଙ୍କ ବୁଲି ଆଗକୁ ଚାଲିଥାଏ । ଗଡ଼ାଣିଆ ରାସ୍ତା- ଚତୁର୍ଦ୍ଦିଗରେ ଦିଗନ୍ତ ପ୍ରସାରିତ ନିବିଡ଼ ଅରଣ୍ୟ । ଦୂରରେ ନୀଳ ଗିରିମାଳା ଆକାଶ ପଟରେ ଚିତ୍ରିତ । ଏ ଅଭିନବ ଦୃଶ୍ୟ ମଧ୍ୟରେ ମୁଁ ମୂକ ହୋଇ ବସି ରହିଥାଏ ।

 

ହଠାତ୍ ମୋର ସମସ୍ତ ଚିନ୍ତାଧାରାରେ ବାଧାଦେଇ ମୋର ପାର୍ଶ୍ଵ ଉପବିଷ୍ଟା ଗାର୍ଲ ସ୍କାଉଟର୍‍ କୁମାରୀ ସୁଶୀଳା ଦେବୀ ମୁହଁରେ ରୁମାଲ ଗୁଞ୍ଜି ହସି ଉଠିଲେ, ଆଉ ମୋତେ ପଛକୁ ଫେରି ଚାହିଁବାକୁ ଇଙ୍ଗିତ କଲେ । ପଛକୁ ଚାହିଁ ଦେଖେଁ–ସହଯାତ୍ରୀଙ୍କ ମଧ୍ୟରେ ଏକ ନରମ ଝଗଡ଼ା ଲାଗି ଯାଇଛି । କଥା କଣ, ପଚାରି ବୁଝିଲି–ଖୁବ୍‍ ପ୍ରତ୍ୟୁଷରୁ ଉଠିଥିବା ଫଳରେ କେତେକଙ୍କୁ ତନ୍ଦ୍ରାର ଆବେଶ ଆସି ଯାଇଥିଲା–ହଠାତ୍ ଗାଡ଼ି ଗୋଟିଏ ତୀକ୍ଷ୍‍ଣ ବାଙ୍କ ବୁଲିଲା ବେଳକୁ ମୁଣ୍ଡକୁ ମୁଣ୍ଡ ଧକ୍‍କା ଧକ୍‍କି ହୋଇଗଲା । ଏଣୁ ପ୍ରତ୍ୟେକ ଆଘାତପ୍ରାପ୍ତ ବ୍ୟକ୍ତି ପ୍ରମାଣ କରିବାକୁ ଚାହେଁ ଯେ, ଅପର ବ୍ୟକ୍ତି ଜାଣିଶୁଣି ତାକୁ ଏପରି ଥଟ୍ଟା କରିଛି । ଏ ଦୃଶ୍ୟରେ ମୁଁ ମଧ୍ୟ ନ ହସି ରହିପାରିଲି ନାହିଁ ।

 

ଏଥର ପାହାଡ ଉପରୁ ଦାମୋଦରର ଉପତ୍ୟକା ଓ ରାମଗଡ଼ର ଦୃଶ୍ୟ ଦେଖାଗଲା । ଏଇଠୁ ହଜାରିବାଗ ଜିଲାର ଆରମ୍ଭ । ଏ ଅଞ୍ଚଳର ପ୍ରାକୃତିକ ଦୃଶ୍ୟରାଜିରେ ମୂଗ୍‍ଧ ହୋଇ ହଣ୍ଟର ସାହେବ ତାଙ୍କ ବିବରଣୀରେ ଲେଖିଛନ୍ତି :–

 

“The general aspect of the country is pleasing. The rich red of tilled soil contrasts well with the varied colours of the tree, foliage, the greyish green of the jungle grass, and the dark rock which crops up at intervals. Abrupt ascents or descents and winding passes continually open up fresh points of view; rocky hills wooded almost to their summits are dotted over the area, sometimes forming part of a range, and sometimes arising as isolated eminences from the table land, so that even in the most level parts of the district, the horizoa is marked by a background of purple hills in outline against the sky.”

 

ଏଥର ଟାକ୍‍ସି ପାହାଡ଼ରୁ ଓହ୍ଳାଇ ସମତଳ ପ୍ରଦେଶରେ ପ୍ରବେଶ କଲା । ସମ୍ମୁଖରେ ବି.ଏନ୍. ଆର୍. ର ରେଲ ଲାଇନ । ବାମ ପାର୍ଶ୍ଵରେ ‘ବିଜୁଳିଆ’ (ରାମଗଡ଼ ସହର) ଷ୍ଟେସନ । ଦୀର୍ଘ ତିରିଶ ମାଇଲ ପଥ ଅତିକ୍ରମ କରି ଠିକ୍ ସାଢ଼େ ସାତଟା ବେଳକୁ ଗାଡ଼ି ଆସି ଠିଆ ହେଲା ଗୋଟିଏ ବଙ୍ଗଳା ନକଟରେ ।

 

ହର୍ଣ୍ଣ ଶବ୍ଦ ଶୁଣି ଭିତରୁ ଜଣେ ଭଦ୍ରଲୋକ ବାହାରି ଆସିଲେ, ନାମ ଶ୍ରୀ ଅମ୍ବିକାକାନ୍ତ ସିଂହ–ପ୍ରସ୍ତାବିତ “ମଜହରପୁରୀ” କଂଗ୍ରେସ ନଗରର ତତ୍ତ୍ଵାବଧାରକ । ତାଙ୍କ ନାମରେ ଖଣ୍ଡିଏ ଚିଠି ଥିଲା । ଚିଠିଟି ତାଙ୍କୁ ଦିଆଗଲା । ସେ ଆମକୁ ଦେଖି ବଡ଼ ଖୁସି ହେଲେ ଏବଂ ଖାଇପିଇ ହୁଣ୍ଡରୁ ଯିବା ନିମନ୍ତେ ଅନୁରୋଧ କଲେ । ଫଳରେ ଆମେ ରାମଗଡ଼ ବୁଲି ଦେଖିବା ପାଇଁ ଟିକିଏ ଅବସର ପାଇଲୁଁ ।

 

ରାମଗଡ଼ ! କିଛିଦିନ ଆଗରୁ ପ୍ରାୟ ଏହାର ନାମ ମଧ୍ୟ ଅନେକ ଶୁଣି ନ ଥିଲେ । ପାହାଡ଼ ଆଉ ଗଭୀର ଅରଣ୍ୟ ମଧ୍ୟରେ ଦାମୋଦର ତଟରେ ଏହା ଏକାବେଳେକେ ଅଜ୍ଞତ ଓ ଅବହେଳିତ ହୋଇ ପଡ଼ି ରହିଥିଲା । ମାତ୍ର ସେହି ରାମଗଡ଼ ଆଜି ନିଖିଳ ଭାରତ କଂଗ୍ରେସର ୫୩ଶ ଅଧିବେଶନ ନିମନ୍ତେ ନିର୍ବାଚିତ ହୋଇ ଜନ ସମାଜରେ ଏକ ଆଲୋଚ୍ୟ ବସ୍ତୁ ସଙ୍ଗେ ସଙ୍ଗେ ଦର୍ଶନୀୟ ସ୍ଥାନରୂପେ ଛିଡ଼ା ହୋଇ ପାରିଛି ।

 

୧୩୬୮ ଖ୍ରୀ: ରେ ବୁନ୍ଦେଲ ଖଣ୍ଡରୁ ସିଂହଦେଓ ନାମରେ ଜଣେ ରାଠୋର ବଂଶୀୟ ବୀର ଆସି ଏ ଅଞ୍ଚଳରେ ସ୍ଥାପନ କରିଥଲେ । ତା’ପରେ ତାଙ୍କର ପରବର୍ତ୍ତୀ ରାଜା ରାମସିଂହ ୧୬୮୦ ଖ୍ରୀ : ରେ ରାମଗଡ଼ରେ ତାଙ୍କର ଦୁର୍ଗ ସ୍ଥାପନ କଲେ ଏବଂ ଦାମୋଦରର ଦକ୍ଷିଣ ତୀରରେ କେତେକ ମନ୍ଦିର ସ୍ଥାପନ କରିଥିଲେ । ଏବେ ସୁଦ୍ଧା ଏ ସବୁର ଧ୍ଵଂସାବଶେଷ ଓ ଦାମୋଦର କୂଳସ୍ଥିତ ରାମେଶ୍ଵର ମନ୍ଦିରର ଜୀର୍ଣ୍ଣାବସ୍ଥା ଅତୀତର ଗୌରବଗୀତି ପଥିକର କାନେ କାନେ ଶୁଣାଇ ଯାଉଛି । ରାଜାରାମ ସିଂହଙ୍କ ନାମାନୁସାରେ ଏ ସ୍ଥାନର ନାମ ହେଲା ରାମଗଡ଼ ।

 

୧୭୪୦ ଖ୍ରୀ: ର କଥା–ରାମଗଡ଼ର ରାଜନୀତିକ ଗଗନରେ ଏକ ଭୀଷଣାକାର ତୋଫାନ ଖେଳିଗଲା । ପଠାଣ ସରଦାର ହିଦାୟତ ଅଲି ଖାଁ ନିଜର ସୌନ୍ୟ ସାମନ୍ତ ସହ ରାମଗଡ଼ ଆକ୍ରମଣ କଲା । ରାଜପୁତମାନେ ମଧ୍ୟ ନିଜର କମର କସି ନେଲେ । ତରବାରୀର ଝନତ୍‍କାରରେ ବନସ୍ଥଳୀକମ୍ପି ଉଠିଲା । କିନ୍ତୁ ଦୁର୍ଭାଗ୍ୟ, ଶେଷରେ ରାଜପୁତ୍ ସେନା ପଛକୁ ହଟିଗଲେ–ହିଦାୟତ ଅଲୀ ଖଁ ରାମଗଡ଼ ଦଖଲ କଲେ । ସେତିକିବେଳେ ମୋଗଲ ବାଦଶାହଙ୍କ ବିରୁଦ୍ଧରେ ମରହଟ୍ଟା ସରଦାର ବୀର କେଶରୀ ଶିବାଜୀଙ୍କର ବିଜୟ ଅଭିଯାନ ଚାଲିଥାଏ;ସୁତରାଂ ହିଦାୟତ ଅଲିଙ୍କୁ ଯାଇ ମରହଟ୍ଟାମାନଙ୍କ ସହିତ ଲଢ଼ିବାକୁ ପଡ଼ିଲା- ଏଣେ ରାମଗଡ଼ର ସିଂହାସନ ପୁଣି ରାଜପୁତମାନଙ୍କ କରଗତ ହେଲା ।

 

ପୁଣି ୧୭୭୨ ଖ୍ରୀ: ର କଥା–ଇଂରେଜ ସେନାପତି ଗଡ଼ାର୍ଡ଼ ରାମଗଡ଼ ଉପରେ ଚଢ଼ାଉ କଲେ । ବିହାର ପଲାସୀର ଅଭିନୟ ହୋଇଗଲା ଏହି ରାମଗଡ଼ର ରଙ୍ଗମଞ୍ଚରେ । ରାଜା ମୁକୁନ୍ଦ ସିଂହ ପରାଜିତ ଓ ବନ୍ଦୀ ହେଲେ । ବିହାର ପ୍ରଦେଶରେ ଇଂରେଜଙ୍କ ଅଧିକାର ସୁପ୍ରତିଷ୍ଠିତ ହେଲା । ଏହି ଯୁଦ୍ଧରେ ମିରକାଶିମର ଅଂଶ ଅଭିନୟ କଲେ ରାଜା ମୁକୁନ୍ଦ ସିଂହଙ୍କ ଭାଇ ଓ ସେନାପତି ତେଜ ସିଂହ । ଫଳରେ ଇଂରେଜ ସେନାପତି ତାଙ୍କର ମୁଣ୍ଡରେ ରାଜମୁକୁଟ ପିନ୍ଧାଇ ଦେଲେ । ତେଜ ସିଂହ ନାମମାତ୍ର ରାଜା ହୋଇ ରହିଲେ । ଏଥର ପୁରୁଣା ରାଜଧାନୀ ଆଉ ତାଙ୍କ ମନ ଲାଗିଲା ନାହିଁ । ରାମଗଡ଼ର ୪୦ ମାଇଲ ଉତ୍ତରରେ ଇଚାକ୍‍ରେ ସେନିଜର ରାଜଧାନୀ ସ୍ଥାପନ କଲେ ।

 

ଊନବିଂଶ ଶତାବ୍ଦୀର ଶେଷ ଭାଗରେ ରାଜା ନେମ ନାରାୟଣ ସିଂହ ପଦ୍‍ମାକୁ ତାଙ୍କର ରାଜଧାନୀ ଉଠାଇ ନେଲେ । ପଦ୍‍ମା ରାମଗଡ଼ର ଉତ୍ତରରେ ୪୮ ମାଇଲ ଦୂରରେ ଅବସ୍ଥିତ । ନେମ ନାରାୟଣ ସିଂହ ମୃତ୍ୟୁ କାଳରେ ମଧ୍ୟ ଜଣେ ସାମାନ୍ୟ ଜମିଦାର ଅବସ୍ଥାରେ ଥିଲେ । ତାଙ୍କର ମୃତ୍ୟୁପରେ ତାଙ୍କ ନାବାଳକ ପୁତ୍ର ଲକ୍ଷ୍ମୀନାରାୟଣଙ୍କ ଜମିଦାରୀ କୋର୍ଟ-ଅଫ-ୱାର୍ଡ଼ସଙ୍କ ହାତକୁ ଗଲା । ସେ ସମୟରେ ଆରମ୍ଭ ହେଲା ପ୍ରଥମ ଜର୍ମାନ ଯୁଦ୍ଧ । କୋଇଲାର ଦର ବିସ୍ତର ବଢ଼ିଗଲା । ସେତେବେଳେ ରାମଗଡ଼ ଜମିଦାରୀରେ ଅଜସ୍ର କୋଇଲା ଖଣି ବାହାର ହେଉଥାଏ । ଫଳରେ ତାଙ୍କର ବାଇଶ ଲକ୍ଷ ଟଙ୍କା ଆୟ ହେଲା । ରାଜା ଲକ୍ଷ୍ମୀନାରାୟଣ ସିଂହଭୂମିର ପୋଡ଼ାହାଟ ରାଜାଙ୍କ କନ୍ୟାକୁ ବିବାହ କରିଥିଲେ ଏବଂ ମୃତ୍ୟୁ ପୂର୍ବରୁ ଦୁଇଟି ପୁତ୍ର ସନ୍ତାନ ରଖି ଯାଇଥିଲେ ।

 

ବର୍ତ୍ତମାନ ତରୁଣ ମହାରାଜା ଶ୍ରୀ କାମାଖ୍ୟାନାରାୟଣ ସିଂହ ଅଳ୍ପଦିନ ହେଲା ଗାଦି ପାଇଛନ୍ତି ଏବଂ ନେପାଳ ରାଜାଙ୍କ ଝିଆରୀଙ୍କୁ ବିବାହ କରିଛନ୍ତି । ରାମଗଡ଼ ରାଜା ବିହାର ପ୍ରଦେଶର ଅନ୍ୟତମ ଶ୍ରେଷ୍ଠ ଧନୀ । ରାମଗଡ଼ ଜମିଦାରୀର ଆୟତନ ପ୍ରାୟ ୫,୦୯୦ ବର୍ଗ ମାଇଲ ହେବ । ମହାରାଜାଙ୍କ ସାନଭାଇ କୁମାର ବସନ୍ତ ନାରାୟଣ ସିଂହ ବର୍ତ୍ତମାନ ଇଉରୋପରେ ଅଛନ୍ତି । ସେ ଖୁବ୍ ନିକଟରେ ଫେରି ମହାରାଜାଙ୍କ ଚିଫ୍ ସେକ୍ରେଟେରୀର କାର୍ଯ୍ୟଭାର ଗ୍ରହଣ କରିବେ ।

 

ମହାରାଜା କାମାଖ୍ୟା ନାରାୟଣ ରାମଗଡ଼ କଂଗ୍ରେସ ଅଧିବେଶନ ପାଇଁ ୨୦୦ ଏକର ଜମି ଛାଡ଼ି ଦେଇଛନ୍ତି ଏବଂ ତିନିଲକ୍ଷ ବାଉଁଶ ଓ ୪୦ ହଜାର ଶାଳ ରଳା ତାଙ୍କ ଜଙ୍ଗଲରୁ ନେବାପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ରାମଗଡ଼ ବର୍ତ୍ତମାନ ୪୦୦–୫୦୦ ଘରର ବସ୍ତି । ଛୋଟ ଦୋକାନ ବଜାର ଅଛି । ଡାକ ଓ ତାର ଘର, ତହସିଲ ଅଫିସ, ଡାକ୍ତରଖାନା ପ୍ରଭୃତି ଅଛି । ନିକଟକରେ ଆରଗାଡ଼୍‍ଡ଼ା, ସିରକା ପ୍ରଭୃତି ବଡ଼ ବଡ଼ କୋଇଲା ଖଣି ଅଛି । ରାଞ୍ଚି-ହଜାରିବାଗର ପ୍ରଧାନ ସଡ଼କ ରାମଗଡ଼ ଦେଇ ଯାଇଛି । ଏ ରାସ୍ତାରେ ପ୍ରତି ଦୁଇ ଘଣ୍ଟାରେ ସର୍ଭିସ ବାସ୍‍ ଯାତାୟାତ କରେ ।

 

ପ୍ରସ୍ତାବିତ ‘ମଜହର ପୁରୀ’ ଓ ପ୍ରାଚୀନ ରାମଗଡ଼ର ଧ୍ୱଂସାବଶେଷ ପ୍ରଭୃତି ବୁଲି ଆସି, ଦାମୋଦରକୁ ଚାଲିଲୁ ଗାଧୋଇବାକୁ । ଦାମୋଦର ପୋଲଟି ଗୋଟିଏ ଅଭିନବ ଦୃଶ୍ୟ । ଏଠାରେ ଅନେକ ଦାମୋଦରକୁ ‘ଦେଓନଦ’ ବୋଲି କହନ୍ତି । ନିକଟବର୍ତ୍ତୀ ୪୦ ବର୍ଗମାଇଲ ଧରି ଦାମୋଦରର ଦୁଇ ପାର୍ଶ୍ଵସ୍ଥ ଉପତ୍ୟକା ଭୂମି ଖଣିଜ ସମ୍ପଦରେ ପରିପୂର୍ଣ୍ଣ । ନଅଟା ବାଜିବା ଉପରେ-। ତରବରରେ ଗାଧୋଇ ଆସି ଭାତ, ରୁଟି, ପାଁପଡ଼ ପ୍ରଭୃତି ନାନା ଖାଦ୍ୟ ସାମଗ୍ରୀରେ ଉଦର ପୂର୍ଣ୍ଣ କରି ଅଫିସ ଗୃହରେ ବିଶ୍ରାମ ନେଲୁଁ । ସେଇଠି ମୋର ଦୃଷ୍ଟି ଆକର୍ଷଣ କଲା ଓଡ଼ିଆ ଶିଳ୍ପୀ ଶ୍ରୀ ଉପେନ୍ଦ୍ର ମହାରଥୀଙ୍କ କଂଗ୍ରେସ ଅଧିବେଶନ ନିମନ୍ତେ ଅଙ୍କିତ କେତେକ ଛବି । ବନ୍ଧୁମାନଙ୍କୁ ଦେଖାଇ ଜଣାଇ ଦେଲି ଯେ ଏହି ସବୁ ଛବିର ଶିଳ୍ପୀ ଆମ ଦେଶର ଜଣେ ଲୋକ । ଉପେନ୍ଦ୍ରବାବୁ ତାଙ୍କର ଚିତ୍ରକଳା ପାଇଁ ବିହାର ପ୍ରଦେଶରେ ଅତି ସୁପରିଚିତ ।

 

ବିଶ୍ରାମରେ ବାଧା ଦେଇ ବିଗୁଲ ‘ହୁଣ୍ଡରୁ’ ପଥ ଧରିବାକୁ ନିର୍ଦ୍ଦେଶ କଲା । ଅମ୍ବିକା ବାବୁଙ୍କ ଠାରୁ ବିଦାୟ ନେଇ ଫେରନ୍ତା ବାଟରେ ଜଳଯୋଗର ଘର ତାଙ୍କ ଉପରେ ଲଦିଦେଇ ଟାକ୍‍ସିରେ ଆସି ବସିଲୁ । ଟାକ୍‍ସି ଏଥର ପୂର୍ବାଭିମୁଖରେ ‘ଗୋଲା’ ର ସଡ଼କ ଧରି ଧାଇଁଲା ।

 

ରାମଗଡ଼ରୁ ଗୋଲାର ଦୂରତ୍ଵ ୧୫ ମାଇଲ । ଏହି ରାସ୍ତା ପୂର୍ବ ରାସ୍ତା ପରି ପିଚ୍‍ଢ଼ଳା ନୁହେଁ । ଦଶ ମାଇଲ ବାଟ ଗଲାପରେ ପ୍ରଥମ ଗାଆଁ ଭେଟିଲୁ ଚିତ୍ରପୁର । ନାମର ସାର୍ଥକତା ବିଶେଷ ଭାବରେ ନ ଥିଲେ ମଧ୍ୟ ସ୍ଥାନଟିର ଦୃଶ୍ୟ ବେଶ୍ ଚମତ୍କାର । ଆଉ ଚାରି ମାଇଲ ପରେ ଭେଡ଼ା ନଦୀ । ଅଳ୍ପଦିନ ହେଲା ହଜାରିବାଗ ଜିଲାବୋର୍ଡ଼ ୧୫,୦୦୦ ଟଙ୍କା ବ୍ୟୟରେ କଲିକତାର କେଦାର ଇଞ୍ଜିନିୟାରିଂ ଓ୍ୟାର୍କସଙ୍କ ଦ୍ଵାରା ଏହା ଉପରେ ଗୋଟିଏ ପୋଲ ତିଆରି କରାଇଛନ୍ତି । ମାଇଲିଏ ପରେ ଛୋଟ ସହର ‘ଗୋଲା’ । ଗୋଲାର ପୂର୍ବ ଦିଗରେ କାମ୍‍ତା ନଦୀ ବହି ଯାଉଛି । ଏଠାରେ ଡାକ୍ତରଖାନା, ଥାନା, ହାଇସ୍କୁଲ, ରାଧାକୃଷ୍ଣଙ୍କର ଗୋଟିଏ ସୁଦୃଶ୍ୟ ମନ୍ଦିର ଅଛି ।

 

ଗୋଲାରୁ ପ୍ରାୟ ୧୦ ମାଇଲ ଦକ୍ଷିଣରେ ‘ହୁଣ୍ଡରୁ ପ୍ରପାତ’ । କାଳ ବିଳମ୍ବ ନ କରି ଗାଡ଼ି ସେଇ ଦିଗରେ ଛୁଟିଲା । ଦୁଇ ପାର୍ଶ୍ଵରେ ସବୁଜ ପାହାଡ଼ ଶ୍ରେଣୀ ଗୋଟିକ ପରେ ଗୋଟିଏ ଲମ୍ବି ରହିଛି । ନଅ ମାଇଲ ପଥ ଅତିକ୍ରମ କଲାପରେ ସମ୍ମୁଖରେ ପଥରୋଧ କଲା, ଗୋଟିଏ ଛୋଟ ପାହାଡ଼ । ତଳେ କାଡ଼ାମାରା, ଟୋନାଗାତୁ, ବରିହାତୁ ନାମକ ସାନ ସାନ ଗାଆଁ । ପାଞ୍ଚ ମାଇଲ ଦୀର୍ଘ ଏଇ ପାହାଡ଼ ଅତିକ୍ରମ କଲେ ଯାଇ ସୁବର୍ଣ୍ଣରେଖାର ଜଳପ୍ରପାତ ଦେଖିବାକୁ ମିଳିବ । ପାହାଡ଼ ତଳର ବରିହାତୁ ଗାଁରେ ଟାକ୍‍ସି ଓ ଡ୍ରାଇଭରକୁ ଛାଡ଼ି ଆମେ ଏକ କୁର୍‍ମି ଯୁବକକୁ ପଥପ୍ରଦର୍ଶକ ରୂପେ ଘେନି ପାହାଡ଼ ଉଠି ଚାଲିଲୁ । ଏହି ପାହାଡ଼ ଉପରେ ବେଦିଆ, କୁର୍‍ମି,ମାହାତୋ ଓ କାହାର ଜାତିର ସାନ ସାନ ବିକ୍ଷିପ୍ତ ଗ୍ରାମ ସବୁ ରହିଛି । ଆମର ପଥପ୍ରଦର୍ଶକଟି ଅବୋଧ୍ୟ ଭାଷାରେ କଣ ସବୁ ଗୀତ ଗାଇ ଗାଇ ବାଟ କଢ଼ାଉଥିଲା ।

 

ଆଶ୍ଚର୍ଯ୍ୟ ହେଲି ଦେଖି–ସୁଶୀଳା ଦେବୀ ଏ ବନ୍ଧୁର ପାର୍ବତ୍ୟ ପଥରେ ଆମଠାରୁ ଆହୁରି ଦ୍ରୁତ ଗତିରେ ଅଗ୍ରସର ହୋଇ ପାରୁଥିଲେ । ଏଇଥିରୁ ବୁଝା ଯାଉଥିଲା, ପୁରୁଷ ଅପେକ୍ଷା ନାରୀର ଆଗ୍ରହ କେଡ଼େ ବେଶୀ ପ୍ରାକୃତିକ ଶୋଭା ସନ୍ଦର୍ଶନ ନିମନ୍ତେ । ସେ ନିଜେ ଯେ ଗୋଟିଏ ପ୍ରକୃତି ! ପାହାଡ଼ ଉପରେ ଗୋଟିଏ ଖପର ଘର ଦେଖିଲୁ । ଏହାକୁ ଦଗ୍‌ଓଆରୀ ବଙ୍ଗଳା ବୋଲି କହନ୍ତି । ପୂର୍ବେ ପାହାଡ଼ ପଥଚାରୀ କର୍ମଚାରୀମାନଙ୍କ ଥାନା ସ୍ୱରୂପ ବ୍ୟବହୃତ ହେଉଥିଲା ।

 

କେତେବେଳେ ପାହାଡ଼ ଉପରକୁ ଉଠୁଛୁ, ଆଉ କେତେବେଳେ ବା ଓହ୍ଳାଉଛୁ । ଏହିପରି ପ୍ରାୟ ଘଣ୍ଟାଏ କାଳ ପରିଶ୍ରମ କରି ଅବଶେଷରେ ଯେତେବେଳେ ଶ୍ରାନ୍ତ ମନ, ଘର୍ମାକ୍ତ କଳେବର ନେଇ ପାହାଡ଼ର ଶିଖର ଦେଶରେ ପହଞ୍ଚିଲୁ ଦୂରରେ ଠିକ୍ ସମୁଦ୍ର ଗର୍ଜନ ପରି ଶବ୍ଦ ଶୁଣିବାକୁ ପାଇ ବୁଝିଲୁ, ଏହାହିଁ ଆମର କାମନାର ଧନ–ସୁବର୍ଣ୍ଣରେଖାର ଜଳପ୍ରପାତ ହୁଣ୍ଡରୁର ଗୁରୁଗମ୍ଭୀର ସ୍ଵାଗତ ସମ୍ଭାଷଣ । ଏହି ଅଧିତ୍ୟକାରେ ଛିଡ଼ା ହୋଇ ପୂର୍ବ ଦିଗକୁ ଦୃଷ୍ଟିପାତ କଲାମାତ୍ରକେ ମୋର ନୟନ ସମ୍ମୁଖରେ ଯେଉଁ ଅପୂର୍ବ ମହନୀୟ ଛବିର ଦୃଶ୍ୟ ଭାସି ଉଠିଲା, ତାହା କେବେ ଭୁଲିବାର ନୁହେଁ । ସୁବର୍ଣ୍ଣରେଖାର ସ୍ରୋତଧାରା ଛୁଟିଛି ପାହାଡ଼ର ବକ୍ଷ ଭେଦକରି, ପୁଣି ଲୁଚି ଯାଇଛି ଯାଇଦୂର ଦିଗ୍‍ବଳୟ ସେ ପାଖରେ । ରେଖା ସୁବର୍ଣ୍ଣ ନୁହେଁ–ଶ୍ୟାମଳ ବନାନୀ ବକ୍ଷରେ ଯେପରି ତରଳ ରଜତର ଏକ ବଙ୍କିମ ରେଖାପାତ ! ଦୁଇ ପାର୍ଶ୍ୱରେ ଉତ୍ତୁଙ୍ଗ ଶୈଳମାଳା–ମଝିରେ ନଦୀ । କ୍ଷଣକାଳ ସ୍ତବ୍‍ଧ ହୋଇ ସେଇଠି ବସି ପଡ଼ିଲି ।

 

ପାହାଡ଼ର ୫୦୦ ଫୁଟ ତଳକୁ ଓହ୍ଳାଇଲୁ । କୁଳୁ କୁଳୁ ନାଦରେ ତରଙ୍ଗହୀନ ସ୍ଵଚ୍ଛଜଳଧାରା ଧାଇଁ ଚାଲିଛି ଦୂରରୁ ଦୂରକୁ–ସାଗର ସଙ୍ଗମ ଉଦ୍ଦେଶ୍ୟରେ । ଯେପରି ବିରହ ବିଧୁରା ପ୍ରିୟା ଛୁଟିଛି ତାର ପ୍ରିୟତମର ସନ୍ଧାନରେ ! ଦୂରରେ ଶ୍ୟାମଳବନାନୀ ତାରି ଭିତରେ ରୁକ୍ଷ ପାହାଡ଼ର ବକ୍ଷ ଭେଦ କରି ଏ ଯେପରି ଏକ ନନ୍ଦନ ମନ୍ଦାକିନୀର ଅମୃତ ଧାରା । ତାରି ସ୍ପର୍ଶରେ ମୁକ୍ତ ହେବା ପାଇଁ ପାହାଡ଼ର ଚାରିଆଡ଼ୁ ଛୁଟି ଆସୁଛି ଝରଣା ଧାରା ସମୂହ–ଗୋଟିଏ ନୁହେଁ, ଦିଓଟି ନୁହେଁ- ଅନେକ; କେତେ ରୂପରେ, କେତେ ଛନ୍ଦରେ ଅବିରାମ ଛୁଟି ଚାଲିଛି ।

 

ନଦୀ ଗର୍ଭ ମଧ୍ୟରେ କ୍ଷୁଦ୍ର ବୃହତ୍ ପ୍ରସ୍ତର ଶ୍ରେଣୀ ସଗର୍ବରେ ମୁଣ୍ଡ ଟେକି ଦଣ୍ଡାୟମାନ- କିଏ ଯେପରି ଅପୂର୍ବ ବିନ୍ୟାସ କୌଶଳ ସ୍ତରେ ସ୍ତରେ ତାକୁ ସଜାଇ ଦେଇ ଯାଇଛି । ସହସ୍ର ବର୍ଷ ଆଗରୁ ଯେଉଁମାନେ ଏହା ଦେଖିଯାଇଥିଲେ ହୁଏତ ଠିକ୍ ଏହିପରି ଦେଖି ଯାଇଛନ୍ତି । ଅବିରାମ ସ୍ରୋତର ପ୍ରବଳ କଷାଘାତରେ ସୁଦ୍ଧା ୟାଙ୍କର କ୍ଷୟ ବୃଦ୍ଧି କିଛି ନାହିଁ ! କିଅପୂର୍ବ ଦୃଶ୍ୟ ! ନୟନ ମନ ସାର୍ଥକ ହୋଇଯାଏ ।

 

ପ୍ରଧାନ ସ୍ରୋତର କୂଳେ କୂଳେ କୂଳେ ଚାଲିଲି ଉତ୍ତରାଭିମୁଖୀ ହୋଇ-ସ୍ରୋତ ଅତିକ୍ରମକରି । ପ୍ରପାତର ଶବ୍ଦ ଯେଉଁଠାରେ ଖୁବ୍ ବେଶୀ ସେହି ସ୍ଥାନକୁ ଚାଲିଲି । ସମ୍ମୁଖରେ ପ୍ରକାଣ୍ଡ ପଥର ସବୁ ଗୋଟିକ ଉପରେ ଗୋଟିଏ ଛିଡ଼ା ହୋଇଛି । କେଉଁଠି ବସି କେଉଁଠି ଡିଆଁ ମାରି ଉପରକୁ ଉଠିଲି- ଟିକିଏ ଅସାବଧାନରେ ଜୀବନର ଆଶଙ୍କା ରହିଛି । ପ୍ରପାତ ନିକଟକୁ ଯାଇ ଦେଖିଲି ଏକ ବିସ୍ମୟକର ବିରାଟ ଦୃଶ୍ୟ ! ପ୍ରାୟ ୩୦୦ ଫୁଟ ଉଚ୍ଚ ପାହାଡ଼ ଉପରୁ ଅଜସ୍ର ଜଳଧାରା ପାହାଡ଼ର ତିନି ଚାରୋଟି ସ୍ତରରେ ଭୀମଗର୍ଜନରେ ତଳକୁ ଡେଇଁ ପଡ଼ୁଛି ଏକ ପ୍ରଶସ୍ତ ପ୍ରସ୍ତର ବକ୍ଷରେ । ଉପରକୁ ଦୃଷ୍ଟି ଫେରିଲେ ଦେଖାଯାଏ, ସେଠାରେ ଆକାଶବ୍ୟାପୀ ବିକ୍ଷିପ୍ତ ଜଳକଣା ସୂର୍ଯ୍ୟାଲୋକ ସଂସ୍ପର୍ଶରେ ସପ୍ତବର୍ଣ୍ଣର ଏକ ବିରାଟ ଚାରୁଚିତ୍ର ସୃଷ୍ଟି କରିଛି । ସେଇ ବିଚିତ୍ର ଇନ୍ଦ୍ରଧନୁ ଭେଦ କରି ହରଡ଼ ଚଢ଼େଇଦଳ ଏକ ପାର୍ଶ୍ଵରୁ ଅପରପାଶ୍ଵକୁ ଉଡ଼ି ଯାଉଛନ୍ତି ।

 

ଶେଷ ସ୍ତରରେ ଆଘାତପ୍ରାପ୍ତ ଜଳଧାରା ଯେପରି ରାଶି ରାଶି ଭିଣା ତୁଳା ପରି ଆକାର ଧାରଣ କରିଛି । ଆଖି ବୁଜି ଦୃଦମନ୍ଦିରରେ ଏ ଦୃଶ୍ୟଟିର ଚିତ୍ର ଆଙ୍କି ନେଲି । ଆଖି ଖୋଲି ପୁଣି ଦେଖିଲି, କିନ୍ତୁ ତେବେ ମଧ୍ୟ ନୂଆ ରୂପ ଧରି ଆଖି ଆଗରେ ନାଚି ଉଠିଲା । ଏତିକିବେଳେ କବିଙ୍କର ଦି’ପଦ କଥାର ସାର୍ଥକତା ଉପଲବ୍‍ଧି କରିପାରିଥିଲି–

 

“ସୁନ୍ଦରେ ତୃପ୍ତିର ଅବସାଦ ନାହିଁ,

ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।"

 

ପାଣି ଭିତରେ ପଶି କେହି କେହି ପୁଣି ଥରେ ଗାଧୋଇଲୁ । ସ୍ରୋତରେ ବେଶୀ ସମୟ ଛିଡ଼ା ହୋଇ ରହିହୁଏ ନାହିଁ । ଏକେ ତ କେତେକ ସ୍ଥାନରେ ଚୋରାବାଲି ଅଛି, ପୁଣି ପାଣି ଭିତରେ ଦାଢ଼ୁଆ ପଥର ସବୁ ଲୁଚି ରହିଛି । ୟା’ ଉପରେ ଅନ୍ୟ ବନ୍ଧୁମାନଙ୍କ ଡାକରା ପଡ଼ିଲା । ଶୀଘ୍ର କାମ ସାରିବା ପାଇଁ । ସନ୍ଧ୍ୟାକୁ ରାମଗଡ଼ରେ ପହଞ୍ଚିବାକୁ ହେବ–ସେମାନେ ପାଟନା ଯିବେ । ଏଣେ ପୁଣି ରାଜରୁପପା ବାକି ରହିଛି । ସେମାନଙ୍କ ତାଡ଼ନାରେ କାଳବିଳମ୍ବ ନ କରି ପୋଷାକପତ୍ର ପିନ୍ଧି ଟାକ୍‍ସି ପାଖକୁ ଚାଲିଲୁ । ପଥପ୍ରଦର୍ଶକ କୁର୍‍ମି ଯୁବକଟିକୁ କିଛି ପାରିଶ୍ରମିକ ଦେଇ ତା’ ଠାରୁ ବିଦାୟ ନେଲୁ । ଫେରିବାକୁ ମଧ ଘଣ୍ଟାଏ ସମୟ ଲାଗିଲା । ଆମ୍ଭମାନଙ୍କର ଫେରିବାର ବିଳମ୍ବ ଦେଖି ଡ୍ରାଇଭର ବଡ଼ ବିରକ୍ତ ହୋଇରହିଥିଲା । ଏଣୁ ଆମେ ଆସନ ଗ୍ରହଣ କଲା ମାତ୍ରକେ ସେ ଟାକ୍‍ସିକୁ ଛୁଟାଇ ଦେଲା ତୀର ବେଗରେ । କିଛି ସମୟ ପରେ ଗୋଲା ଅତିକ୍ରମ କରି ଆମେ ରାଜରୁପ୍‍ପା ପଥ ଧଇଲୁ ।

 

ଗୋଲାର ଆଠ ମାଇଲ ଉତ୍ତରରେ ଭେଡ଼ା ଓ ଦାମୋଦରର ସଙ୍ଗମ ସ୍ଥଳ ରାଜରୁପ୍‍ପା-। ଅରଣ୍ୟ ପଥ ଅତିକ୍ରମ କରି ଅଧଘଣ୍ଟା ମଧ୍ୟରେ ରାଜରୁପ୍‍ପାରେ ପହଞ୍ଚିଲୁ | କେତେ ଦିନ ବିତିଗଲାଣି–ଏବେ ମଧ୍ୟ ସେ ଦୃଶ୍ୟ ଚଷୁ ସମ୍ମୁଖରେ ଛବି ପରି ଭାସି ଉଠୁଛି । ଦକ୍ଷିଣରୁ ଭେଡ଼ା ଓ ପଶ୍ଚିମରୁ ଦାମୋଦର ଆସି ଏକତ୍ର ମିଳିତ ହୋଇଛି, ପରେ ଏହି ଯୁକ୍ତ ସ୍ରୋତ ପୂର୍ବବାହିନୀ ହୋଇଛି-। ଗୋଟିଏ ଦିଗରେ ପାଷାଣମୟୀ ପ୍ରକୃତିର ବକ୍ଷ ଭେଦ କରି ଦାମୋଦରର ଉନ୍ନତ ଫେନିଳ ବାରିରାଶି ତୀବ୍ର ବେଗରେ ଫୁଲି ଫୁଲି ଧାଇଁଛି, ଅପର ଦିଗରେ ଭେଡ଼ା ନଦୀ ଜଳପ୍ରପାତ ଆକାରରେ ଭୀଷଣ ଗର୍ଜନ ସହକାରେ ତାରି ବକ୍ଷରେ ଲମ୍ଫ ପ୍ରଦାନ କରୁଛି । ଯେପରି ଦୁଇ ବିରାଟ ଦୈତ୍ୟଙ୍କର ଭୀଷଣ ସଂଘର୍ଷ ଚାଲିଛି ।

 

ସଙ୍ଗମର ଦକ୍ଷିଣ-ପୂର୍ବ ତଟରେ ଦେବୀ ଛିନ୍ନମସ୍ତାଙ୍କ ପ୍ରସ୍ତର ନିର୍ମିତ ମନ୍ଦିର । ମନ୍ଦିରର କଳସ ଉପରେ ତ୍ରିଶୂଳ । ମନ୍ଦିରର ପ୍ରଶସ୍ତ ପ୍ରାଙ୍ଗଣରେ ଦୁଇଟି ଭଙ୍ଗା ମିନାର ଲୁପ୍ତ ବିଭବର ସାକ୍ଷ୍ୟ ଦେଉଛି । ମନ୍ଦିରର ସମ୍ମୁଖ ଭାଗରେ ଏକ କମାଣ ଗୋଲାର କ୍ଷତ ଚିହ୍ନ ରହିଛି-କିନ୍ତୁ ଏସବୁ ପ୍ରତ୍ନତତ୍ତ୍ଵ ଦୃଷ୍ଟି ଆକର୍ଷଣ କରି ପାରି ନାହିଁ ।

 

ମନ୍ଦିର ନିମ୍ନରେ ଦୁଇଟି ହଡ଼ିକାଠ । ଗୋଟିକରେ ଛାଗ ଓ ଅନ୍ୟଟିରେ ମହିଷ ବଳି ଦିଆଯାଏ । ପାର୍ବଣ ସମୟରେ ଏଠାରେ ଗୋଟିଏ ମେଳା ବସେ । ସେଦିନ ପ୍ରାୟ ଶତାଧିକ ଛାଗ ବଳି ପଡ଼େ । ପ୍ରତ୍ୟହ ପ୍ରାୟ ବଳି ପଡ଼େ । ଦୈନିକ ପୂଜାବିଧି ପ୍ରଚଳିତ ଅଛି । ଏଥି ନିମନ୍ତେ ରାମଗଡ଼ ରାଜା ପୂଜାରୀଙ୍କୁ ଗୋଟିଏ ଗ୍ରାମ ନିଷ୍କର ଭାବେ ପ୍ରଦାନ କରିଛନ୍ତି । ଧାରା ଶ୍ରାବଣରେ ଦାମୋଦର ଯେତେବେଳେ ପ୍ରଳୟଙ୍କରୀ ମୂର୍ତ୍ତି ଧାରଣ କରେ, ସେତେବେଳେ ନଦୀର ଅପର ତଟରେ ଘଟ ସ୍ଥାପନ କରି ପୂଜାବିଧି ପରିଚାଳିତ ହୁଏ ।

 

ଏଥିମଧ୍ୟରେ ମନ୍ଦିରର ମୁଁ ପୂଜାରୀ ସହ ଗୋଟିଏ ବଙ୍ଗାଳି ପରିବାର ମଧ୍ୟ ହାଜାରିବାଗରୁ ଆସି ପହଞ୍ଚିଲେ । ସଭିଏଁ ମିଳି ମନ୍ଦିର ମଧ୍ୟରେ ପ୍ରବେଶ କଲୁ । ସମସ୍ତ ମୂର୍ତ୍ତି ଖଣ୍ଡିଏ ପ୍ରସ୍ତର ଫଳକରେ ଉତ୍କୀର୍ଣ୍ଣ । ମୂର୍ତ୍ତିର ବାମ ହସ୍ତରେ ମୁଣ୍ଡ ଓ ଦକ୍ଷିଣ ହସ୍ତରେ ଖଡ଼୍‍ଗ; ଦୁଇ ପାଶ୍ଵରେ ଦୁଇ ଯୋଗିନୀ ମୂର୍ତ୍ତି । ମନ୍ଦିରର ଦୁଇଟି ଗବାକ୍ଷ ନାନାରଙ୍ଗର ବିଚିତ୍ର ବାଲିଗରଡ଼ା ଖଣ୍ଡରେ ପରିପୂର୍ଣ୍ଣ । ପୂଜାରୀ କହିଲେ ଯେ, ଏ ଅଞ୍ଚଳର ଲୋକେ ନିଜର ମାନସସିଦ୍ଧ ହେଲେ ଏହି ବାଲିଗରଡ଼ା ଖଣ୍ଡ ଗବାକ୍ଷରେ ରଖି ଯାଆନ୍ତି । ମନ୍ଦିର ନିକଟରେ ଏକ ବିଶ୍ରାମଶାଳା ନିର୍ମିତ ହୋଇଛି । ଚାରିଆଡ଼େ କେବଳ ଧଳା ପଥର ସୂର୍ଯ୍ୟାଲୋକରେ ଝଲସି ଉଠୁଛି । ସେଇ ଶିଳାଖଣ୍ଡର ବୁକୁ ଚିରି ଦାମୋଦର ତାର ଗନ୍ତବ୍ୟ ପଥ ବାହାର କରିଛି । ପାହାଡ଼ ଗର୍ଭସ୍ଥ ଏରହି ପଥଟି ସଂକୀର୍ଣ୍ଣ, ଭଙ୍ଗପ୍ରବଣ, ଚକଚକିଆ, କରତ ପରି ଧାରୁଆ ପ୍ରସ୍ତରର ସ୍ତରରେ ସଜ୍ଜିତ ବୋଲି ମନେ ହୁଏ । ଆଉ ତାରି ତଳ ଦେଶରେ ଗଭୀର ଜଳର ଗୋଟିଏ କ୍ଷୀଣଧାରା ପ୍ରବହମାନ ।

 

ଏଇ ସେଇ ବର୍ଷାର ଯୌବନସ୍ଫୀତ ବହୁଧ୍ଵଂସୀ ଦାମୋଦର ! ଆଜି ଯେପରି ଉଦାସ ମନରେ ପ୍ରାଣମାତ୍ର ସମ୍ବଳ କରି ମନ୍ଥର ଗତିରେ ଚାଲିଛି । ତା’ ନିକଟରେ ପୁଣି ପ୍ରଳୟଙ୍କରୀ ମୂର୍ତ୍ତୀ ଏହ ଛିନ୍ନମସ୍ତା–ଯେପରି ଧ୍ଵଂସ ଲୀଳାର ନିର୍ଦ୍ଦେଶଦାତ୍ରୀରୂପେ ଛିଡ଼ା ହୋଇଛନ୍ତି । ଅପୂର୍ବ ସାମଞ୍ଜସ୍ୟ ହୋଇଛି–ସ୍ଥାନ ସହିତ ଅଧିଷ୍ଠାତ୍ରୀ ଦେବୀଙ୍କର । ଯେଉଁ ସାଧକ ଏଇ ଦେବୀମୂର୍ତ୍ତି ସ୍ଥାପନ ପାଇଁ ସ୍ଥାନ ନିର୍ବାଚନ କରିଥିଲେ, ସେଇ ଶିଳ୍ପୀ ଓ ସାଧକ ଭାଗ୍ୟବାନ ବ୍ୟକ୍ତି–ଏପରି ସମାବେଶ ନ ହୋଇଥିଲେ ବୋଧହୁଏ ତାଙ୍କର ମନ୍ତ୍ର ସ୍ଫୁର୍ତ୍ତି ସମ୍ଭବପର ହୋଇ ନ ଥାନ୍ତା । କିୟତ୍ ଦୂରରେ ନୟନାଭିରାମ ଗଭୀର ଶ୍ୟାମଳ ବନାନୀ ଅର୍ଦ୍ଧବୃତ୍ତାକାରରେ ସ୍ଥାନଟିକୁ ଘେରି ରହିଛି । ପ୍ରପାତର ଶିକରକଣା ସ୍ଥାନଟିକୁ ସ୍ନିଗ୍‍ଧ ଶୀତଳ କରି ରଖିଛି । ଏ ସ୍ଥାନଟିର ପ୍ରାଚୀନ ନାମ ରାଜତପ ଥିଲା ବୋଲି ଶୁଣିବାକୁ ମିଳେ ।

 

ଉପରେ ଅନନ୍ତ ବିସ୍ତୃତ ନୀଳ ଉଦାର ଆକାଶ । ତାରି ବକ୍ଷରେ ଖଣ୍ଡ ଖଣ୍ଡ ଧଳା ବଉଦ ଧୀର ବତାସର ହିଲ୍ଲୋଳରେ ଭାସି ଭାସି ଚାଲିଛି । ଏଣେ ଧରିତ୍ରୀ ଉପରେ ନବପଲ୍ଲବ ପ୍ରସାରିତ ସୁଶୋଭିତ ଲତାଗୁଳ୍ମ ବୃକ୍ଷରାଜିର ନୟନତୃପ୍ତିକର ଶ୍ୟାମଶୋଭା । ଘନପଲ୍ଲବର ଅନ୍ତରାଳରେ ବିହଙ୍ଗର କଳକଣ୍ଠ । ଆଜି ତାଙ୍କର କଣ୍ଠର ସ୍ଵରରେ ଯେପରି ଅଛି ଉନ୍ମାଦନା, ଆହ୍ୱାନର ସ୍ଵର- ସେ ସ୍ଵର ବୀଣାର ଝଙ୍କାର ଠାରୁ ଆହୁରି ଶ୍ରୁତିମଧୁର ! ଚିନ୍ତାଦଗ୍‍ଧ ମନକୁ ସାନ୍ତ୍ୱନା ଦିଏ, ବିବର୍ଣ୍ଣ ଅଧର କୋଣରେ ଆଙ୍କିଦିଏ ମଧୁର ହସର ରେଖା । ଶିକରସିକ୍ତ ଧୀର ସମୀରଣ ସ୍ପର୍ଶରେ ମଧ୍ୟ ଜାଗିଉଠେ ଏକ ଅପୂର୍ବ ପୁଲକ-ସ୍ପନ୍ଦନ ।

 

ବିଗୁଲର ମନ୍ଦ୍ରନାଦରେ ଚମକି ଉଠି ପ୍ରକୃତିସ୍ଥ ହେଲି । ଏଥର ଫେରିବାକୁ ହେବ । ହାଜାରିବାଗରୁ ଆସିଥିବା ବଙ୍ଗୀୟ ପରିବାର ମଧ୍ୟ ଏଥି ମଧ୍ୟରେ ଫେରି ଯାଇଛନ୍ତି । ସୁଶୀଳା ଦେବୀ ବିଚିତ୍ର ବାଲିଗରଡ଼ା ସଂଗ୍ରହ କରିବାରେ ବ୍ୟସ୍ତ । ସମସ୍ତେ ପୁଣି ଡକା ହକା ହୋଇ ଟାକ୍‍ସିରେ ଆସି ବସିଲୁ । ଟାକ୍‍ସି ଏଥର ଉଲ୍‍କା ବେଗରେ ରାମଗଡ଼ ଅଭିମୁଖରେ ଛୁଟିଲା । ପ୍ରକୃତି ସୁନ୍ଦରୀର ଅବ୍ୟକ୍ତ ଲୀଳା ନିକ୍ଵଣ ମୋର ଦୃଦୟର ଗଭୀର ପ୍ରଦେଶରେ ଆଜି ଯେଉଁ ଉତ୍ସବାନନ୍ଦର ବିଚିତ୍ର ପ୍ରବାହ ସୃଷ୍ଟି କରିଛି, ତାହା ଯେପରି ଚିର ପ୍ରବାହୀ ହୁଏ, ଶ୍ରଦ୍ଧାନତ ହୋଇ ଏଇ ମିନତିଟିକ ଜଣାଇଲି ବିଶ୍ଵଶିଳ୍ପୀର ଚରଣତଳେ ।

 

ଟାକ୍‍ସି ଆସି ଏକାବେଳକେ ଛିଡ଼ାହେଲା ଦାମୋଦର ପୋଲ ନିକଟରେ-ରାମଗଡ଼ରେ-। ସେତେବେଳେ ଅସ୍ତଗାମୀ ରବି ପଶ୍ଚିମ ଗଗନର ଦିଗ୍‍ବଳୟ ତଳେ ଶ୍ୟାମଳ ବନାନୀର ପଛ ପାଖରେ ଲୁଚି ଯାଉଥାଆନ୍ତି–ଆଉ ତାର ବିଚିତ୍ର ରଙ୍ଗର ଖେଳା ପ୍ରତିବିମ୍ବିତ ହୋଇଥାଏ ଦାମୋଦରର ସ୍ଵଚ୍ଛ ଜଳରାଶି ଉପରେ । ସେ ଏକ ବିଚିତ୍ର ଦୃଶ୍ୟ । ସାନ୍ଧ୍ୟ ଭ୍ରମଣ ସଙ୍ଗେ ସଙ୍ଗେ ନିତ୍ୟକର୍ମାଦି ସାରି ଅମ୍ବିକା ବାବୁଙ୍କ ବସାକୁ ଫେରିଲୁ । ଖାଇବାକୁ ବସି ଦେଖୁ, ସେ ଏକ ବିରାଟ ବ୍ୟାପାର । ଲୁଚି, ବୁଟଡ଼ାଲି, ରାଏତା, ପାୟସ, ଆହୁରି କେତେ କଣ ଉପାଦେୟ ସାମଗ୍ରୀମାନଙ୍କରେ ଥାଳିଟିମାନ ପୂର୍ଣ୍ଣ-ଭୋକ ବି ଲାଗୁଥାଏ ଖୁବ୍, ଏଣୁ ଆକଣ୍ଠ ଗ୍ରାସ ହୋଇଗଲା ।

 

ଏଥର ସହଯାତ୍ରୀ ବନ୍ଧୁମାନଙ୍କୁ ରାଞ୍ଚିରୋଡ଼ ଷ୍ଟେସନରେ ଛାଡ଼ି ଟାକ୍‍ସି ଫେରିଲେ ଯାଇ ରାଞ୍ଚି ଫେରିବାକୁ ହେବ । ରାଞ୍ଚିରୋଡ଼ ଷ୍ଟେସନ ଏଠାରୁ ତିନିମାଇଲ ଉତ୍ତରକୁ । ପାଟନା ଗାଡ଼ି ସାଢ଼ ଆଠଟାବେଳେ ଯାଏ । ଏଣେ ରାତିରେ ବନପଥ ଅତିକ୍ରମ କରଯିବା ବିପଜ୍ଜନକ, ସୁତରାଂ ଟାକ୍‍ସିରେ ଷ୍ଟାର୍ଟ ଦିଆଗଲା । ଏତିକିବେଳେ ଅମ୍ବିକା ବାବୁ ତାଙ୍କୁ ଅନୁରୋଧ କଲେ, ଟିକିଏ ବିଶ୍ରାମ କରି ରାତ୍ରିଭୋଜନ ସାରି ଯିବାକୁ, ଆଉ ତାଙ୍କ କଂଗ୍ରେସ କାର୍ ଷ୍ଟେସନରେ ଛାଡ଼ି ଆସିବ ବୋଲି କହିଲେ । ସେମାନଙ୍କର ଆଉ ଷ୍ଟେସନ ଯିବା ହେଲାନାହିଁ । କିନ୍ତୁ ଆମ ଟାକ୍‍ସିର ଷ୍ଟାର୍ଟ ମଧ୍ୟ ବନ୍ଦ ହେଲା ନାହିଁ । ବନ୍ଧୁମାନଙ୍କଠୁଁ ବିଦାୟ ନେଇ ଅମ୍ବିକାବାବୁଙ୍କୁ ତାଙ୍କ ଆତିଥେୟତା ନିମନ୍ତେ ଧନ୍ୟବାଦ ଜଣାଇ ମୁଁ, ସୁଶୀଳା ଦେବୀ, ତାଙ୍କ ଭାଇ ଗିରିଜା ତିନିହେଁ ଆସି ଟାକ୍‍ସିରେ ବସିଲୁ । ଏଥର ଟାକ୍‍ସି ଘରମୁହାଁ ଛୁଟିଲା ।

 

ଦଗନ୍ତବ୍ୟାପୀ ସବୁଜ ବନ ଜ୍ୟୋସ୍ନାଲୋକରେ ହସି ଉଠୁଥାଏ । ବନପଥରେ ଅଗଣିତ ବାଙ୍କ ବୁଲି ଗାଡ଼ି କେତେବେଳେ ମନ୍ଥର ଗତିରେ, ପୁଣି କେତେବେଳେ ପୂର୍ଣ୍ଣ ବେଗରେ ଛୁଟିଥାଏ । ସୁଶୀଳା ଦେବୀ ସେତେବେଳେ ମୃଦୁ କଣ୍ଠରେ ଗାଉ ଥାଆନ୍ତି–

 

ଛିଦ୍ରାନ୍ୱିତ ଲଘୁ-ତରଣୀ ମେରୀ,

ଭବ-ସିନ୍ଧୁ ବୀଚିନେ ଆକର ଘେରୀ;

ଓର ନ ଛୋର ନିଶୀଥ-ଘନେରୀ-

ନାବିକ ! କର ଦେ ପାର !

 

ମୋର ଉନ୍ମତ୍ତ ଚିତ୍ତ ସେତେବେଳେ ଏକ ଗୋପନ ସବୁଜ ରାଜ୍ୟର ଦୁଇଟି ଭିନ୍ନ ସ୍ଥାନର ବିଭିନ୍ନ ରୂପର ସ୍ଥାୟୀ ଚିତ୍ର ଅଙ୍କନରେ ରତ ଥାଏ । ଟାକ୍‍ସି କେତେବେଳେ ଯେ ଆସି ଗିରଜା ଘର ଦୁଆରେ ଛିଡ଼ା ହୋଇଛି, ମୋତେ ଜଣା ନାହିଁ । ହଠାତ୍ ସୁଶୀଳା ଦେବୀଙ୍କ ଡାକରେ ଯେପରି ସ୍ଵପ୍ନ ରୁ ଜାଗ୍ରତ ହେଲି ! ସେ ହସ ହସି ତାଙ୍କ ମାଆଙ୍କୁ କହୁ ଥାଆନ୍ତି “ପାନିଗ୍ରାହୀଜୀ ଆଜ୍ ହୁଣ୍ଡରୁ ରାଜରୁପ୍‍ପାକେ ଲିୟେ ମଜନୁ ବନଗୟେ ହେଁ ।”

 

ସେତେବେଳେ ରାତି ନଅଟା । ଆଉ ନ ଖାଇ ନ ପିଇ ଏକାବେଳକେ ଯାଇ ବିଛଣା ଧଇଲି ।

Image